ଟଙ୍କା ନେଇ ଚାକିରି ଦେବାରେ ବିଜେଡ଼ି ମାହିର

  • ବଣିକ ଆଡ଼କୁ ଅଭିଳାଷଙ୍କ ଅଙ୍ଗୁଳି ନିର୍ଦ୍ଦେଶ
  • ବିଜେଡ଼ିର ଦୁର୍ନୀତି ସିଣ୍ଡିକେଟ୍‌ ଧରୁଛି ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଗତ ୧୧ ବର୍ଷ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦେଢ଼ ବର୍ଷ ହେବ ବିଜେପି ସରକାର ଚାଲିଛି । ମାତ୍ର ଏହି ସରକାରରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ଦୁର୍ନୀତିର ଛାପ ପଡିନାହିଁ । ଯେଉଁଠି ବି ଦୁର୍ନୀତି ହୋଇଛି, ସେଠାରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୁଲିସ ଏସ୍‌ଆଇ ଦୁର୍ନୀତି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମସ୍ତ ପରୀକ୍ଷାର୍ଥୀଙ୍କ ସମେତ ଦଲାଲ୍‌ମାନଙ୍କୁ ଗିରଫ କରାଯାଇଛି  । ଏହି ରାକେଟ୍‌ରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି  । ଟଙ୍କା ନେଇ ଚାକିରୀ ଦେବାରେ ବିଜେଡ଼ି ସରକାର ମାହିର ଏତଲା । ସେମାନେ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଥିଲେ  । ଏବେବି ଏସଆଇ ଚାକିରୀ କେଳେଙ୍କାରୀରେ ବିଜେଡ଼ି ନେତାଙ୍କ ସଂପୃକ୍ତି ରହିଥିବା ପ୍ରମାଣ ମିଳିଛି ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି, ବିଗତ ସରକାରରେ ଦୁର୍ନୀତି ଚରମସୀମା ଛୁଇଁ ଥିଲା  । ୨୦୨୩ରେ ସିଭିଲ ଜେଇ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । ସେତେବେଳେ ବାଲେଶ୍ୱର ପୁଲିସ ଗୋଟିଏ ରାକେଟକୁ ଧରିଥିଲା । ସେତେବେଳେ ବିଜେଡି ସରକାରରେ ଥିଲା । ଏହି ମାମଲାରେ ସେତେବେଳେ ୮୬ ଜଣ ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକ ରଖିଥିଲା । ମାତ୍ର ସେମାନଙ୍କ ବିରୋଧରେ ବିଜେଡି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଏପରିକି ଏଫ୍‌ଆଇଆର୍‌ ମଧ୍ୟ ହୋଇ ନ ଥିଲା । କାରଣ ଏଥିରେ ବିଜେଡ଼ି ନେତାଙ୍କ ସିଧାସଳଖ ସମ୍ପୃକ୍ତି ଥିଲା । ୨୦୧୯ରେ ପୋଲିସ ଏସ୍‌ଆଇ ପରୀକ୍ଷା ହୋଇଥିଲା  । ୨୦୨୩ରେ ଏହି ପ୍ରକ୍ରିୟା ଶେଷ ହୋଇଥିଲା । ସେତେବେଳେ ସାଧାରଣ ବର୍ଗ ପାଇଁ କଟ୍‌ ଅଫ ମାର୍କ ୯୫% ଥିବାବେଳେ ଏସସସିଙ୍କ ପାଇଁ ୯୨% କଟ୍‌ଅଫ୍‌ ମାର୍କ ଥିଲା । ଫଳରେ ବହୁ ଆଶାୟୀ ଚାକିରି ପାଇବାରୁ ବଞ୍ôଚତ ହୋଇଥିଲେ  । ବିଜେପି ସରକାର ପୁରୁଣା ଢାଞ୍ଚାରେ ଚାଲୁଥିବା ଚାକିରି ବିକ୍ରି ସିଣ୍ଡିକେଟକୁ ଧରିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୩ ଜଣ ଗୋଟିଏ କୋଚିଂ ସେଂଟରର ନାମ କହିଛନ୍ତି । ତାହା ହେଲା ବଣିକ । ବଣିକର ସ୍ଳୋଗାନ ହେଉଛି ସରକାରୀ ଚାକିର କରିବାକୁ ଚାହିଁଲେ କେବଳ ବଣିକରେ ନାମ ଲେଖାନ୍ତୁ  । ଏଥିରୁ ସ୍ପଷ୍ଟଯେ, ଏହି କେଳେଙ୍କାରୀରେ ବଣିକ ଅନୁଷ୍ଠାନର ମାଲିକ ତଥା ବିଜେଡିର ଟାଣୁଆ ନେତା ସୁବ୍ରତ ଛାଟୋଇଙ୍କ ସମ୍ପୃକ୍ତି ରହିଛି  । ବିଜେଡି ସରକାର ଅମଳରୁ ଏହା ଚାଲିଆସୁଛି  । ଏଣୁ ପିଲାମାନଙ୍କୁ ଏହି ସଂସ୍ଥା ଓ ଏହାର ମାଲିକ ନିର୍ଭର ପ୍ରତିଶ୍ରୁତି ଦେଇ ଚାଲିଥିଲେ  । ପୂର୍ବରୁ ଏଏସ୍‌ଓ ଚାକିରି ବିକ୍ରି ରାକେଟ୍‌ରେ ମଧ୍ୟ ଏହି ସଂସ୍ଥା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା  । ପୋଲିସ ଏସ୍‌ଆଇ ନିଯୁକ୍ତି ଘଟଣାରେ ନୟାଗଡ ଜିଲ୍ଲା ଖଣ୍ଡପଡା ଏନ୍‌ଏସି ଅନ୍ତର୍ଗତ ୪ ନମ୍ବର କାଉନସିଲର ତଥା ବିଜେଡି ନେତା ଯତୀନ କୁମାର ଦଳାଇ (୨୬)ଙ୍କୁ ଗିରଫ କରାଯାଇଛି । ସେହିପରି ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ଅନ୍ତର୍ଗତ ପତ୍ରାପାଲିର ମୁନକି ରାଜପଲିଆ ଓ ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ନାଗ ମଧ୍ୟ ଗିରଫ ହୋଇଛନ୍ତି । ମୁନକି ହେଉଛନ୍ତି ବିଜେଡି ସମର୍ଥିତ ସମିତିସଭ୍ୟ ଏବଂ ଉକ୍ତ ଦଳର ଜଣେ ନାରୀ ନେତ୍ରୀ । କେବଳ ଏମାନେ ନୁହନ୍ତି ଧରାପଡିଥିବା ଅଧିକାଂଶ ଅଭିଯୁକ୍ତ ହେଲେ ବିଜେଡିର କାର୍ଯ୍ୟକର୍ତ୍ତା  । ମାତ୍ର ‘ଚୋର ମଚାଏ ସୋର’ ଭଳି ବିଜେଡି ନେତାମାନେ ଏବେ ପ୍ରଳାପ କରିବାରେ ଲାଗିଛନ୍ତି  । ମୋହନ ସରକାର ସାରା ଓଡିଶାକୁ ଦୁର୍ନୀତିମୁକ୍ତ ସରକାର ଦେବାକୁ ପ୍ରତିଶ୍ରୁତିବଦ୍ଧ । କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ଶ୍ରୀ ମାଝୀ ପୂର୍ବରୁ କହିଥିବାବେଳେ ଏନେଇ ଜୋରଦାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ପୂର୍ବରୁ ଓଟିଇଟି ପରୀକ୍ଷା ଦୁର୍ନୀତି ଘଟଣାରେ ବଡବଡ ଅଧିକାରୀଙ୍କୁ ଜେଲ ପଠାଇ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।