ଟଙ୍କାର ସର୍ବକାଳୀନ ନିମ୍ନସ୍ତର

ସୌଭାଗ୍ୟ ରଂଜନ ମହାନ୍ତି : ଆମେରୀକୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇ ପୁଣି ଥରେ ୯୦ ସ୍ତରକୁ ହ୍ରାସ ପାଇଛି । ମାତ୍ର ସପ୍ତାହକ ମଧ୍ୟରେ ଏହା ଟଙ୍କାର ରେକର୍ଡ ଅବମୂଲ୍ୟାୟନ । ଗଲା ବୁଧବାର ଦିନ ପ୍ରଥମ ଥର ପାଇଁ ଭାରତୀୟ ଟଙ୍କାର ମୂଲ୍ୟରେ ୪୨ ପଇସା ହ୍ରାସ ପାଇ ଆମେରିକୀୟ ଡଲାରର ମୂଲ୍ୟ ୯୦.୩୦ ପଇସା ହୋଇଥିଲା । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗତ ୬ମାସ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରମୁଖ ନୀତିଗତ ସୁଧହାର ହ୍ରାସ କରିବା ପରେ ୧ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୯.୯୫ରେ ସ୍ଥିର ରହିଥିଲା । ଏହା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଥିବାବେଳେ ପୁଣି ଡଲାର ତୁଳନାରେ ଟଙ୍କା ୧୬ପଇସା ହ୍ରାସ ପାଇ ୯୦.୧୧ରେ ପହଁଚିବା ଟଙ୍କାର ମୂଲ୍ୟରେ ଅସ୍ଥିରତାର ସଂକେତ ପ୍ରଦାନ କରେ । ଉଲ୍ଲେଖଯୋଗ୍ୟ ଯେ ବର୍ଷକ ମଧ୍ୟରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ୬ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । କିନ୍ତୁ ଅନ୍ୟ ବୃହତ ମୁଦ୍ରା ତଥା ଇଂଲଣ୍ଡର ପାଉଣ୍ଡ ଏବଂ ୟୁରୋପୀୟ ସମୁଦାୟ ୟୁରୋପ ବିରୁଦ୍ଧରେ ଟଙ୍କାର ପରିସର ବ୍ୟାପକ ହୋଇଥିବା କୁହାଯାଏ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନିଶ୍ଚିତ ଭାବେ ଚିନ୍ତାଜନକ ଏବଂ କେତେକ କ୍ଷେତ୍ରରେ ଏହା ଉଦ୍‌ବେଗର କାରଣ ହୋଇଛି । 

  ବୈଦେଶିକ ପାଣ୍ଠିର ବର୍ହିଗମନ, ଅଶୋଧିତ ତୈଳର ମୂଲ୍ୟବୃଦ୍ଧି, ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଅନିଶ୍ଚିତତା, ବିଦେଶୀ ସଂସ୍ଥାଗତ ନିବେଶକ (ଏଫଆଇଆର) ମାନଙ୍କ ଦ୍ୱାରା କ୍ରମାଗତ ଇକ୍ୱିଟି ବିକ୍ରି ଟଙ୍କା ମୂଲ୍ୟ ହ୍ରାସ ଟଙ୍କାର ମୂଲ୍ୟ ହ୍ରାସର ପ୍ରମୁଖ କାରଣ ଥିବାବେଳେ ଆରବିଆଇର ମଧ୍ୟସ୍ଥତା ଅଭାବ ମଧ୍ୟ ଏଥିପାଇଁ ଦାୟୀ ବୋଲି ଅର୍ଥନୈତିକ ବିଶାରଦମାନେ ମତ ଦିଅନ୍ତି । ସେହିପରି କ୍ରମାଗତ ବାଣିଜ୍ୟ ନିଅଂଟିଆ ଟଙ୍କା ଉପରେ ଚାପ ସୃଷ୍ଟି କରିଚାଲିଛି । ଭାରତୀୟ ସାମଗ୍ରୀ ଉପରେ ଆମେରିକାର ରାଷ୍ଟ୍ରପତିଙ୍କ ୫୦ପ୍ରତିଶତ ଶୁଳ୍କ ଲାଗୁ ଯୋଗୁଁ ରତ୍ପାନି କାରବାର ୮.୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ମୋଟ ଉପରେ ଗତ ଅକ୍ଟୋବର ମାସରେ ଦେଶର ବାଣିଜ୍ୟକ ରତ୍ପାନି ୧୨ ପ୍ରତିଶତ ହ୍ରାସ ପାଇଥିଲା । ଅନ୍ୟପକ୍ଷରେ ଅକ୍ଟୋବରରେ ସୁନା ଆମଦାନି ୧୪.୭ ବିଲିଅନର ଡଲାରକୁ ବୃଦ୍ଧି ପାଇଥିଲା । ଅଥଚ ଗତବର୍ଷ ସୁନା ଆମଦାନି ମାତ୍ର ୪.୭ ବିଲିଅନ ଡଲାର ଥିଲା । ଭାରତର ବାଣିଜ୍ୟ ନିଅଂଟ ୪୧.୭ ବିଲିଅନ ଡଲାରକୁ ବୃଦ୍ଧି ପାଇଥିଲା । କହିବା ବାହୁଲ୍ୟ ଯେ, ଦେଶକୁ ବୈଦେଶିକ ପୁଞ୍ଜି ଆଗମନ ଚାପରେ ଥିବା ବେଳେ ବାଣିଜ୍ୟ ନିଅଂଟ ବ୍ୟାପକ ହେବାରେ ଲାଗିଛି ।

  ଚଳିତ ବର୍ଷ ଆରମ୍ଭରୁ ଦ୍ୱିତୀୟ ତ୍ରୟମାସିକରେ ମାର୍କେଟରୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ୧୭ ବିଲିଅନ ଡଲାରରେ ପହଁଚିଥିଲା । ସେହି ସମୟରେ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ମାତ୍ର ୨.୯ ବିଲିଅନ ଡଲାର ଥିଲା । ଆହୁରି ମଧ୍ୟ ଆରବିଆର ତଥ୍ୟ ଅନୁଯାୟୀ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର ୬.୪ ବିଲିଅନ ଡଲାର ହ୍ରାସ ପାଇଥିବାବେଳେ ଭାରତ ଆମେରିକା ବାଣିଜ୍ୟ ଚୁକ୍ତିରେ ଅନିଶ୍ଚିତତା ଯୋଗୁଁ ବଜାର ମନୋଭାବ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏହା ନିଃସନ୍ଦେହ ଯେ, ବିଭିନ୍ନ କାରଣରୁ ଟଙ୍କାର ମୂଲ୍ୟହ୍ରାସ ପାଇବା ମଧ୍ୟରେ ମଧ୍ୟବିତ୍ତ ପରିବାର ପାଇଁ ବୋଝ ସଦୃଶ ହୋଇଛି । ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ପେଟ୍ରୋଲ, ଡିଜେଲ ଏବଂ ଇଲେକ୍ଟ୍ରୋନିକ ସାମଗ୍ରୀ ମହଙ୍ଗା ହେବା ସ୍ୱାଭାବିକ । ଯାହାର ପ୍ରଭାବ ମଧ୍ୟବିତ୍ତଙ୍କ ଉପରେ ପ୍ରତ୍ୟକ୍ଷ ଭାବେ ପଡୁଛି । ପେଟ୍ରୋଲ, ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ବୃଦ୍ଧି ପାଇବ । ଦେଶ ସ୍ୱାଧୀନ ହେବା ସମୟରେ ୧ଡଲାରର ମୂଲ୍ୟ ୧ଟଙ୍କା ସହ ସମାନ ଥିବାବେଳେ, ୨୦୧୩ ମସିହା ବେଳକୁ ଏକ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୦ଥିଲା । ଗତ ଦଶନ୍ଧି ମଧ୍ୟରେ ଏହା ଆଉ ୩୦ ହ୍ରାସ ପାଇଛି । ଏହାକୁ ସରକାରଙ୍କ ବିଫଳତା ବୋଲି କୁହାଯାଇପାରେବ । ତେବେ ସରକାର ଯଦି ବର୍ତ୍ତମାନଠାରୁ ଦୃଢ ପଦକ୍ଷେପ ନ ନିଅନ୍ତି, ତେବେ ୧ ଡଲାର ୧୦୦ ଛୁଇଁବା ଆଉ ବେଶୀ ଦୂର ନୁହେଁ ।

ମୋ:୭୯୭୮୬୬୬୪୦୩