ଜିଲ୍ଲାସ୍ତରୀୟ ନିପୁଣ ମେଳା
ପୁରୀ : ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ପ୍ରତ୍ୟେକ ପିଲାଙ୍କୁ ଦକ୍ଷତା ଓ ପ୍ରତିଭାରେ ନିପୁଣ କରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା । ଏହି ଅବସରରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଯାହା ମାଧ୍ୟମରେ ଶିଶୁମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ପ୍ରତିଭା ପ୍ରଦର୍ଶନର ମଞ୍ଚ ଯୋଗାଇଥାଏ । ଏହାକୁ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ବେହେରାଙ୍କ ସହ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଉଦ୍ଘାଟନ କରିଥିଲେ । ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ଶିଶୁମାନଙ୍କ ମନସ୍ତତ୍ୱକୁ ବୁଝି ଶିକ୍ଷା ଦାନ କରାଗଲେ ତାହା ଅଧିକ ଫଳପ୍ରଦ ହୁଏ ବୋଲି କହିଥିଲେ । ବିଭିନ୍ନ ଉଦାହରଣ ଓ ମହାପୁରୁଷଙ୍କ ଜୀବନୀ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ବେହେରା ପିତାମାତା, ଅଭିଭାବକ ଓ ଶିକ୍ଷକମାନେ ଶିଶୁ ପାଇଁ ଉପଯୁକ୍ତ ସମୟ ଦେବା ଓ ସେମାନଙ୍କ ଆଗ୍ରହକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ ନିପୁଣ ଓଡିଶାର ଲକ୍ଷ୍ୟ ଉଦେ୍ଦଶ୍ୟ ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରିବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପଞ୍ଚସୂତ୍ରର ଉପଯୋଗ, ନିପୁଣ ଓଡ଼ିଶାର ପ୍ରଚାର ପ୍ରସାର, କାର୍ଯ୍ୟାବାଳୀ, ଛାତ୍ରଛାତ୍ରୀଙ୍କ ଭୂମିକା, ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକା ଓ ଶିକ୍ଷାଧିକାରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସୂଚନା ଓ ଲୋକସମ୍ପର୍କ ଉପନିଦେ୍ର୍ଦଶକ ସନ୍ତୋଷ ସେଠୀ, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପିଲାଙ୍କ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଆମସମସ୍ତଙ୍କ ଦାୟିତ୍ୱ ରହିଛି ଓ ନିପୁଣ ଓଡ଼ିଶା ପିଲାଙ୍କୁ ଅଧିକ ସଶକ୍ତ ଓ ସମୃଦ୍ଧ କରିବ ବୋଲି କହିଥିଲେ । ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଦ୍ୱୀତୀକାନ୍ତ ପ୍ରଧାନ, ଶୁଶିଲ ପ୍ରଧାନ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ରାମକୃଷ୍ଣ ସାହୁ ସମସ୍ତଙ୍କୁ ନିପୁଣ ଓଡ଼ିଶା ଶପଥ ପାଠ କରାଇଥିଲେ ।