ଜନଜାତି ଅଞ୍ଚଳର ବିକାଶ କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିକାଶ ବିଭାଗର ଦୁଇଟି ବୈଠକରେ ଅଧ୍ୟକ୍ଷତା କରି ବିଭାଗ ଦ୍ୱାରା ଜନଜାତି ଅଂଚଳର ବିକାଶ ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ।
ପ୍ରଥମ ବୈଠକଟି ଜନଜାତି ଅଂଚଳର ବିକାଶ ପାଇଁ ସମ୍ବିଧାନର ୨୭୫(୧) ଅନୁଚ୍ଛେଦ ଅନୁସାରେ ରାଜ୍ୟକୁ ପ୍ରଦାନ କରାଯାଉଥିବା ଅର୍ଥର ବିନିଯୋଗ ପାଇଁ ପ୍ରକଳ୍ପ ଅନୁମୋଦନ ସଂପର୍କିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭିନ୍ନ କାର୍ଯ୍ୟ ବାବଦକୁ ୧୭୮ କୋଟିର ପ୍ରକଳ୍ପ କମିଟି ଦ୍ୱାରା ଅନୁମୋଦନ କରାଯାଇ ଭାରତ ସରକାରକୁ ସୁପାରିଶ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଜନଜାତି ଅଂଚଳରେ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ନୂତନ ହଷ୍ଟେଲ, ଶିକ୍ଷକମାନଙ୍କ ପାଇଁ କର୍ମଚାରୀ କ୍ୱାର୍ଟର, ରାସ୍ତା ଓ ସେତୁ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି । କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରି ଉପଯୁକ୍ତ ଭାବେ ସମ୍ପୂର୍ଣ୍ଣ ଯୋଜନାଭିତ୍ତିକ ପ୍ରସ୍ତୁତି କରି ପ୍ରକଳ୍ପ ଶେଷ କରାଯିବା ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ ।
ଦ୍ୱିତୀୟ ବୈଠକ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ର ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଥିଲା । ଏହି ବୈଠକରେ ଗତ ୨ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ କ୍ଷେତ୍ର-ଜୀବିକା ନିର୍ବାହ ଯୋଜନା ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରାଯାଇଥିଲା । କୃଷି ଉତ୍ପାଦନ ବୃଦ୍ଧି, କୃଷି ଭିତ୍ତିଭୂମିରେ ଉନ୍ନତି ଏବଂ ମାଇକ୍ରୋ-ଉଦ୍ୟୋଗୀମାନଙ୍କର ପ୍ରୋସôାହନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ବିଶଦ୍ ଆଲୋଚନା କରାଯାଇଥିଲା । ବୈଠକରେ ୨୨୫ କୋଟି ଟଙ୍କାର ବାର୍ଷିକ ଯୋଜନା ମଂଜୁର କରାଯାଇଛି । ବୈଠକରେ ବିଭାଗ କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନଙ୍କ ସମେତ କମିଟିର ସଦସ୍ୟ ଥିବା ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଓ ସଂପୃକ୍ତ ବିଭାଗମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।