ବ୍ଲକ ଆକାଉଣ୍ଟଙ୍କ ନାମରେ ଲାଞ୍ଚ ଅଭିଯୋଗ: ପ୍ରୋଭିଜନାଲ ପେନ୍ସନ୍ ପାଇଁ ୨୦ହଜାର

ବିଞ୍ଝାରପୁର : ବର୍ଷରେ ଥରେ ପାଳନ ହୁଏ ଦୁର୍ନୀତି ନିବାରଣ ସପ୍ତାହ । ସରକାରୀ ବାବୁ ମାନେ ହାତ ଟେକି ଦୁର୍ନୀତି ଓ ପିସିରୁ ଦୁରେଇ ରହିବା ପାଇଁ ନେଇଥାନ୍ତି ଶପଥ । ହେଲେ ବିନା ଦୁର୍ନୀତି ଓ ଲାଞ୍ଚରେ ଚାଲୁନି ସରକାରୀ ଅଧିକାରୀଙ୍କ କଲମ । ଏମିତି ଏକ ଘଟଣା ଯାହାକି ହାତଗୁଞ୍ଜା ନଦେବାରୁ ବାବୁ ଅଟକାଇଛନ୍ତି ଆଉ ଜଣଙ୍କର କାର୍ଯ୍ୟ । ଆଜିଥିଲା ବିଞ୍ଝାରପୁର ବ୍ଲକ୍ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି । ଶୁଣାଣି ଶିବିରରେ ବ୍ଲକ୍ ଆକାଉଣ୍ଟ ଅଫିସରଙ୍କ ନାମରେ ଆସିଥିଲା ଲାଞ୍ଚ ଅଭିଯୋଗ । ଅଭିଯୋଗ ଆଣିଥିଲେ ବ୍ଲକରେ କାର୍ଯ୍ୟକରି ଅବସର ନେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ବିନୋଦ ବିହାରୀ ନାୟକ । ନିଜର ଅବସର ପରେ ପେନ୍ସନ୍ ପାଇବା ବାବଦକୁ ବାକି ରହିଥିବା କାଗଜପତ୍ର ପାଇଁ ବ୍ଲକ୍ ଆକାଉଣ୍ଟ ଅଫିସରଙ୍କ ପାଖକୁ ବାରମ୍ବାର ଦୌଡି ଦୌଡି କିଛି ସୁଫଳ ହେଉନି । ନିଜର କାର୍ଯ୍ୟ ବିଳମ୍ବ ହେବା ନେଇ ବିନୋଦ ବିହାରୀ ନାୟକ ଆକାଉଣ୍ଟ ଅଫିସର କାଶୀନାଥ ମଲିକଙ୍କୁ ପଚାରିବାରୁ ୨୦ହଜାର ଟଙ୍କା ହାତ ଗୁଂଜା ନଦେଲେ କିଛି କାମ ହେଇ ପାରିବନି କହି ଫେରାଇ ଦେଇଥିଲେ । ଶ୍ରୀ ନାୟକଙ୍କ ପରେ ଅବସର ନେଇଥିବା ଅଧିକାରୀଙ୍କ ପେନସନ ପ୍ରୋଭିଜନାଲ କାଗଜ ପତ୍ର କାର୍ଯ୍ୟ ସରି ଯାଇଥିବା ବେଳେ କେବଳ ଆକାଉଂଟ ଅଫିସରଙ୍କ ୨୦ ହଜାର ହାତ ଗୁଞ୍ଜା ପାଇଁ ଅଧା ବାଟରେ ଅଟକିଛି କାର୍ଯ୍ୟ । ଯାହାକୁ ନେଇ ଶ୍ରୀ ନାୟକ ଆଜି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଆଣିଥିଲେ । ତେବେ ଘଟଣାର ତଦନ୍ତ ସହ ଓ ସତ୍ୟ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେଇଥିଲେ ଅତିରିକ୍ତ ଜିଲପାଳ । ଏସମ୍ପର୍କ ଆକାଉଂଟ ଅଫିସର କାଶୀନାଥ ମଲିକଙ୍କୁ ପଚାରିବାରୁ ମଉନେ ସମତି ଲକ୍ଷଣ କେବଳ ଉଁ....ମୁଁ କିଛି ଜାଣି ନି କହି ଚୁପ୍ ରହିଥିଲେ । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରୋଭିଜନାଲ ପେନସ କାଗଜ ପାଇଁ ଲାଞ୍ଚ ମାଗିବା ଘଟଣା ବ୍ଲକ କାର୍ଯ୍ୟାଳୟ କେତେ ଦୁର୍ନୀତିରେ ଉବୁଟୁବୁ ତାହା ଶୁଣାଣି ଶିବିରରେ ଚର୍ଚ୍ଚାର ବିଷୟ ପାଲଟିଛି । ତଦନ୍ତ ପରେ ଅଭିଯୋଗରେ ସତ୍ୟତା ଅଛି କି ନାହିଁ, ତାହାତ ଜଣାପଡିବ । କିନ୍ତୁ ଲାଞ୍ଚ ଅଭିଯୋଗ ପରେ ଗୋଟିଏ କଥା ଆଲୋଚନା ହେଉଛି ବିନାଲାଞ୍ଚରେ କଲମ ଚାଲେନି ।