ଜବର ଦଖଲ ନେଇ ବର୍ଷିଲେ ହାଇକୋର୍ଟ : ତୁରନ୍ତ ଜବର ଦଖଲ ହଟାଅ 

ଜବର ଦଖଲ ନେଇ ବର୍ଷିଲେ ହାଇକୋର୍ଟ : ତୁରନ୍ତ ଜବର ଦଖଲ ହଟାଅ 

କଟକ : ରାଜ୍ୟରେ ଜବର ଦଖଲ ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ ଏହି ସମସ୍ୟା ବଢ଼ିବାରେ ଲାଗିଛି । ଜବର ଦଖଲକାରୀଙ୍କ ପାଇଁ କେବଳ ରାଜ୍ୟ ନୁହେଁ, ଦେଶର ଅଗ୍ରଗତିରେ ବାଧା ସୃଷ୍ଟି ହେଉଛି । ତେଣୁ କୌଣସି ପରିସ୍ଥିତିରେ ଜବର ଦଖଲକାରୀଙ୍କ ପ୍ରତି ଦୟା ଦେଖାଇବା ଆବଶ୍ୟକ ନାହିଁ । ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଭଗବତୀପୁର ଗ୍ରାମରେ ଜବର ଦଖଲକୁ ନେଇ ରୁଜୁ ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ଏହା ମତବ୍ୟକ୍ତ କରିଛନ୍ତି । ଭଗବତୀପୁର ଗ୍ରାମରୁ ତୁରନ୍ତ ଜବର ଦଖଲ ହଟାଇବାକୁ ହାଇକୋର୍ଟ ଏହି ଅବସରରେ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଖୋର୍ଦ୍ଧା ଏସପିଙ୍କୁ ଆବଶ୍ୟକ ପୁଲିସ କର୍ମଚାରୀ ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି । ଯଦି ଆବଶ୍ୟକ ପୁଲିସ କର୍ମଚାରୀ ନାହାନ୍ତି, ତେବେ ସିଆରପିଏଫ ଯବାନ ମୃତୟନ କରିବାକୁ ହାଇକୋର୍ଟ କହିଛନ୍ତି । ୩ ମାସ ମଧ୍ୟରେ ସମସ୍ତ ଜବର ଦଖଲ ଉଚ୍ଛେଦ ହେବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଭଗବତୀପୁର ଗ୍ରାମର ବିଜୟ କୁମାର ମହାରଣା (ବର୍ତ୍ତମାନ ମୃତ) ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଏବଂ ଜଷ୍ଟିସ ଏମଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପିଠ ଏହି ଆଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ଏହି ଗ୍ରାମର କିଛି ଲୋକ ସରକାରୀ ଜାଗାକୁ ମାଡ଼ି ବସି ସେଥିରେ ଅନେକ ନିର୍ମାଣ କରିଥିଲେ । ଏହି ଜବର ଦଖଲକୁ ହଟାଇବା ଲାଗି ଆବେଦନକାରୀ ପ୍ରଥମେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ । କିନ୍ତୁ ତହସିଲଦାର କୌଣସି ପଦକ୍ଷେପ ନନେବାରୁ ଆବେଦନକାରୀମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଲୋକପାଳଙ୍କ ପର୍ଯ୍ୟନ୍ତ ଯାଇଥିଲେ । କିନ୍ତୁ ଏହାର କୌଣସି ସୁଫଳ ନ ମିଳିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି ସମଗ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ହେଉଥିବା ଜବର ଦଖଲକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏହି ଜବର ଦଖଲକୁ ତୁରନ୍ତ ହଟାଇବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।