ଦୁଇ କୁଖ୍ୟାତ ଏଟିଏମ୍ ଠକଙ୍କୁ ସଜ୍ଜା
ଭୁବନେଶ୍ୱର, ୨୧ା୫ : ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୪ର ବିଚାରପତି ସୂର୍ଯ୍ୟ ନାରାୟଣ ମହାନ୍ତି, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଥିବା ଏକ ଠକେଇ ମାମଲାର ବିଚାର କରି ଅଭିଯୁକ୍ତ ମନୋଜ କୁମାର ସାହୁ ଓ ଗୋବର୍ଦ୍ଧନ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ସଜ୍ଜା ଶୁଣାଇଛନ୍ତି ।
ସୂଚନାଯୋଗ୍ୟଯେ, ଗତ ତା ୨୯.୧୨.୨୦୨୨ ରିଖରେ ଅଭିଯୋଗକାରୀ ପୃଥ୍ୱୀରାଜ ସାହଙ୍କ ପତ୍ନୀ ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାରକା ଏସବିଆଇ ଏଟିଏମକୁ ଟଙ୍କା ଉଠାଣ ପାଇଁ ଯାଇଥିଲେ । ସେଠାରେ ଟଙ୍କା ଉଠାଇବା ସମୟରେ ଦୁଇ ଅଭିଯୁକ୍ତ ପଛରେ ଛିଡ଼ା ହୋଇଥିବା ସମୟରେ ଦୃଷ୍ଟି ଆଡୁଆଳରେ ତାଙ୍କର ଏଟିଏମ କାର୍ଡଟିକୁ ବଦଳାଇ ଦେଇଥିଲେ । ପରେ ତା ୩୦.୧୨.୨୦୨୨ ଓ ୦୨.୦୧.୨୦୨୩ ରିଖରେ ବିନା କୌଣସି ସୂଚନା ଥାଇ ନିରୋତ୍ତମ ଦାସଙ୍କ ଆକାଉଣ୍ଟକୁ ୧ ଲକ୍ଷ ୨୦ ହଜାର ଟଙ୍କା ପଠାଇ ଥିବା ନେଇ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସେରଗଡ଼ ଥାନାର ଆଇଆଇସିଙ୍କ ନିକଟରୁ ତା ୦୫.୦୧.୨୦୨୨ରିଖ ସନ୍ଧ୍ୟାରେ ଅଭିଯୋଗକାରୀ ଫୋନ ମାଧ୍ୟମରେ ଜାଣିବାକୁ ପାଇଥିଲେ । ଏହି ସୂଚନା ପାଇବା ପରେ ଅଭିଯୋଗକାରୀ ନିଜର ଆକାଉଣ୍ଟ ଚେକ କରି ଜାଣିବାକୁ ପାଇଥିଲେ ଯେ, ତାଙ୍କ ଏଟିଏମ କାର୍ଡ ବଦଳ ହୋଇଯାଇଥିବା ବେଳେ କୌଣସି ଦୁର୍ବୃତ୍ତ ଏହାକୁ ବ୍ୟବହାର କରି ସମୁଦାୟ ୧୧ ଲକ୍ଷ ୨୪ ହଜାର ୮୫୩ ଟଙ୍କା ଉଠାଇ ନେଇଛନ୍ତି । ଏନେଇ ଅଭିଯୋଗକାରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଥାନା କେସ ନମ୍ବର ୦୯/୨୦୨୩ ଭାରତୀୟ ପିଙ୍ଗନ କୋଡ୍ ଦଫା- ୪୨୦, ୪୦୬, ୩୪ରେ ମାମଲା ରୁଜୁକରାଯାଇ ଥାନାର ତକ୍ରାଳୀନ ଏସଆଇ ଶଶୀକାନ୍ତ ରାଉତଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ପରେ ଶ୍ରୀ ରାଉତ ସଠିକ ଭାବେ ତଦନ୍ତ ଚଳାଇ ଅଭିଯୁକ୍ତ ମନୋଜ କୁମାର ସାହୁ ଓ ଗୋବର୍ଦ୍ଧନ ପାତ୍ରକୁ କାବୁ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ବିଚାର କରି ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ୍ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ମନୋଜ ଓ ଗୋବର୍ଦ୍ଧନକୁ ଦଫା ୪୨୦ରେ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୧୦ ଦିନର କାରାଦଣ୍ଡ ଏବଂ ଦଫା ୪୦୬ରେ ୨ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୧୦ ଦିନର କାରାଦଣ୍ଡ ପ୍ରକଶ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରୋସିକୁ୍ୟଟର ରାଜଲକ୍ଷ୍ମୀ ନାୟକ ପରିଚାଳନା କରିଥିଲେ ।