ଜେଏସ୍ଡବ୍ଲୁ୍ୟ ସିମେଣ୍ଟ କାରଖାନା ଦଖଲରେ କମନ କରିଡର

 ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକାଧିକ କାରଖାନା ସରକାରୀ ଜାଗାକୁ ଜବରଦଖଲ କରିରଖିଛନ୍ତି । ସର୍ବସାଧାରଣଙ୍କ ଗମନାଗମନ ପାଇଁ ଉଦ୍ଧିଷ୍ଟ ରାସ୍ତାକୁ ବି ଶିଳ୍ପସଂସ୍ଥା ଛାଡୁ ନାହାନ୍ତି । ଏହା ଜଳ ଜଳ ହେଉ ଦେଖାଯାଉଥିଲେ ହେଁ ପ୍ରଶାସନ କି ଜମିଜମା କାରବାର କରୁଥିବା ଇଡ଼କୋକୁ କିନ୍ତୁ ଦେଖା ନଯିବା ଘଟଣା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜେଏସଡବ୍ଲୁ୍ୟ ସିମେଣ୍ଟ କାରଖାନା ମଧ୍ୟ ସରକାରୀ ଜମି କରାୟତ କରିବାକୁ ପଛଘୁଞ୍ଚା ଦେଇନି । ୧୮.୮ ଏକର ଜମିରେ କାରଖାନା ସ୍ଥାପନ କରିଥିବା ଜେଏସଡବ୍ଲୁ୍ୟ ବେଆଇନ ଭାବରେ ଇଡକୋ ତଥା ସରକାରୀ ଜାଗାକୁ ଜବରଦଖଲ କରି ନିଜର ବହୁ ପ୍ରକଳ୍ପ କରୁଥିବା ଦେଖିବାକୁ ମିଳିଛି । ବେଆଇନ କାର୍ଯ୍ୟକୁ ପରୋକ୍ଷରେ ଇଡକୋର କିଛି କର୍ମଚାରୀସହଯୋଗ କରୁଥିବା କଥା ଆଲୋଚନା ହେଉଛି । ୩୦୦ ମିଟର କମନ କରିଡର ରାସ୍ତା ପାଇଁ ଥିବା ସରକାରୀ ଜାଗାକୁ ଜେଏସଡବ୍ଲୁ୍ୟ ସିମେଣ୍ଟ କାରଖାନା ନିଜ ଗାଡିଗୁଡିକ ସଫା କରିବା ପାଇଁ ହୁଇଲି ୱାସିଙ୍ଗି ସିଷ୍ଟମ ନିର୍ମାଣ କାର୍ଯ୍ୟ କରିବା ସହିତ ନିଜର କାରଖାନା ସମ୍ମୁଖରେ ଗାଡି ପାର୍କିଂସ୍ଥଳ ନିର୍ମାଣ କରି ସ୍ଥାୟୀ ଭାବରେ କ୍ୟାଣ୍ଟିନ କରି ସମ୍ପୁର୍ଣ୍ଣ ଭାବେ ସରକାରୀ ଜାଗାକୁ ଜବରଦଖଲ କରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଥିବା କଚେରି ଗାଁ ନାଳକୁ ମଧ୍ୟ ଧିରେ ଧିରେ କାରଖାନାରୁ ବାହାରୁଥିବା ବର୍ଯ୍ୟ ବସ୍ତୁ ପକାଇ ଜଳସ୍ରୋତକୁ ପରିବର୍ତନ କରିବାପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏହି ସବୁ ଘଟଣାକୁ ଯଦି କୈାଣସି ବ୍ୟକ୍ତି ଏହି ବିଷୟରେ ସଂପୃକ୍ତ ସଂସ୍ଥାକୁ କିଛି ପଚାରିବା ପାଇଁ ଚେଷ୍ଟା କରୁଛି, ତେବେ କାରଖାନାର କିଛି କର୍ମଚାରୀ ଅପମାନ ଜନକ କଥା କହିବା ନାଲିଆଖି ଦେଖାଇବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଠାରୁ ୧୮.୮ ଏକର ପରିମିତ ଜମି ପ୍ରଦାନ କରିବା ସମୟରେ ଯେଉଁ ସବୁ ନିୟମ ପାଳନ କରିବା ପାଇଁ କାରଖାନା ପ୍ରତିଶ୍ରୁତି ଦେଇଥିଲା ତାହାକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଜେଏସଡବ୍ଲ ୧.୨ ନିୟୁତ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସିମେଣ୍ଟ କାରଖାନା ସ୍ଥାପନ ସମୟରେ ପରିବେଶ ପ୍ରଦୂଷଣ କରିବନାହିଁ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଲିଖିତ ପ୍ରଦାନ କରିଛନ୍ତି । ମାତ୍ର  ଯାଜପୁର ଜିଲ୍ଲାରୁ କେହି କମ୍ପାନୀର ଅଧିକାରୀ ରୂପରେ ଦେଖିବାକୁ ମିଳୁନାହାଁନ୍ତି । ଅତଏବ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର କୌଣସି କଥାକୁ ଜେଏସଡବ୍ଲୁ ମାନୁ ନ ଥିବା ପରିଲକ୍ଷିତ ହୋଇଛି । ନୂତନ ସରକାର କଳିଙ୍ଗନଗରରେ ଥିବା ସାଧାରଣ ଲୋକଙ୍କ ଦୁଃଖକୁ ହୃଦବୋଧ କରି ସ୍ଥାନୀୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରାରୁ ଭାଙ୍ଗି ସାଧାରଣ ଲୋକଙ୍କ ଅସୁବିଧା ଦୁର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି ।