ଷଷ୍ଠ ଦିନରେ ନାମାଙ୍କନ ଭରିଲେ ୯ପ୍ରାର୍ଥୀ
ପୁରୀ : ଚଳିତ ମେ ୨୫ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିବସ ସୁଦ୍ଧା ପୁରୀ ଜିଲ୍ଲାରେ ୩୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଲୋକସଭା ଆସନ ପାଇଁ ୩ଜଣ ଓ ବିଧାନସଭା ଆସନଗୁଡ଼ିକ ପାଇଁ ୨୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଲେଣି ।
ଶୁକ୍ରବାର ସୁଦ୍ଧା ୨୩ଜଣପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଶନିବାର ଦିନ ୯ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶନିବାର ଦିନ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ରୂପେ ସୁଚେନ୍ଦ୍ର ଭୋଇ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିଭଳି ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସୁଜିତ ମହାପାତ୍ର । ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ଶ୍ରୀ ମହାପାତ୍ର ଉପଜିଲ୍ଳାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ମହାପାତ୍ର ଗଣମାଧ୍ୟମକୁୁ କହିଥିଲେ ଯେ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଜଳ ଠାରୁ ଆରମ୍ଭ କରି ଚାଷୀ ସମସ୍ୟା ଓ ଜମିଜମା ସଂକ୍ରାନ୍ତୀୟ ବହୁ ସମସ୍ୟା ରହିଛି । ଦୀର୍ଘଦିନ ଧରି ରହି ଆସିଥିବା ଏସବୁ ସମସ୍ୟାବଳୀର ସମାଧାନ ପାଇଁ ସେ ଉଦ୍ୟମ କରିବେ । ବ୍ରହ୍ମଗିରି ଆସନ ପାଇଁ ସୁଜିତ କୁମାର ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ରୂପେ ରିଟଣିଂ ଅଫିସର ଡ଼ିଆରଡ଼ିଏର ପ୍ରକଳ୍ପ ନିଦେ୍ର୍ଦଶକଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ବ୍ରହ୍ମଗିରି ଆସନ ପାଇଁ ବି.ଏସ୍.ପି ପ୍ରାର୍ଥୀ ରାମଚନ୍ଦ୍ର ଭୋଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଥିଲେ ପ୍ରଭାକର ଦଳେଇ । ବ୍ରହ୍ମଗିରି ଆସନ ପାଇଁ ବିଜେପି ପକ୍ଷରୁ ଉପାସନା ମହାପାତ୍ର ବ୍ରହ୍ମଗିରିରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଡ଼ିଆରଡ଼ିଏର ପ୍ରକଳ୍ପ ନିଦେ୍ର୍ଦଶକଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସେହିଭଳି ସତ୍ୟବାଦୀ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଗନ୍ନାଥ ଭୋଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପିପିଲି ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ରାଧାମୋହନ ଓ ଅହମ୍ମଦ ଖାଁ ଅତିରିକ୍ତ ଉପଜିଲ୍ଳାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।