ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ ପାଳିତ
ପୁରୀ: ୭୧ତମ ଜିଲାସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯାଇଛି । ସମବାୟ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଯୋଗଦାନ କରି ସମବାୟ ଆନେ୍ଦାଳନକୁ ଅଧିକ କ୍ରିୟାଶୀଳ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଆର୍ଥିକ ସମୃଦ୍ଧି ଓ ସହଯୋଗରେ ସହାୟକ ହେବା ପାଇଁ ସମବାୟ ସପ୍ତାହ ପାଳନର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ତଥା ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ସମବାୟର ଯୋଗଦାନ ରହିଛି । ଏହା ବର୍ଷ ବର୍ଷ ଧରି ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି । ଏହାକୁ ଅଧିକ ସଂପ୍ରସାରିତ କରିବା ଦିଗରେ ବିଭାଗ ପକ୍ଷରୁ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଚଳିତବର୍ଷର ଥିମ୍ ଥିଲା ବିକଶିତ ଓଡ଼ିଶାର ଗଠନରେ ସମବାୟର ଭୂମିକା । ଏହା ଉପରେ ବିଷଦ ଆଲୋଚନା କରାଯାଇଥିଲା । ସମ୍ମିଳିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ ଦେଶର ଅର୍ଥନୀତିରେ ସମବାୟ ଏକ ପ୍ରମୁଖ ଭୂମିକା ନେଇଛି ଓ ଏହା ଏକ ଆନେ୍ଦାଳନରେ ପରିଣତ ହୋଇ ଲୋକମାନଙ୍କର ହିତ ପାଇଁ କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ିଆରସିଏସ୍ ସୁନିତା ପତି, ସମ୍ମିଳିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ସିଇଓ ବନଶ୍ରୀ ମଲ୍ଲିକ, ଅଡ଼ିଟ୍ ସର୍କଲର ଦାସରଥୀ ବେହେରା, ଏଆରସିଏସ୍ ସ୍ୱରୂପ କୁମାର କର ଓ ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ସଦସ୍ୟ ଯୋଗଦାନ କରି ସମବାୟ ଆନେ୍ଦାଳନର ଲକ୍ଷ୍ୟ, ଉଦେ୍ଧଶ୍ୟ ଓ ଆର୍ଥିକ ସମୃଦ୍ଧିରେ ସମବାୟର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।