ଜାତୀୟ ଡେଙ୍ଗୁ ଦିବସ ପାଳିତ
ଦେବଗଡ଼ : ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିସôାଳୟ ସମ୍ମିଳନୀ କକ୍ଷରେ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ଦେବଗଡ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡେଙ୍ଗୁ ରୋଗ ଉପରେ ବିସ୍ତୃତ ଆଲୋଚନା କରାଯିବା ସହିତ ଏହାକୁ କିଭଳି ରୋକାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ଦେବଗଡ ପୌରପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଭାତ କୁମାର ଓଝା, ଡ଼ା. ବଂଶୀଧର ପାତ୍ର, ଭାରପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ ପ୍ରମୁଖ ଯୋଗ ଦେଇ ଜାତୀୟ ଡେଙ୍ଗୁ ଦିବସ ଉପରେ ଆଲୋକପାତ କରିଥିଲେ । ଡେଙ୍ଗୁ ଏକ ଭୁତାଣୁ ଜନିତ ଘାତକ ରୋଗ ଏବଂ ଡେଙ୍ଗୁ ମଶା କାମୁଡିବା ଦ୍ୱାରା ଏହା ହୋଇଥାଏ । କିନ୍ତୁ ସଚେତନ ଦ୍ୱାରା ଏହାର ସଫଳ ପ୍ରତିରୋଧ ସମ୍ଭବ ହୋଇପାରିବ । ପରିବେଶ ପରିଷ୍କାର ରଖିବା, ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଆମେ ଡେଙ୍ଗୁ କବଳରୁ ରକ୍ଷା ପାଇପାରିବା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହା ବ୍ୟତୀତ ଏଡିସ ମଶା ବୃଦ୍ଧି ରୋକିବା ପାଇଁ ବିଭିନ୍ନ ଟାୟାର ମରାମତି ଦୋକାନ, ପାଣି ଜମୁଥିବା ସ୍ଥାନ, ଡ୍ରେନ ତଥା ପରିବେଶ ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ କରାଯାଇଥିଲା । ଏହି ସଭାରେ ପୌରପରିଷଦ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାରଙ୍କ ସମେତ ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀ, ଡାକ୍ତରଖାନା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅମରେଶ ଶତପଥି ସଂଯୋଜନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
