ଛାତରେ ସୋଇଥିବା ବେଳେ ଘରୁ ବୁଲିଲା କଳାକନା
ଭୁବନେଶ୍ୱର, ୧୭ା୫ : ରାତିରେ ଘରର ଛାତ ଉପରେ ସମସ୍ତେ ସୋଇଥିବା ବେଳେ ଘରୁ ବୁଲିଲା କଳାକନା । ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କର, ୨ ଲକ୍ଷ ଟଙ୍କା, କ୍ୟାମେରା ଓ ୫ଟି ମୋବାଇଲ । ଏଭଳି ଘଟଣା ଘଟିଛି ନନ୍ଦନକାନନ ଥାନା ଅଧିନ ପଦାସାହିରେ । ଏନେଇ ଥାନାରେ ଅଭିଯୋଗ ପରେ ଆଜି ନନ୍ଦନକାନନ ଥାନା ପୁଲିସ ଥାନା କେସ ନମ୍ବର ୧୧୫ରେ ମାମଲା ରୁଜୁକରି ଲୁଟେରାକୁ ଗିରଫ କରିବା ସହିତ ତାଠାରୁ ସମସ୍ତ ଚୋରି ସୁନା, ଟଙ୍କା, ଏକ କ୍ୟାମେରା ଓ ୫ଟି ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା, ଭିଏସ୍ଏସ୍ ନଗରର ସହିଦନଗର ଅଞ୍ଚଳର ସମନ ଶବର ଓରଫ ସୁମନ । ଆଜି ତାକୁ ଦଫା ୪୫୭/୩୮୦ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଗତ ଏପ୍ରିଲ ମାସ ୩ ତାରିଖ ରାତିରେ ଅଭିଯୋଗକାରୀ ବାବୁଲି ଜେନା ଓ ତାଙ୍କର ପରିବାରଙ୍କ ସହିତ ନନ୍ଦନକାନନ ଥାନା ଅଧିନ ପଦାସାହିରେ ଥିବା ଘରର ଛାତ ଉପରେ ସୋଇଥିବା ସମୟରେ ଜଣେ ଲୁଟେରା ଯାହାର ନାମ ସୁମନ, ସେ ତାଙ୍କ ଘରର ତାଲା ଭାଙ୍ଗି ଘରେ ପଶିଥିଲା । ପରେ ଘରୁ ଟଙ୍କା, ସୁନା ଗହଣା ଥିବା ବାକ୍ସ ଓ ଏକ ମୋବାଇଲ ଫୋନ ଚୋରି କରି ନେଇଯାଇଥିଲା । ସକାଳୁ ଅଭିଯୋଗକାରୀ ତଳକୁ ଆସି ଦେଖିଲା ବେଳକୁ ସକାଳୁ ଘରର କବାଟ ଖୋଲା ରହିଛି ଓ ଗେଟର ତାଲା ଭଙ୍ଗା ହୋଇଛି । ଘର ଭିତରକୁ ଯାଇ ଦେଖିଲା ବେଳକୁ କେହି ଘରୁ ସୁନା, ଟଙ୍କା, ମୋବାଇଲକୁ ନେଇ ଛୁ ମାରିଛି । ବାହାରକୁ ଯାଇ ଦେଖିଲା ବେଳକୁ ଟଙ୍କା, ସୁନା ଥିବା ବାକ୍ସଟି ବାହାରେ ପଡ଼ିଛି, ହେଲେ ବାକ୍ସରୁ ସବୁ ସୁନା ଟଙ୍କା ଗାଏବ୍ । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଏକ ମାସ ପରେ ଶୁକ୍ରବାର ଦିନ ଲୁଟେରାକୁ ଗିରଫ କରାଯାଇ ତାଠାରୁ ସମସ୍ତ ଚୋରି ସୁନା, ଟଙ୍କା, ମୋବାଇଲ, କ୍ୟାମେରା ଜବତ କରାଯାଇଛି । ତଦନ୍ତ ସମୟରେ ଏହା ଜଣା ପଡ଼ିଥିଲା ଯେ, ଅଭିଯୁକ୍ତ ପ୍ରତେକ ଦିନ ଏକ ସାଇକେଲରେ ଘରୁ ବାହାରେ ଓ ପ୍ରାୟତ ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ଘରକୁ ଦେଖି ରେକି କରେ । ଘରର ଚିହ୍ନଟ ପକ୍ରିୟା ଶେଷ ହେବା ପରେ ରାତିରେ ଉକ୍ତ ଘରୁ ସୁଯୋଗ ଦେଖି ଚୋରି କରିଥାଏ । ଏହି ପରି ଭାବରେ ଅଭିଯୁକ୍ତ ଜଣକ ପୂର୍ବରୁ ୬ଟି ମାମଲାରେ ସମ୍ପୃକ୍ତିି ଥିବା ଜଣାପଡ଼ିଛି ।