ମୋହରୀର ସଂଘ ବୈଠକ

 ଢେଙ୍କାନାଳ : ସ୍ଥାନୀୟ ସଦର ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଢେଙ୍କାନାଳ ଜିଲ୍ଲା ଦଲିଲ ଲେଖକ ମୋହରୀର ସଂଘ ସାଙ୍ଗଠନିକ ବୈଠକି ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉକ୍ରଳ ଦଲିଲ ଲେଖକ ମୋହରୀର ସଂଘର ଆହ୍ୱାନ କ୍ରମେ ଅନୁଷ୍ଠିତ ବୈଠକରେ ନିଖିଳ ଉକ୍ରଳ ଦଲିଲ ଲେଖକ ମୋହରୀର ସଂଘ ସଭାପତି ବଂଶୀଧର ବେହେରା, ସମ୍ପାଦକ ଅଶୋକ ଦାସ ପ୍ରମୁଖ ଯୋଗଦେଇ ଦଲିଲ ଲେଖକଙ୍କ ଭବିଷ୍ୟତ ସୁରକ୍ଷା, ସରକାରଙ୍କ ଦ୍ୱାରା ସ୍ଥଗିତ କରାଯାଇଥିବା ପାର୍ଟ ପ୍ଲଟ୍ ବିକ୍ରି ସମ୍ବନେ୍ଧ ବିଷଦ୍ ଭାବେ ଆଲୋଚନା ହେବା ସହିତ ନିବନ୍ଧକ ଅଧିକାରୀଙ୍କ ମନମୁଖୀ ଆଇନ୍ ପ୍ରଣୟନ ହେବା ଦ୍ୱାରା ବିକ୍ରି ଖର୍ଦ୍ଦି କରୁଥିବା ସାଧାରଣ ଜନତା କିପରି ପ୍ରଭାବିତ ହୋଇ ହଇରାଣ ହରକତ ହେଉଛନ୍ତି, ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସରକାର ଏହାକୁ ଦୃଷ୍ଟିରେ ରଖି ଦଲିଲ ଲେଖକ ମୋହରୀରମାନଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦିଅନ୍ତୁ ନାହିଁ ବୋଲି ଉପସ୍ଥିତ ନେତୃବୃନ୍ଦ ମତପ୍ରକାଶ କରିଥିଲେ । ବିଭିନ୍ନ ପାର୍ଟ ପ୍ଲଟ୍ ବିକ୍ରି ସମ୍ବନେ୍ଧ ସରକାରଙ୍କର ଯେଉଁ ଆଇନ୍ ପ୍ରଣୟ ହୋଇଛି ତାହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ କିମ୍ବା ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବା ନିମନ୍ତେ ସଂଘର ନେତୃବୃନ୍ଦ ଦାବୀ ଉପସ୍ଥାପନା କରିଥିଲେ । ଢେଙ୍କାନାଳ ଜିଲ୍ଲା ଦଲିଲ ଲେଖକ ମୋହରୀର ସଂଘର ସଭାପତି ସନ୍ତୋଷ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଉପସଭାପତି ଶୁକଦେବ ତ୍ରିପାଠୀ, ସମ୍ପାଦକ ଅଦ୍ୱୈତ ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ନେହେରୁ ମହାନ୍ତିଙ୍କ ବ୍ୟତୀତ ସମସ୍ତ ସହକାରୀ ବୃନ୍ଦ ତଥା କାମାକ୍ଷାନଗର, ପରଜଙ୍ଗ ଓ ଭୂବନ, ହିନେ୍ଦାଳ ସଂଘ ଦଲିଲ ଲେଖକ ମୋହରୀର କର୍ମକର୍ତା ଯୋଗଦେଇଥିଲେ । ଆଗାମୀ ଦିନରେ ସଂଘ ଉନ୍ନତି କଳ୍ପେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ସହ ସଂଘର ଦଲିଲ ଲେଖକ ମୋହରରୀଙ୍କ ସମସ୍ୟା ସମ୍ପର୍କରେ ସମାଧାନ ପାଇଁ ଓଡିଶାର ମୁଖ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଲିଖିତ ଭାବେ ଜଣାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇ ଥିବା କର୍ମକର୍ତାମାନେ ପ୍ରକାଶ କରିଛନ୍ତି । ଶେଷରେ ଜିଲ୍ଲା ସଂଘ କୋଷାଧ୍ୟକ୍ଷ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।