ଜଳିଗଲା ବସ : ୨୦ ଜୀବନ୍ତ ଦଗ୍ଧ

ଜଳିଗଲା ବସ  : ୨୦ ଜୀବନ୍ତ ଦଗ୍ଧ
  • ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ୨ଲକ୍ଷ ଲେଖାଁଏ ସହାୟତା ଦେବେ ମୋଦି

   ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲା ଉଲିଣ୍ଡାକୋଣ୍ଡା ନିକଟରେ ଶୁକ୍ରବାର ଭୋର ସମୟରେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ଲଗଜରୀ ଇଣ୍ଟରସିଟି ବସ୍‌ରେ ନିଆଁ ଲାଗିଯିବାରୁ ୨୦ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଜାତୀୟ ରାଜପଥ ୪୪ରେ ଭୋର ପ୍ରାୟ ସାଢେ ୩ଟା ସମୟରେ ଭେମୁରୀ କାବେରୀ ଟ୍ରାଭେଲ୍ସର ଏୟାରକଣ୍ଡିସନ୍‌ ସ୍ଲିପର୍‌ କୋଚଟି ଏକ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା । ପରେ ବସଟି ଜଳିବା ଆରମ୍ଭ କରିଥିଲା । ବସ୍‌ଟିର ପଞ୍ଜିକରଣ ନମ୍ବର ଡିଡି୦୧ଏନ-୯୪୯୦ ଥିଲା । ଏହା ମୂଳତଃ ଅଗଷ୍ଟ ୨୦୧୮ରେ ଦାମନ ଏବଂ ଦିଉରେ ପଞ୍ଜିକୃତ ହୋଇଥିଲା । ଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଘରୋଇ ଅପରେଟର ଭେମୁରୀ କାବେରୀ ଟ୍ରାଭେଲ୍ସର ମାଲିକାନା ଥିଲା । ମାଲିକ ଭେମୁରୀ ବିନୋଦ କୁମାର ରାୟଗଡ଼ାର ସାଇ ଲକ୍ଷ୍ମୀ ନଗର ଠିକଣାରେ ଗାଡ଼ିଟି ପଞ୍ଜିକୃତ କରିଥିଲେ ।

         ଦୁର୍ଘଟଣାର ଛଅ ମାସ ପୂର୍ବରୁ ଏପ୍ରିଲ୍‌ ୨୯ ତାରିଖରେ ଗାଡିର ପଞ୍ଜୀକରଣ ରାୟଗଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) କୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାର ମୂଳ ପର୍ଯ୍ୟଟନ ପରମିଟ୍‌  ମେ’ ୧ ତାରିଖରେ ଓଡ଼ିଶା ପରିବହନ ବିଭାଗ ଦ୍ୱାରା ଜାରି କରାଯାଇଥିଲା, ଯାହା ୨୦୩୦ ଏପ୍ରିଲ ପର୍ଯ୍ୟନ୍ତ ବୈଧ ଥିଲା । ଏହା ସହିତ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଗକ୍ଟଜଞଐ) ରୁ ଏକ ଅଲ୍‌ ଇଣ୍ଡିଆ ଟୁରିଷ୍ଟ ପରମିଟ୍‌ (ଏଆଇଟିପି) ଅଗଷ୍ଟ ୨୦୨୫ ଅଗଷ୍ଟରେ ପ୍ରଦାନ କରାଯାଇଥିଲା, ଯାହା ୨୦୨୬ ଜୁଲାଇ ପର୍ଯ୍ୟନ୍ତ ବୈଧ ଥିଲା । ପୁଲିସ ଅନୁସାରେ ବସ୍‌ଟି ପ୍ରାୟ ମଧ୍ୟରାତ୍ରିରେ ହାଇଦ୍ରାବାଦରୁ ବାହାରିଥିଲା । ଯେଉଁଥିରେ ଡ୍ରାଇଭର ଏବଂ କର୍ମଚାରୀଙ୍କ ସମେତ ୪୩ ଜଣ ଯାତ୍ରୀ ଥିଲେ । କୁର୍ଣ୍ଣୁଲ ଜିଲ୍ଲାର ଚିନ୍ନା ତେକୁର ଗାଁ ନିକଟରେ ଦୁର୍ଘଟଣା ଘଟିବା ସମୟରେ ଅଧିକାଂଶ ଯାତ୍ରୀ ଶୋଇପଡ଼ିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ନିଆଁ ତିନି ମିନିଟ୍‌ ମଧ୍ୟରେ ସମ୍ପୂର୍ଣ୍ଣ ବସ୍‌କୁ ପୋଡ଼ି ଦେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଃଖଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କୁର୍ଣ୍ଣୁଲ ବସ୍‌ ଅଗ୍ନିକାଣ୍ଡରେ ପ୍ରାଣହାନି ପାଇଁ ଅତ୍ୟନ୍ତ ମର୍ମାହତ । ମୋର ସମବେଦନା ପ୍ରଭାବିତ ପରିବାର ସହିତ ଅଛି । ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ବୋଲି ସେ ଏକ୍ସରେ ଲେଖିଛନ୍ତି ।

     ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି ଓ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ସେ ଏହି ଦୁର୍ଘଟଣାରେ ମର୍ମାହତ ଓ ପୀଡିତଙ୍କ ପାଇଁ ସରକାରୀ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି । କର୍ତ୍ତୃପକ୍ଷ ଆହତ ଓ ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି ।