ଟାଙ୍କି ଅଛି,କାମରେ ଆସୁନି
ନାଉଗାଁ: ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ରହିଛି ମାଳ ମାଳ ସରକାରୀ ଯୋଜନା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ପାଣି ଟାଙ୍କି ନିର୍ମାଣ ହେଉଛି, ହେଲେ ଲୋକଙ୍କ କାମରେ ଆସିପାରୁନି । ଗ୍ରାମରେ ବିରାଟକାୟ ଟାଙ୍କି ଛିଡା ହୋଇଥିବାବେଳେ ଏଥିରେ ମୁନ୍ଦାଏ ପାଣି ନାହିଁ । ତତିର ପ୍ରକୋପ ବଢୁଛି ସେ ନେଇ ସରକାର ବିଭିନ୍ନ ଜିଲ୍ଲାରେ ପ୍ରୋଗ୍ରାମ କରି ଲୋକଙ୍କୁୁ ସଚେତନ କରୁଛନ୍ତି । କିନ୍ତୁ ଲାଭ କଣ ଏଠି ଲୋକେ ପାଣି ପାିଁ ଡହଳ ବିକଳ ହେଉଛନ୍ତି । ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ସରକାର କରୁଥିବା ଯୋଜନା ଏଠାରେ କେତେ ମାତ୍ରାରେ କାର୍ଯ୍ୟରେ ଆସୁଛି ତାହା ନିଜେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଟାଙ୍କି ଥିଲେ ମଧ୍ୟ ମଟରରୁ ସିଧା ସଳଖ ପାଣି ସପ୍ଲାଇ ଦିଆଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ରୋହିଆ ଗ୍ରାମରେ । ଏକ ଲକ୍ଷ ଲିଟର ପାଣି କ୍ଷମତା ରଖୁଥିବା ପାଣି ଟାଙ୍କିର ନିର୍ମାଣ କରାଗଲା । ଏଥିରୁ ରୋହିଆ, ପଞ୍ଚପା, ଅନ୍ତପୁରା ଓ ନାରସିମା ଗ୍ରାମର ପ୍ରାୟ ତିନି ହଜାର ଲୋକ ପାଣି ପାଇବାକୁ ପାଇପ ମଧ୍ୟ ବିଛାଗଲା । ହେଲେ ଏବେ ସେ ଟାଙ୍କି ଲୋକଙ୍କ କାମରେ ଆସୁନି । ଲକ୍ଷେ ଲିଟର ପାଣି କଥା ଛାଡନ୍ତୁ ଏକ ଲିଟର ପାଣି ମଧ୍ୟ ଏହି ଟାଙ୍କିରେ ନାହିଁ । ଟାଙ୍କି ବ୍ୟବହାର ନ କରିବାର କାରଣ କ’ଣ ତାହା ସାଧାରଣ ଲୋକ ମଧ୍ୟ ବୁଝିବା କଷ୍ଟ । ବଡ଼ ଆଶ୍ଚର୍ଯ୍ୟର କଥା ଯେ, ଏହା ଲୋକଙ୍କ କାମରେ ଆସୁ ନ ଥିବାବେଳେ, ଟାଙ୍କିକୁ ଥରକୁ ଥର ରଙ୍ଗ ଦିଆଯାଇ ଠିକାଦାର ବିଲ୍ କରାଇ ନେବାରେ କିନ୍ତୁ ସକ୍ଷମ ହୋଇଛନ୍ତି । ଏହି ଘଟଣା ଏବେ ଜଣା ପଡ଼ିବାପରେ ତୁରନ୍ତ ଏହାର ତଦନ୍ତ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।