ଜନ୍ମଦିନରେ ନବୀନଙ୍କ ଜନ ସମ୍ପର୍କ ପଦଯାତ୍ରା : ପିଲାଙ୍କ ସହ କେକ୍ କାଟିଲେ

ଶେଷ ପର୍ଯ୍ୟନ୍ତ ଓଡିଶାର ସେବା କରି ଚାଲିବି : ନବୀନ
ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ ଥିବାବେଳେ ଭୁବନେଶ୍ୱରରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରାରେ ସାମିଲ୍ ହୋଇଥିଲେ । ବିଜେଡିର ନେତା ଓ କର୍ମୀମାନଙ୍କ ଗହଣରେ ଶ୍ରୀ ପଟ୍ଟନାୟକ କିଛି ବାଟ ଚାଲିବା ସହିତ ଆୟୋଜିତ ସଭାରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେଯେ, ବିଜେଡ଼ି ଓଡିଶାବାସୀଙ୍କ ସହିତ ସବୁବେଳେ ରହିଛି ଓ ରହିଥିବ । ସେବା ହେଉଛି ବିଜେଡ଼ିର ମୂଳମନ୍ତ୍ର । ଲୋକଙ୍କ ସେବା ଜାରି ରଖିବା ପାଇଁ କର୍ମୀମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହିତ, ଶେଷ ପର୍ଯ୍ୟନ୍ତ ସେ ଓଡିଶା ମା’ର ସେବା କରିଚାଲିବେ ବୋଲି କହିଥିଲେ ।
ଭୁବନେଶ୍ୱର ବିଜେଡ଼ି ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଂସଦ ଦେବାଶିଷ ସାମନ୍ତରାୟ, ସାଂସଦ ସୁଲତା ଦେଓ, ପ୍ରମିଳା ମଲ୍ଲିକ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବିଭୂତି ବଳବନ୍ତରାୟ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ବିଜେଡିର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ କର୍ପୋରେଟରମାନେ ଯୋଗ ଦେଇଥିଲେ । ଆଜି ୭୯ ବର୍ଷରେ ପଦାର୍ପଣ କରିଥିବା ନବୀନ ଏସଓଏସ ଭିଲେଜର ପିଲାମାନଙ୍କ ଗହଣରେ ଜନ୍ମଦିନ ପାଳନ କରିଥିଲେ । ପୂର୍ବାହ୍ନରେ ଶ୍ରୀ ପଟ୍ଟନାୟକ ସେଠାର ପହଁଚିବା ପରେ ପିଲାମାନେ ତାଙ୍କୁ ସ୍ୱାଗତ କରିଥିଲେ । ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ କେକ କାଟିବା ସହ ପିଲାମାନଙ୍କୁ ନିଜେ କେକ୍ ଖୁଆଇ ଦେଇଥିଲେ ଓ ପିଲାମାନଙ୍କୁ ଉପହାର ଦେଇଥିଲେ । ପିଲାମାନଙ୍କୁ ଆଶୀର୍ବାଦ କରି ସେ କହିଥିଲେଯେ, ଆଜି ପିଲାମାନଙ୍କ ସହ ଜନ୍ମଦିନ ପାଳନ କରି ସେ ବହୁତ ଖୁସି । ତାଙ୍କ ଜନ୍ମଦିନରେ ସାମିଲ ହୋଇଥିବାରୁ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ଆଶୀର୍ବାଦ ଦେଇଥିଲେ ।