କାର୍ତ୍ତିକରେ କାର୍ତ୍ତିକେୟ ଓ ଧର୍ମ ପଞ୍ଚକ  

ଡକ୍ଟର ଲକ୍ଷ୍ମଣ ସାହୁ : ଶାଶାସ୍ତ୍ର ଅନୁଯାୟୀ ଗୋଟିଏ ଉକ୍ତିରେ କୁହାଯାଇଛି ଯେ ସତ୍ୟ ଯୁଗ ଭଳି ଯୁଗ ନାହିଁ, ବେଦ ଭଳି ଶାସ୍ତ୍ର ନାହିଁ, ତୁଳସୀ ଭଳି ପବିତ୍ର ନାହିଁ ଓ କାର୍ତ୍ତିକ ମାସ ଭଳି ମାସ ନାହିଁ । ବର୍ଷର ସବୁ ମାସ ଅପେକ୍ଷା ଏହି ମାସ ସବୁଠାରୁ ପବିତ୍ର ଓ ପୁଣ୍ୟ ମାସ । ତେଣୁ ଏହାକୁ ଧର୍ମର ମାସ କୁହାଯାଏ ।

     କୁହାଯାଏ ଶିବପୁତ୍ର କାର୍ତ୍ତିକେୟଙ୍କ ଗୁଣ କୀର୍ତ୍ତି ସମ୍ପୂର୍ଣ୍ଣ ଅଲଗା ବୋଲି ତାଙ୍କ ନାମ ଅନୁସାରେ କାର୍ତ୍ତିକ ମାସର ପ୍ରଚଳନ ଅଛି । କାରଣ ଶିବ ପାର୍ବତୀଙ୍କ ଔରସରୁ ଜାତ ପୁତ୍ର ହିଁ ତାରକାସୁରକୁ ନିଧନ କରିବା ପୂର୍ବ ନିର୍ଦ୍ଧାରିତ । ଶିବ ପାର୍ବତୀଙ୍କ ବିବାହ ଓ ଶୃଙ୍ଗାର ସମୟରେ ସେଠାରେ ବିଷ୍ଣୁ ପହଞ୍ଚିବା ଯୋଗୁଁ ମା’ ପାର୍ବତୀ ଅତ୍ୟନ୍ତ ଲଜ୍ଜିତ ହୋଇଥିଲେ । ତେଣୁ ସେ ବିଷ୍ଣୁଙ୍କୁ ଅଶ୍ୱତ୍‌ଥ ବୃକ୍ଷ ଓ ଶିବଙ୍କୁ ବଟବୃକ୍ଷ ହୁଅ ବୋଲି ଅଭିଶାପ ଦେଲେ । ଏଣେ ଶିବଙ୍କର ରେତ ସ୍ଖଳନ ହେବା କ୍ଷଣି ଗଙ୍ଗାନଦୀ ତାକୁ ବହନ କରିନେବା ସମୟରେ କୃତ୍ତିକାଦି ଷଢ଼ ଦେବକନ୍ୟା ଗଙ୍ଗାରେ ସେହି ସମୟରେ ସ୍ନାନ କରୁଥିଲେ । ଫଳରେ ସେମାନଙ୍କ ମୁଖରେ ରେତ ସ୍ଥାପନ ହେବାରୁ ସେମାନେ ଅନ୍ତସତ୍ତ୍ୱା ହେଲେ । ସେମାନଙ୍କ ଠାରୁ ଷଡ ମୁଖଧାରୀ କାର୍ତ୍ତିକେୟଙ୍କର ଜନ୍ମ ଶିବପାର୍ବତୀଙ୍କ ଅଗୋଚରରେ ସ୍ୱର୍ଗରେ ହେଲା । ସେ ବଡ଼ ହୋଇ ସ୍ୱର୍ଗରେ ଦେବତାଙ୍କ ସେନାପତି ହୋଇ ବ୍ରହ୍ମଚାରୀ ଜୀବନ କଟାଇଥିଲେ । ମୟୁର ଆଜନ୍ମ ମଧ୍ୟ ବ୍ରହ୍ମଚାରୀ । ତେଣୁ ତାଙ୍କର ବାହନ ହୋଇ ତାରକାସୁରକୁ ହତ୍ୟା କରିଥିଲେ ।  

      କାର୍ତ୍ତିକ ମାହାତ୍ମ୍ୟ ଅନୁସାରେ ତିନି ପତ୍ନୀ ଥିବା ଦେବଦତ୍ତ ନାମକ ଜଣେ କର୍ତ୍ତବ୍ୟ ଓ ଧର୍ମନିଷ୍ଠ ବ୍ରାହ୍ମଣ କାବ୍ୟକୁବ୍‌ଜରେ ଜନ୍ମଗ୍ରହଣ କରିଥିଲେ । ପ୍ରତ୍ୟେକ ବର୍ଷ କାର୍ତ୍ତିକ ବ୍ରତ ନିଷ୍ଠାର ସହ ପାଳନ କରୁଥିଲେ । ଥରେ ସେ ସକାଳୁ ଗଙ୍ଗାରେ ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଗଡୁରେ ଥିବା ତୁଳସୀ ଜଳକୁ ନେଇ ଅଶ୍ୱତ୍‌ଥ ବୃକ୍ଷ ମୂଳରେ ଢ଼ାଳି କିଛି ଜଳ ସେଥିରୁ ସେ ବୃକ୍ଷ ଉପରେ ସିଞ୍ଚି ଦେବାବେଳେ ଗୋଟିଏ ପିଶାଚିନୀ ମୁକ୍ତି ପାଇ ସୁନ୍ଦର ଯୁବତୀ ରୂପରେ ତାଙ୍କ ସମ୍ମୁଖରେ ଉଭା ହୋଇ ପ୍ରଣାମ ଜଣାଇ କହିଲା, ‘ହେ ବ୍ରାହ୍ମଣ ଦେବତା ଆପଣ ମୋତେ ଜୀବଦାନ ଦେଇ ମୋର ପିତା ହେଲେ’ । ଦେବଦତ୍ତ ଚକିତ ହେବା ସହ ତାଙ୍କ ପିତୃ ହୃଦୟ କରୁଣାରେ ତରଳି ଗଲା । ସେ ନିଜର ସଞ୍ଚିତ ପୁଣ୍ୟରୁ ଅଧା ସେ ଯୁବତୀକୁ ଦାନକଲେ । ଫଳରେ ସେହି ଯୁବତୀର ମୁଖ ମଣ୍ଡଳରୁ ଅଧିକ ଜ୍ୟୋତି ନିର୍ଗତ ହେଲା । ତାହା ଦେଖିବା ପରେ ସେ ତାଙ୍କର କାର୍ତ୍ତିକ ବ୍ରତ ଉଦ୍‌ଯାପିତ କଲେ ।        
   ସେହି ସମୟରେ ଦେବଦତ୍ତ ଦେଖିଲେ, ସ୍ୱର୍ଗରୁ ଗୋଟିଏ ଦେବଯାନ ବିମାନ ଅବତରଣ କଲା । ସେ ଦାନ କରିଥିବା କାର୍ତ୍ତିକ ବ୍ରତରୁ ଅଧେ ପୁଣ୍ୟ ବଳରେ ପିଶାଚିନୀ ମୋକ୍ଷ ପ୍ରାପ୍ତ ହୋଇ ବୈକୁଣ୍ଠଗାମୀ ହେବା ପୂର୍ବରୁ ପ୍ରଣାମ ଜଣାଇ ବିଦାୟ ଦେବାକୁ ଅନୁରୋଧ କଲେ । କାରଣ ଯାହା ଜନ୍ମ ଜନ୍ମ ଧରି ସମ୍ଭବ ହୋଇପାରି ନଥିଲା ତାହା  କାର୍ତ୍ତିକ ବ୍ରତ ପୁଣ୍ୟର ଅଧେ ଦାନ ଦ୍ୱାରା ସମ୍ଭବ ହୋଇଥିଲା । ହେ ତ୍ରିପତ୍ନୀଙ୍କର ସ୍ୱାମୀ, ଆପଣଙ୍କ ଏ ପୁଣ୍ୟ ବଳରେ ତ୍ରେତୟା ଯୁଗରେ ଆପଣ ରାଜା ଦଶରଥ ହେବେ ଓ ଆପଣଙ୍କର ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ପରି ଚାରୋଟି ପୁତ୍ର ହେବେ । ସେଥିପାଇଁ କାର୍ତ୍ତିକ ମାସରେ ସୂର୍ଯ୍ୟ ପୂଜା, ତୁଳସୀ ବୃକ୍ଷ ପୂଜା ଓ ବାଲୁଙ୍କା ପୂଜା କରି ଶ୍ରୀ ଜଗନ୍ନାଥ ଦର୍ଶନ କଲେ ଅନେକ ଜନ୍ମର ପାପ ତାପ ବିନାଶ ସହ ପୁତ୍ର ଲାଭ ହୋଇଥାଏ ବୋଲି ବିଦିତ ଅଛି । ଅପର ପକ୍ଷରେ କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି । ଏପରିକି ପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହୁଥିବା ଯୋଗୁଁ ଏହାକୁ ‘ବକ ପଞ୍ଚକ' କୁହାଯାଏ ।

     ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୁଅନ୍ତି ଓ ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନହୋଇ ବର ଦେଇଥାନ୍ତି । ଏହି ପବିତ୍ର ଧର୍ମ ମାସରେ ଭାଗବତ ଓ ଗୀତା ପାଠ କରିବା ବିଧେୟ ଓ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠକରି ମଧ୍ୟ ମାନବ ଜୀବନ୍ମୁକ୍ତ ହେବା କଥା ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି । ଏହି ପାଞ୍ଚ ଦିବସକୁ ଭୀଷ୍ମ ପଞ୍ଚକ କହିବାର ପୌରାଣିକ ରହସ୍ୟ ହେଉଛି – ମହାଭାରତରେ ଶର ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ଭୀଷ୍ମ ଜଳର ଇଚ୍ଛା କରିବାରୁ ଅର୍ଜୁନ ବାଣଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ । ଯଦ୍ୱାରା ତାଙ୍କର ତନ, ମନ, ପ୍ରାଣ ସନ୍ତୁଷ୍ଟ ହେଲା । ସେହି ଦିନ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ଭୀଷ୍ମଙ୍କୁ ଜଳ ଅର୍ଘଦାନ କରିନ୍ତି , ସେଥିରେ ପକ୍ଷାନ୍ତରେ ବାସୁଦେବ ସନ୍ତୁଷ୍ଟ  ହୁଅନ୍ତି । କାରଣ ବାସୁଦେବ ଭୀଷ୍ମଙ୍କୁ ବଚନ ଦେଇଥିଲେ । ସେହି ଦୃଷ୍ଟିରୁ  ଭୀଷ୍ମପଞ୍ଚକ- ପ୍ରତିବର୍ଷ ପାଳିତ ହୋଇଆସୁଛି । ବ୍ରତଧାରୀ ସବ୍ୟ ହୋଇ ମହାତ୍ମା ଭୀଷ୍ମଙ୍କ ପାଇଁ ତର୍ପଣ କରିଥାନ୍ତି । ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି । ସେହିଭଳି ପଞ୍ଚଗବ୍ୟ, ସୁଗନ୍ଧଚନ୍ଦନ, କୁଙ୍କୁମ ଦ୍ୱାରା ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜନ କରାଯାଏ ଓ ଅଷ୍ଟାକ୍ଷର ମନ୍ତ୍ର “ଓଁ ନମୋ ବାସୁଦେବାୟ ” ବା ଷଡାକ୍ଷର ମନ୍ତ୍ର “ ଓଁ ରାମାୟନମଃ, ” ଶହେ ଆଠବାର ଜପ କରିବା ଅଛି ଓ ବ୍ରତକାଳରେ ବ୍ରାହ୍ମଚର୍ଯ୍ୟ ପାଳନ କରିବା ଓ କାର୍ତ୍ତିକ ପୌଷମାସୀରେ ବ୍ରାହ୍ମଣଙ୍କୁ ନ୍ୟୁନ ପକ୍ଷେ ପାଞ୍ଚ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେଇ ବ୍ରତ ଉଦ୍‌ ଯାପନ କରିବା ଶାସ୍ତ୍ର ସମ୍ମତ । ଏହି ପଞ୍ଚକରେ ପାଞ୍ଚଦିନ ଯାକ ତାତ୍ପର୍ଯ୍ୟପୂର୍ଣ୍ଣ । ପଞ୍ଚକର ପ୍ରଥମଦିନ ହେଉଛି ବଡ ଏକାଦଶୀ ଓ ଆଷାଢ ଶୁକ୍ଳପକ୍ଷ, ଏକାଦଶୀ ତିଥିରେ ଭଗବାନବିଷ୍ଣୁ ଶଙ୍ଖାସୁରକୁ ବଧ କରିଥିଲେ ଓ ସେହିଦିନ ଠାରୁ ଚାରିମାସ କାଳ ଭଗବାନ କ୍ଷୀରସାଗରରେ ବିଶ୍ରାମ ନିଅନ୍ତି ଓ ଚାର୍ତୁମ୍ୟାସ୍ୟା ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଜାଗ୍ରତ ହୁଅନ୍ତି । ତେଣୁ ବୈଷ୍ଣବମାନେ ସ୍ମରଣ କରନ୍ତି ଯେ - “ଉତ୍ତିଷ୍ଠତ୍ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡଧ୍ୱଜ / ଉତ୍ତିଷ୍ଠ କମଳାକାନ୍ତ ତୈଲୋକ୍ୟ ମଙ୍ଗଳଂ କୁରୁ” ।

      ଏଭଳି ମନ୍ତ୍ରୋଚାରଣ କରି ବିଷ୍ଣୁ ଭଗବାନଙ୍କୁ ଜାଗ୍ରତ କରାଇଥାନ୍ତି ଓ ପିତାମହ ବ୍ରହ୍ମା ଦେବର୍ଷି ନାରଦଙ୍କୁ କହିଛନ୍ତି- “ ଏହି ଏକାଦଶୀକୁ ପ୍ରବୋଧିନୀ ଏକାଦଶୀ କୁହାଯାଏ ଓ ଏହି ଏକାଦଶୀରେ ଉପବାସ ରହିବା ହଜାରେ ଅଶ୍ୱମେଧ ତଥା ଶହେ ରାଜସୂୟ ଯଜ୍ଞର ଫଳ ଦିଏ ଓ ପଞ୍ଚକର ଦ୍ୱିତୀୟଦିନ ହେଉଛି ଦ୍ୱାଦଶୀ ଓ ଏହିଦିନ ଉତ୍ତମ, ବୁଦ୍ଧିମାନ ମନୁଷ୍ୟ ବୃଦ୍ଧ ପିତାମାତାଙ୍କୁ ବିଧିପୂର୍ବକ ଭୋଜନ କରାଇ ନିଜ ପତ୍ନୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି ଓ ସେମାନେ ଉତ୍ତମ ସୁଖ ଉପଭୋଗ କରି ଶେଷରେ ମୋକ୍ଷପ୍ରାପ୍ତ ହୋଇଥାନ୍ତି । ଏହିମାସରେ ଆମିଷ ଛାଡ଼ିବାର ଧର୍ମ ସମ୍ମତ କାରଣ ଅଛି ଓ ବିଜ୍ଞାନ ଦୃଷ୍ଟିରୁ ଏହିମାସରେ ମାଛମାନଙ୍କୁ ବିଭିନ୍ନ ରୋଗ ହୋଇଥାଏ । ତେଣୁ ଏହା କେବଳ କୌଣସି ଧର୍ମ ଧାରଣା, ଅନ୍ଧବିଶ୍ୱାସ ନୁହେଁ- ବିଜ୍ଞାନ, ଆଧ୍ୟାତ୍ମିକତା ଆଧାରିତ ଓ ପ୍ରାତଃସ୍ନାନ ଶରୀର ପକ୍ଷରେ ହିତକର ହୋଇଥିବାରୁ ବିଧବାମାନେ ରାଇଦାମୋଦର ବ୍ରତ ପାଳନ କରନ୍ତି । କିଛି ନ ହେଲେ ଏହି ମହାପଞ୍ଚକ ପାଞ୍ଚଦିନ ବ୍ରତ ପାଳନ କରନ୍ତି ଓ ଏହି ବ୍ରତ ପରି ପୁଣ୍ୟବ୍ରତ ଆଉକିଛି ନାହିଁ ଓ ତେଣୁ କୁହାଯାଇଛି, ଯିଏ ଏହି ମହାପଞ୍ଚକ ବ୍ରତ କରନ୍ତି, ସେ ଧନ୍ୟ ଓ ପୂଜନୀୟ ଓ ଯେଉଁମାନେ ଏହି ଧର୍ମମାସରେ ତୁଳସୀବୃକ୍ଷ ମୂଳରେ, ରାଧା ଓ ଶ୍ରୀକୃଷ୍ଣ, ରାଇ-ଦାମୋଦର ମୂର୍ତ୍ତି ରଖି ନିଷ୍କାମ ଭକ୍ତିରେ ପୂଜାକରନ୍ତି, ସେମାନଙ୍କୁ ଜୀବନ୍ମୁକ୍ତ ହୁଅନ୍ତି । ଯେଉଁମାନେ ରାତି ଦି’ ଘଡ଼ି ଥିବ ଜଳାଶୟକୁ ତୁଳସୀମୂଳର ମୃତ୍ତିକା ଲଗାଇ, ବସ୍ତ୍ର ଓ କଳସ ନେଇ ଜଳାଶୟକୁ ଯାଇ ଗଙ୍ଗାଆଦି ନଦୀ ତଥା ବିଷ୍ଣୁ ଶିବ ଆଦି ଦେବତାଙ୍କ ନାମ ସ୍ମରଣ ପୂର୍ବକ ନାଭି ପର୍ଯ୍ୟନ୍ତ ଜଳରେ ଠିଆ ହୋଇ ମନ୍ତ୍ର ପାଠ କରନ୍ତି ଯଥା-


“ କାର୍ତ୍ତିକେଦ୍ଧହଂ କରିଷ୍ୟାମି ପ୍ରାତଃ ସ୍ନାନଂ ଜନାର୍ଦ୍ଦନ
ପ୍ରୀତ୍ୟର୍ଥଂ ତବ ଦେବେଶ ଦାମୋଦର ମୟା ସହ ଓ”
 ଅଥାର୍ଥ ହେ ଜନାର୍ଦ୍ଦନ , ଦେବେଶ୍ୱର ଦାମୋଦର ! ଲକ୍ଷ୍ମୀ ସହିତ ଆପଣଙ୍କ ପ୍ରସନ୍ନତା ପାଇଁ ମୁଁ କାର୍ତ୍ତିକ ସ୍ନାନ କରୁଛି ଓ ଅର୍ଘ୍ୟ ପ୍ରଦାନ ପୂର୍ବକ ଉଚ୍ଚ଼ାରଣ କରନ୍ତି-
“ ଗୃହାଣାର୍ଘ୍ୟଂ ମୟାଦତ୍ତଂ ରାଧୟା ସହିତ ହରେ
ନମଃ କମଳନାଭାୟ ନମସ୍ତେ ଜଳଶାୟିନେ
ନମସ୍ତେଦ୍ଧସ୍ତୁ ହୃଷିକେଶ ଗୃହାଣାର୍ଘ୍ୟଂ ନମୋଦ୍ଧସ୍ତୁତେ ଓ”

    ହେ ଭଗବାନ ! ଆପଣ ଶ୍ରୀରାଧାଙ୍କ ସହିତ ମୋର ପ୍ରଦତ୍ତ ଏହି ଅର୍ଘ୍ୟକୁ ସ୍ୱୀକାର କରନ୍ତୁ ଓ ହରେ କମଳା ନାଭ ! ଆପଣଙ୍କୁ କୋଟି ନମସ୍କାର ଓ ଜଳଶାୟୀ ନାରାୟଣ ! ଆପଣଙ୍କୁ ନମସ୍କାର ଓ ହୃଷୀକେଶ ଏହି ଅର୍ଘ୍ୟ ଗ୍ରହଣ କରନ୍ତୁ । ପ୍ରେତପୁରୁଷ ଓ ପିତୃପୁରୁଷଙ୍କୁ ପଥ ପ୍ରଦର୍ଶନ ତଥା ସେମାନଙ୍କ ଅନ୍ଧକାରାଛନ୍ନ ଦୁର୍ଗମପଥକୁ ଉଜ୍ଜଳ କରିବା ସକାଶେ ପ୍ରତ୍ୟେକ ଗ୍ରାମରେ ଆକାଶଦୀପ କରାଯାଏ ଓ ଏହି ଧର୍ମମାସର ପ୍ରତ୍ୟେକ ଦିନ ପର୍ବର ଦିନ । ଏକଦା ଦଣ୍ଡକାରଣ୍ୟରେ ଋଷିମୁନିମାନେ ରାମରୂପ ଦର୍ଶନରେ ପ୍ରଲୁବ୍ଧ ହୋଇଥିଲେ ଓ ଭଗବାନ ରାମ ବର ପ୍ରଦାନ କରିଥିଲେ- ଦ୍ୱାପର ଯୁଗରେ ତମେ ସବୁ ଗୋପୀ ହୋଇ ମୋତେ କୃଷ୍ଣ ରୂପରେ ପ୍ରାପ୍ତ ହେବ ।

     କୃଷ୍ଣପ୍ରାପ୍ତି ଆଶାରେ ଗୋପୀମାନେ କାର୍ତ୍ତିକ ମାସ ସାରା ପ୍ରତ୍ୟୁଷରୁ ପୁଷ୍କରିଣୀରେ ସ୍ନାନ କରି ନଦୀ, ସମୁଦ୍ର, ପୁଷ୍କରଣୀ, ଝରଣା ତଟରେ ବାଲିରେ କୃଷ୍ଣମୂର୍ତ୍ତି ସ୍ଥାପନ କରି ଭକ୍ତି ସହକାରେ ପୁଷ୍ପଚନ୍ଦନ ହୁଳହୁଳି ଦାନପୂର୍ବକ, କୃଷ୍ଣ ତୁଲ୍ୟ ପତି ପ୍ରାପ୍ତ୍ୟର୍ଥେ କାର୍ତ୍ତିକ ବ୍ରତ ପାଳନ କରୁଥିଲେ ଓ ଅଦ୍ୟାବଧି ସେହି ପରମ୍ପରା ଅନୁସୃତ ହୋଇଆସୁଛି । ପୁରାଣ ଅନୁଯାୟୀ ବୀର ଯୋଦ୍ଧା କାର୍ତ୍ତିକ ବ୍ରହ୍ମାଙ୍କ ବର ମହେତେଜସ୍ୱୀ ତାରକାସୁରାଙ୍କୁ ହତ୍ୟା କରିବା ପାଇଁ ଜନ୍ମ ହୋଇଥିଲେ । କାରଣ ଦେବତାମାନେ ତାରକାସୁରାକୁ ହତ୍ୟା କରିବା ଅସମ୍ଭବ ହୋଇପଡିଥିଲା । ଏହି ତାରକାସୁରକୁ କାର୍ତ୍ତିକ ବଧ କରି ଦେବକୁଳରେ ସେନାପତି ହୋଇଥିଲେ । କାର୍ତ୍ତିକଙ୍କୁ ଏକାଧିକ ନାମ ଦ୍ୱାରା ବିଭିନ୍ନ ପୁରାଣ ଓ ଭାଷା ସାହିତ୍ୟରେ ସମ୍ବୋଧିତ କରାଯାଏ । ବିଶ୍ୱାସ ଅଛି କାର୍ତ୍ତିକେୟଙ୍କ କୃପା ଲାଭ କରେ ସନ୍ତାନ ପ୍ରାପ୍ତି ହୁଏ । କାର୍ତ୍ତିକେୟ ଦେବତା ମାନଙ୍କ ମଧ୍ୟରେ ଯୁଦ୍ଧ ଦେବତା । ସେ ବୈଦିକ ଦେବତା ନୁହଁନ୍ତି ବରଂ ପୌରାଣିକ ଦେବତା । ପ୍ରାଚୀନ ଭାରତରେ ସବୁ ସ୍ଥାନରେ କାର୍ତ୍ତିକେୟଙ୍କ ପୂଜା କରାଯାଉଥିଲା । ପୁରାଣ ଅନୁଯାୟୀ କାର୍ତ୍ତିକଙ୍କର ହଳଦି ବର୍ଣ୍ଣର ଛଟି ମୁଣ୍ଡ ଅଛି, ତେଣୁ ତାଙ୍କର ଅନ୍ୟ ନାମ ‘ଷଢାନନ୍‌' । ସେ ଯୁଦ୍ଧର ଦେବତା ଭାବରେ ନିଜ ଲକ୍ଷ୍ୟରେ ସ୍ଥିର ଅଟନ୍ତି । ପାଞ୍ଚ ଇନ୍ଦ୍ରିୟ ବ୍ୟତୀତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଓ ଚର୍ମ, ସେ ଏକାଗ୍ର ଚିତ୍ତରେ ଲଢନ୍ତି । ତାଙ୍କ ହାତରେ ‘ବ୍‌ର୍ଛା-ତୀର- ଧନୁ' ଶୋଭା ପାଇଥାଏ । କେତେକଙ୍କ ମତାନୁଯାୟୀ ମାନବ ଜୀବନ ଷଢରିପୁ ଦ୍ୱାରା କବଳିତ । ‘କାମ' ବା ଇଛା, ‘କ୍ରୋଧ ବା ରାଗ,'  ‘ଲୋଭ ବା ଲାଳସା,' ମଦ ବା ଅହଂକାର (ଇଗୋ),'  ‘ମୋହ'ବା ଆବେଗ,' ମତ୍ସ୍ୟ 'କିମ୍ବା  ଈର୍ଷାକୁ ସଂହାର କରି ସେନାପତି କାର୍ତ୍ତିକଙ୍କ ଭଳି କର୍ମମୟ ଯୁଦ୍ଧକ୍ଷେତ୍ରରେ ସର୍ବଦା ସଜାଗ ରୁହ । ଏହି ‘ଷଢରିପୁ' ମାନବ ଜୀବନର ଅଗ୍ରଗତି ପାଇଁ ଏକ ପ୍ରତିବନ୍ଧକ, ତେଣୁ ଯଦି ଜୀବନର ଯୁଦ୍ଧରେ ଜିତିବାକୁ ଚାହାଁନ୍ତି, ତେବେ କାର୍ତ୍ତିକେୟଙ୍କ ପରି ସତର୍କ ଓ ସଚେତନ ହେବାକୁ ପଡିବ । କାର୍ତ୍ତିକ ଜଣେ ବୈଦିକ ଦେବତା ନୁହଁନ୍ତି, କାର୍ତ୍ତିକ ଜଣେ ପୁରାଣ ଦେବତା । କାର୍ତ୍ତିକେୟ  ଉତ୍ତର ଭାରତ ଅପେକ୍ଷା ଦକ୍ଷିଣ ଭାରତରେ ଅଧିକ ଲୋକପ୍ରିୟ । ତାମିଲ ଭକ୍ତମାନଙ୍କ ପାଇଁ କାର୍ତ୍ତିକେୟଙ୍କ ରୂପ ହେଉଛି ‘ମୁରୁଗାନ୍‌' । କାର୍ତ୍ତିକ ପୂଜା ମଧ୍ୟ ବେଙ୍ଗଲରେ ଲୋକପ୍ରିୟ । କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଶୁଭ ଦିନ ଆରମ୍ଭ ହୁଏ ଏକାଦଶୀ ଓ ପୂର୍ଣ୍ଣିମା କାର୍ତ୍ତିକ ମାସର ପଞ୍ଚଦଶ ଦିନ ‘ପ୍ରବୋଧିନି ଏକାଦଶୀ'ରୁ ଆରମ୍ଭ ହୁଏ ।   କାର୍ତ୍ତିକେୟ ଅର୍ଥ ବୀରତ୍ୱର ପ୍ରତୀକ । 

    କାର୍ତ୍ତିକେୟଙ୍କ ବାହନ ମୟୂର ହେଉଛି ଭାରତର ଜାତୀୟ ପକ୍ଷୀ । ଏହି ପକ୍ଷୀ ସବୁଠାରୁ ବେଗମାନ କର୍ମତତ୍ପର ଓ ସୁନ୍ଦର । ସୈନିକର ବିଭିନ୍ନ ଗୁଣ ମୟୂର ବହନ କରିବାରେ ସାହାଯ୍ୟ କରେ । ମୟୂର ବହୁତ କମ୍‌ ନିଦ୍ରା ଯାଏ, ସର୍ବଦା ସତର୍କ, ଅଳସୁଆ ନୁହେଁ । ଚଳ ଚଞ୍ଚଳ ମୟୁର ଠାରେ ସମ୍ପର୍କୀୟ ସ୍ୱଜନ ପ୍ରୀତି ଲକ୍ଷଣୀୟ , ଆଖିଦୃଶିଆ ଆକର୍ଷଣୀୟ ଠାଣି । ସେଭଳି ଯୋଦ୍ଧା ସୈନିକ ପୁରୁଷମାନେ ଶକ୍ତିଶାଳୀ, ଦକ୍ଷ ଓ ମୟୂର ପରି ଲୋକପ୍ରିୟ ହେବା ଦର୍ଶାଇଥାଏ । ଏହି ଧାରଣାରୁ କାର୍ତ୍ତିକଙ୍କର ମୟୂର ବାହନ । ବାସ୍ତବରେ କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ । ତେଣୁ ଏହି ମାସରେ ଭଗବାନ କାର୍ତ୍ତିକ ଓ ବିଷ୍ଣୁଙ୍କୁ ପୂଜା କରିବା ଉଚିତ୍‌ । ଏହାଦ୍ୱାରା କାର୍ତ୍ତିକ ମାସର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ ..!!! 

ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ -୪
ଦୂରଭାଷ : ୯୦୪୦୧୫୧୪୭୫