ନ୍ୟାୟ ଅପେକ୍ଷାରେ ଧାରଣାରତ ସାମ୍ବାଦିକ
ବାଲିଅନ୍ତା : ସଙ୍କଟରେ ସାମ୍ବାଦିକତା ବୃତ୍ତି । ନିମନ୍ତ୍ରଣକରି ଜବରଦସ୍ତ ସଭାଗୃହରୁ ବାହାରକରି ଦେବା କେତେ ଯୁକ୍ତିଯୁକ୍ତ ବୋଲି ନ୍ୟାୟ ପାଇବା ପାଇଁ ଗତ ୮ ଦିନ ଧରି ଧାରଣାରେ ବସିଥିବା ସାମ୍ବାଦିକମାନେ ଉତ୍ତର ଚାହିଁଛନ୍ତି । ଆନେ୍ଦାଳନକାରୀଙ୍କ ପାଇଁ ଏହା ସ୍ୱାଭିମାନ ଓ ସମ୍ମାନର ପ୍ରଶ୍ନ ହୋଇଛି । ଯେତେବେଳେ ଯିଏ ଯେପରି ଚାହିଁବ, ଜଣେ ସାମ୍ବାଦିକ ପ୍ରତି ସେପରି ବ୍ୟବହାର କରି ପାରିବ କି? ଏହାର ଉତ୍ତର ଖୋଜୁଛନ୍ତି, ଧାରଣାରେ ବସିଥିବା ସାମ୍ବାଦିକମାନେ । ବାଲିଅନ୍ତା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବାଲିପାଟଣା, ବାଲିଅନ୍ତା, ନିଆଳି, ଭୁବନେଶ୍ୱରର ଶତାଧିକ ସାମ୍ବାଦିକ ଧାରଣାରେ ସାମିଲ ହୋଇଥିଲେ । ଧଉଳି ପଞ୍ଚାୟତର ସରପଞ୍ଚ ଚନ୍ଦନ ମଲ୍ଲିକ ମଧ୍ୟ ଉପସ୍ଥିତ ରହି ଏହାକୁ ନୈତିକ ସମର୍ଥନ ଜଣାଇଥିଲେ । ସମ୍ବାଦର କ୍ରୀଡା ସମ୍ପାଦକ ସାମ୍ବାଦିକ ସୁରେଶ ସ୍ୱାଇଁ ଏଠାରେ ଉପସ୍ଥିତ ରହି ଅଧ୍ୟକ୍ଷାଙ୍କ ଏଭଳି ମନୋବୃତିର ଦୃଢ଼ ନିନ୍ଦା କରିଥିଲେ । ଏକ ଆନୁଷ୍ଠାନିକ ବୈଠକରେ ନିଷ୍ପତି ନିଆଯାଇଥିଲା କି ଆଗାମୀ ପଞ୍ଚାୟତରାଜ ଦିବସକୁ ସାମ୍ବାଦିକମାନେ ବର୍ଜନ କରିବେ ଓ ଅନ୍ୟ ଦିନରେ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟକ୍ରମରେ ଅସହଯୋଗ କରିବେ । ଜନସାଧାରଣଙ୍କ ସାମ୍ନାରେ ବର୍ତ୍ତମାନ ନିର୍ବାଚିତ ଜନପ୍ରତିନିଧି ମାନଙ୍କର ଅସଲ ରୂପ ଧରା ପଡ଼ି ଯାଇଛି । ସେମାନଙ୍କ ମନୋବୃତ୍ତିର ଦୃଢ଼ ନିନ୍ଦା କରାଗଲା । ବୈଠକରେ ନିଷ୍ପତି ହେଲାକି ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ । ସାମ୍ବାଦିକ ଦିଲ୍ଲୀପ ଓଝାଙ୍କ ନେତୃତ୍ୱରେ ଧାରଣା ଚାଲୁ ରହିଛି ।