ବସ କଣ୍ଡକ୍ଟରଙ୍କ ଟଙ୍କା ଚୋରି କରି ହେଲପର ଗିରଫ


ଭୁବନେଶ୍ୱର, ୧୧ା୪ : ଏକ ଘରୋଇ ବସ କଣ୍ଡକ୍ଟରଙ୍କ ପକେଟରୁ ଟଙ୍କା ଓ ମୋବାଇଲ ଚୋରି କରିବା ଅଭିଯୋଗରେ ବସ ହେଲପରକୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ବରମୁଣ୍ଡା ପ୍ରଧାନ ସାହିର ସ୍ମୁତିରଞ୍ଜନ ପ୍ରଧାନ । ତାଠାରୁ ୧୮୦୦ ଟଙ୍କା ଓ ଏକ ମୋବାଇଲ ଜବତ କରାଯାଇଛି ।ପରେ ଥାନା କେସ ନମ୍ବର ୨୪୪ରେ ମାମଲା ରୁଜୁକରି ଦଫା ୩୭୯ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ସତ୍ୟନାରାୟଣ ମହାପାତ୍ର ବରମୁଣ୍ଡା ବସଷ୍ଟାଣ୍ଡରେ ଆୟୁଷ୍ାଂନ ବସରେ କଣ୍ଡକ୍ଟର ଭାବରେ କାମ କରୁଥିବା ବେଳେ ଅଭିଯୁକ୍ତ ଅନ୍ୟ ଏକ ବସର ହେଲପର ଭାବେ କାମ କରୁଥିଲା । ଗତ ୯ ତାରିଖ ଦିନ ଅଭିଯୋଗକାରୀ ଓ ତାଙ୍କର ଅନ୍ୟ ଷ୍ଟାପ ମାନେ ତାରିଣୀ ମନ୍ଦିର ନିକଟରେ ବସ ପାର୍କିଂ କରି ବସ ଭିତରେ ବିଶ୍ରାମ ନେଇଥିବା ବେଳେ ଅଭିଯୁକ୍ତ ସେଠାକୁ ଆସି ସୁଯୋଗ ଦେଖି ସେଠାରୁ ଏକ ମୋବାଇଲ ଓ ୨ ହଜାର ଟଙ୍କା ଚୋରି କରି ନେଇଯାଇଥିଲା । ଅଭିଯୋଗକାରୀ ଏହି ଚୋରିର କୌଣସି ସନ୍ଧାନ ପାଇନଥିବା ବେଳେ ଅଭିଯୁକ୍ତ ଜଣକ ପୁନର୍ବାର ଗତକାଲି ଘଟଣାସ୍ଥଳକୁ ଚୋରି କରିବା ପାଇଁ ଆସିଥିଲା । ସେହି ସମୟରେ ଅଭିଯୋଗକାରୀ ଓ ତାଙ୍କ ଷ୍ଟାଫ ମାନେ ଅଭିଯୁକ୍ତକୁ କାବୁ କରିନେଇଥିଲେ । ପରେ ଭରତପୁର ଥାନାରେ ଜିମ୍ମା ଦେଇଥିଲେ ।