ତିନି ରୋଜଗାରିଆ ପୁଅ, ଅସହାୟ ବୁଢୀ ମା’
ଜଗତସିଂହପୁର: ତିନି ତିନିଟା ରୋଜଗାରିଆ ପୁଅ ଥାଇ ବି ବୁଢୀ ମା’ ଅସହାୟ ଓ ଦୁର୍ଦ୍ଦିନରେ ବଞ୍ଚିଛି । ମା’ ତାର ସବୁ ସୁଖ ଛାଡିଦେଇ ପିଲାର ଭଲ ଭବିଷ୍ୟତ ପାଇଁ ସବୁକରେ, ହେଲେ ସେଇ ପିଲା ବଡ ହେଲା ପରେ ମାଟକୁ ଭୁଲିଯାଏ । ଏଭଳି ଦୁଖଦଃ ଘଟଣା ଦେଖିବାକୁ ମିଳଛି ଏରସମା ଗ୍ରାମରେ । ସ୍ୱର୍ଗତ ନିରଞ୍ଜନ ସ୍ୱାଇଁଙ୍କ ଧର୍ମପତ୍ନୀ ରଙ୍ଗଲତା ସ୍ୱାଇଁ (୭୩) ରୋଜଗାରିଆ ୩ ପୁଅ ଥାଇ ମଧ୍ୟ ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି । ରଙ୍ଗଲତାଙ୍କ ପୁଅ ଅଶୋକ, କୈଳାଶ, ରମେଶ ଓ ଗୋଟେ ଝିଅ ରଞ୍ଜିତା ସେମାନେ ସମସ୍ତେ ବିଭାହିତ । ଦୁଇ ପୁଅ ସେମାନଙ୍କର ପିଲାଛୁଆଙ୍କୁ ଧରି ବାହାରେ ରହୁଥିବାବେଳେ, ବଡ଼ ପୁଅ ଅଶୋକ ସେହି ଗାଁରେ ମା ଠାରୁ ଅଲଗା ହୋଇ ରହୁଛି । ଝିଅ ରଞ୍ଜିିତା ସିହା ଗ୍ରାମରେ ବିଭାହିତ ହୋଇଛି । କୈଳାଶ ସ୍ୱାଇଁ ରାଉରକେଲାରେ ରହୁଥିବା ବେଳେ, ରମେଶ ଚନ୍ଦ୍ର ସ୍ୱାଇଁ ମୁମ୍ବାଇରେ ରହୁଛି । ବଡ଼ ପୁଅ ଅଶୋକ ଗାଁ ରହୁଥିଲେ ମଧ୍ୟ ମା ଠାରୁ ଅଲଗା ଓ ତାଙ୍କ ସ୍ତ୍ରୀ ଓ ପୁଅ ଅନେକ ସମୟରେ ରଙ୍ଗଲତାଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି । ବ୍ରାଦ୍ଧକ୍ୟ ଅବସ୍ଥାରେ ବିଭିନ୍ନ ରୋଗ ହେଉଥିବାରୁ ଔଷଧ କିଣିବାପାଇଁ ପଇସାଟିଏ ପାଉନାହାନ୍ତି । ସମସ୍ତେ ପୈତୃକ ସମ୍ପତ୍ତି ଭୋଗ କରୁଥିଲେ ମଧ୍ୟ ବ୍ରାଦ୍ଧକ୍ୟ ଅବସ୍ଥାରେ ମା କୁ କେହି ପଚାରୁ ନଥିବା ରଙ୍ଗଲତା ୧୯/୧୧/୨୦୨୪ ରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ବାର୍ଦ୍ଧକ୍ୟ ଭତ୍ତା ୧୦୦୦ ଟଙ୍କାରେ ବହୁ କଷ୍ଟରେ ଗୁଜୁରାଣ ମେଣ୍ଟେ । ରଙ୍ଗଲତାଙ୍କ ଏହି ଅସହାୟ ସମ୍ପର୍କରେ ଅନେକ ସହୃଦୟ ବ୍ୟକ୍ତି ତାଙ୍କୁ ବିଭିନ୍ନ ଜରା ଶ୍ରମର ଠିକଣା ଦେଇ ଅବଶିଷ୍ଟ ଜୀବନ ସେଠାରେ ଶାନ୍ତିରେ ନିର୍ବାହ କରିବା ପାଇଁ ପରାମର୍ଶ ଦେଉଥିଲେ ମଧ୍ୟ ସ୍ୱଭିମାନୀ ରଙ୍ଗଲତା ନିଜ ସ୍ୱାମୀଙ୍କ ଭିଟା ମାଟିରେ ରହି ଅଧିକାରର ସହ ବଞ୍ଚିବାକୁ ଚାହୁଁଛନ୍ତି । ଅଦ୍ୟାବଧି ଏ ସମ୍ପର୍କରେ କୌଣସି ସନ୍ତୋଷ ଜନକ ପଦକ୍ଷେପ ନିଆଯାଇ ନଥିବାରୁ ପୁନର୍ବାର ୧୨-୦୨-୨୦୨୫ ରେ ଜିଲ୍ଲାର ଅଗ୍ରଣୀ ସମାଜ ସେବିକ ତଥା ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ନିକଟରେ ନିଜର ଅସହାୟତା, ଥଇଥାନ, ନ୍ୟାୟ ଓ ଅଧିକାର ସମ୍ପର୍କରେ ପ୍ରାର୍ଥନା କରିବା ପରେ ଶ୍ରୀମତୀ ଆଚାର୍ଯ୍ୟଙ୍କ ସହାୟତାରେ ଉପଜିଲ୍ଲାପାଳଙ୍କୁ ପରିସ୍ଥିତିର ସ୍ଥାୟୀ ନିରାକରଣ ନିମନ୍ତେ ଗୁହାରୀ କରିଛନ୍ତି ।