ଚୋରି ଘଟଣାରେ ୬ ଗିରଫ 

ଚୋରି ଘଟଣାରେ ୬ ଗିରଫ 

ସୋର :  ପାଖର ପଞ୍ଚାୟତ ସରସ୍ୱତୀପୁର ଗ୍ରାମରେ ଗତ ୨୯ତାରିଖରେ ହୋଇଥିବା ଚୋରି ଘଟଣାରେ ସୋର ପୁଲିସକୁ ମିଳିଛି ବଡ଼ ସଫଳତା । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ଟଙ୍କା ସମେତ ସୁନା, ରୁପା ଗହଣା ଓ ୨ଟି ବାଇକ ଜବତ୍ କରିଥିବା ନେଇ ସୋର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଗତ ଡିସେମ୍ବର ୨୯ ତାରିଖରେ ସୋର ଥାନା ପାଖର ପଞ୍ଚାୟତ ସରସ୍ୱତୀପୁର ଗ୍ରମର ଭୋଳାନାଥ ପୁହାଣ ନିକଟରେ ଚାଲିଥିବା ଖୁସି ମହୋତ୍ସବ ଦେଖିବାକୁ ଯାଇଥିଲେ । ମାତ୍ର ସେଠାରୁ ଫେରିବା ପରେ ତାଙ୍କ ଘରୁ ୨ ଲକ୍ଷ ୫୦ ହଜାର ଟଙ୍କା, ୩୦ ଭରି ସୁନା ଓ ୩୨ ଭରି ରୂପା ଚୋରି ହୋଇଥିବା ଜାଣିବାକୁ ପାଇ ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ପୁଲିସ ୧୦୮୭/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୁଲିସ ବିଭିନ୍ନ ଆଧାରରେ ତଦନ୍ତ କରି ଏଥିରେ ସପୃକ୍ତ ୨ ଜଣ ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ସାବରପୁର ଗ୍ରାମର ଶେଖ ରିଆଉଦ୍ଦିନ୍ ଓ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ସାହାସପୁରା ଗ୍ରାମର ସଲିମ ସାହାଙ୍କୁ ଥାନାକୁ ଉଠାଇ ଆଣି ଅଧିକ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୪ ଜଣ ସହଯୋଗୀଙ୍କୁ ଗିରଫ କରିଥିଲେ । ପୁଲିସ ସେମାନଙ୍କ ନିକଟରୁ ନଗଦ ୨୦,୪୦୦ ଟଙ୍କା, ୯୦ ଗ୍ରାମ ସୁନା ୬ଟି ମୋବାଇଲ ଫୋନ,୬୬୫ ଗ୍ରାମ ରୂପା ଓ ୨ଟି ବାଇକ ଜବତ କରିଥିବା ଏସ୍ପି ସୂଚନା ଦେଇଛନ୍ତି । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ଶେଖ୍ ରିଆଉଦ୍ଦିନ ନାଁରେ ୮ଟି ଓ ସଲିମ ସାହା ନାଁରେ ୫ଟି ଅପରାଧିକ ମାମଲା ଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହାରାଷ୍ଟ୍ରର ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ଦୁଇ ଜଣ ଏବଂ ବାଲେଶ୍ୱର ଜିଲ୍ଲାର ଜଣଙ୍କୁ ଗିରଫ କରିଥିବା  ବେଳେ ପୁଲିସ ଭଦ୍ରକରୁ ସମସ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ଅନନ୍ତପୁର ଫାଣ୍ଡି ଅଧିକାରୀ ମୁକୁନ୍ଦ ମୁରାରୀ ପାତ୍ର, ଏଏସ୍ଆଇ ମହେନ୍ଦ୍ର ନାୟକଙ୍କ ସମେତ ସୋର ଥାନାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।