କିଶୋର କୁମାର ଜେନା : ଜୀବନ ହେଉଛି ଏକ ଚେତନାର ସ୍ରୋତ । ଜୀବନର ପ୍ରତିଟି ଅଣୁ ସ୍ପନ୍ଦନଶୀଳ । ସକଳ ବସ୍ତୁରେ ଜୀବନ ବିଦ୍ୟମାନ । ନିର୍ଜୀବ ବୋଲି କୌଣସି ବସ୍ତୁ ହିଁ ନାହିଁ । ଖଣ୍ଡିଏ ପଥରର ବି ଜୀବନ ରହିଛି । ବସ୍ତୁମାତ୍ରେ ଯେ ଜୀବନର ସ୍ପନ୍ଦନରେ ପୂର୍ଣ୍ଣ, ତାହା ଅତ୍ୟାଧୁନିକ ବୈଜ୍ଞାନିକମାନେ ସଂପୂର୍ଣ୍ଣରୂପେ ପ୍ରମାଣ କରିସାରିଛନ୍ତି । ଆଜିର ମଣିଷ ଖୁବ ବ୍ୟସ୍ତ । ତା' ନିକଟର ସମୟର ଘୋର ଅଭାବ । ଅଧିକରୁ ଅଧିକ ଅର୍ଥ ଉପାର୍ଜ୍ଜନ ଏବଂ ପ୍ରତିଷ୍ଠା ଲାଭ ପାଇଁ ନିଜ ନିଜ ଭିତରେ ତୁମୁଳ ପ୍ରତିଯୋଗିତା ମେସିନ ପରି ସମୟ କଟଉ କଟଉ ମଣିଷ ନିଜେ ମଧ୍ୟ ପାଲଟି ଯାଉଛି ମେସିନ। ଫଳରେ ଆଚାର, ବିଚାର, ଶିଷ୍ଟାଚାର ଓ ସଂସ୍କୃତିହୀନ ହୋଇ କେବଳ ନିଜର ସ୍ୱାର୍ଥ ସିଦ୍ଧି ପାଇଁ ସେ ଲାଗି ପଡ଼ୁଛି । ଧୀରେ ଧୀରେ ସମସ୍ତେ ଆତ୍ମକୈନ୍ଦ୍ରିକ ହେଇ ପଡ଼ୁଛନ୍ତି । ମୌଳିକ ଆବଶ୍ୟକତା ନାଁରେ ଅସରନ୍ତି କାମନା ବାସନା ପଛରେ ଧାଇଁ ଧାଇଁ ହାଲିଆ ହୋଇ ପଡ଼ୁଛନ୍ତି ପଛେ ସେଥିରୁ ନିବୃତ୍ତ ହେଉ ନାହାନ୍ତି । ଚାରିଆଡେ଼ ଖାଲି ବସ୍ତୁବାଦର ମୋହ । ଅର୍ଥଲାଭ ଜନିତ ଉଚ୍ଚ ଆଶା । ନିଜ ନିଜ ଭିତରେ ଅଯଥା ପ୍ରତିଯୋଗିତାର ମନୋବୃତ୍ତି, ଭୋଗବାଦ ଇତ୍ୟାଦି ଦ୍ୱାରା ବିଭିନ୍ନ ସାମାଜିକ ବୈଷମ୍ୟ ସୃଷ୍ଟି ହେଉଛି । ଏହାଦ୍ୱାରା ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ଆପଣାର ଭାବ କମିଯିବା ସହ ଈର୍ଷା, ଦ୍ୱେଷ ଓ ଅସୂୟା ଭାବ ବଢ଼ି ବଢ଼ି ଯାଉଛି । ଆଉ କେତେକ ଭାବୁଛନ୍ତି ପାଖରେ ଧନ ଥିଲେ ହିଁ ଯଶ ଓ ଖ୍ୟାତି ଆପେ ଆପେ ଆସିଥାଏ । ସେମାନେ ଲାଗିପଡୁଛନ୍ତି ଯେତେ ଦୂର ସମ୍ଭବ କମ ପରିଶ୍ରମ କରି କମ ମୁଣ୍ଡ ଖେଳେଇ ପ୍ରଚୁର ଅର୍ଥ ଉପାର୍ଜନ କରିବା ପାଇଁ ଏହାଦ୍ୱାରା ଏକ ବିଚିତ୍ର ମନସ୍ତାତ୍ତ୍ୱିକ ବ୍ୟାଧି ସାରା ସମାଜରେ ଦେଖା ଦେଇଛି ।
ନିଜର ଅସରନ୍ତି କାମନା ବାସନା ପୂରଣ କରିବାରେ ବ୍ୟର୍ଥ ହୋଇ କିଭଳି ଏକ ହତାଶା ଭାବ ତଥା ଅଶାନ୍ତିର ବାତାବରଣ ଆମ ସମସ୍ତଙ୍କୁ ଘେରି ରହିଛି । ଧୀରେ ଧୀରେ ଆମ ମାନଙ୍କ ଭିତରୁ ସରଳତା ତଥା ସରଳ ଜୀବନଯାପନ ପ୍ରଣାଳୀ ଦୂରେଇ ଯିବାରେ ଲାଗିଛି । ଆମେ ଭୁଲିଯାଉଛୁ ସୃଷ୍ଟିକର୍ତ୍ତାଙ୍କ ଅମୂଲ୍ୟଦାନ ଆମ ଜୀବନ ହେଉଛି ଆମର ସବୁଠୁ ମୂଲ୍ୟବାନ ସମ୍ପଦ । ଆଉ ତାକୁ ଆନନ୍ଦରେ ତଥା ଶାନ୍ତିରେ ରଖିବା ହେଉଛି ଆମର ପ୍ରଧାନ କର୍ତ୍ତବ୍ୟ । କାମନାର ଶେଷ ନାହିଁ । କିନ୍ତୁ ଆମ୍ଭେମାନେ ଏହାର ଏକ ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରଣ କରିବା ଦରକାର । ଅର୍ଜନ କରୁଥିବା ଧନ ଆଜି ଅଛି, କାଲିକୁ ନ ଥାଇପାରେ । ଅଯଥା ବସ୍ତୁବାଦର ମୋହରେ ଘାଣ୍ଟି ନ ହୋଇ ନିଜର ଯେତିକି ଆବଶ୍ୟକତା, ସେତିକି ପୂରଣ କରି ସ୍ୱଚ୍ଛରେ ସନ୍ତୁଷ୍ଟ ହୋଇ ସରଳ ନିରାଡ଼ମ୍ବର ଜୀବନଯାପନ କଲେ ଆମେ ଭଲରେ ତଥା ଶାନ୍ତିରେ ରହିପାରିବା । ସରଳ ଜୀବନଯାପନରେ ହିଁ ଆମେ ମାନସିକ ଶାନ୍ତି ପାଇପାରିବା, ଯାହା ଆମ ପାଇଁ ନିହାତି ଆବଶ୍ୟକ । ଆମେ ନିଜର ସର୍ବନିମ୍ନ ଅଭାବ ପୂରଣ କରି ସତ, ସରଳ ତଥା ଆଡ଼ମ୍ବରବିହୀନ ଜୀବନଯାପନ କଲେ ସମସ୍ତଙ୍କର ସବୁ ଅଭାବ ପୂରଣ ହେବା ସହିତ ଜୀବନ ଆନନ୍ଦମୟ ହେବ । ଜୀବନକୁ ନିତ୍ୟାନନ୍ଦମୟ କରିଦିଅନ୍ତୁ । ସତ୍ୟରୁ ଆନନ୍ଦ ଲାଭ କରନ୍ତୁ । ତପଃରୁ ଆନନ୍ଦ ଲାଭ କରନ୍ତୁ । ପ୍ରତ୍ୟେକଟି ଦିନକୁ ଜୀବନର ଅନ୍ତିମ ଦିବସ ବୋଲି ଗ୍ରହଣ କରି ଦିନର ପ୍ରତିଟି ମୁହୂର୍ତ୍ତର ପ୍ରାର୍ଥନା, ଧ୍ୟାନ ଓ ସେବାରେ ନିୟୋଜିତ କରନ୍ତୁ । ଆପଣଙ୍କ ଜୀବନ ଭଗବତ୍ ପଦାରବିନ୍ଦରେ ଏକ ନିୟତ ଉତ୍ସର୍ଗରେ ପରିଣତ ହୋଇଯାଉ । ଏହି ଆଲେଖ୍ୟ ସମୟରେ ମନେପଡ଼ୁଛି ବ୍ୟାସକବି ଫକୀରମୋହନଙ୍କ ସେହି କାଳଜୟୀ ଧାଡ଼ି "ଜୀବନର ରଙ୍ଗାଳୟେ କେତେ ଅଭିନୟ, ଘଟେ ନିତ୍ୟ ନବ ନବ ପାଏଁ ପରିଚୟ । ଉଲ୍ଲାସ, ବିଳାସ ସୁଖ ବିବିଧ ପ୍ରକାର, ବିଳାପ ସନ୍ତାପ କେଉଁ ଦିନ ହା ହା କାର ।'
ମୋ : ୭୩୨୫୯୦୪୯୨୭