ଜାତୀୟ କିକ୍ ବକ୍ସିଂରେ ଜଗତସିଂହପୁର ଖେଳାଳିଙ୍କ ସଫଳତା

 ପାରାଦୀପ : ସ୍ପେର୍ଟ୍ସ ଅଥରିଟି ଅଫ ଇଣ୍ଡିଆ, ଇଣ୍ଡିଆ ଅଲମ୍ପିକ ଆସୋସିଏସନ ଏବଂ ଆମେଚର କିକ ବକ୍ସିଂ ମିଳିତ ସହଯୋଗରେ ଆୟୋଜିତ ଜାତୀୟ କିକ ବକ୍ସିଂ ପ୍ରତିଯୋଗିତା ଅଗଷ୍ଟ ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ସ୍ଥିତ ନେତାଜୀ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ  ହୋଇଯାଇଛି । ଏହି ଜାତୀୟ କିକ ବକ୍ସିଂ ପ୍ରତିଯୋଗିତାରେ ଓଡିଶାର ଖେଳାଳି ମାନେ ଚମକôାର ପ୍ରଦର୍ଶନ କରି ୪୬ଟି ପଦକ ହାସଲ କରିଛନ୍ତି ।  ପ୍ରତିଯୋଗିତାରେ ଓଡିଶାର ଜଗତସିଂହପୁର ଜିଲ୍ଲାର ଖେଳାଳି ମାନେ ଜାତୀୟ ସ୍ତରରେ ଅନେକ ପ୍ରତିଯୋଗୀ ମାନଙ୍କୁ ପରାସ୍ତ କରି ୨ ଟି ରୌପ୍ୟ ଏବଂ ଗୋଟିଏ କାନ୍ସ୍ୟ ପଦକ ଆଣିବାରେ ସକ୍ଷମ ହେବା ସହ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ସୋନାକ୍ଷୀ ସାହୁ ଓ ସୋହନଦୀପ ସିଂହ ରୋପ୍ୟ ଏବଂ ଆକାଂକ୍ଷା ସାହୁ କାନ୍ସ୍ୟ ପଦକ ହାସଲ କରିଛନ୍ତି । ସମସ୍ତ ବିଜୟୀ ପ୍ରତିଯୋଗୀ ମାନଙ୍କୁ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କଳିଙ୍ଗ ଷ୍ଟାଡିୟମ ଠାରେ ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ରାଜ୍ୟ ଓ ଜଗତସିଂହପୁର ଜିଲ୍ଲାର କ୍ରୀଡ଼ାବିତ ମାନଙ୍କ ପ୍ରଦର୍ଶନ ପାଇଁ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।