ପ୍ରଯୁକ୍ତି ଓ ଶକ୍ତି ବିଭାଗ ସଚିବଙ୍କ ବାଲେଶ୍ୱର ଗସ୍ତ : ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

 ବାଲେଶ୍ୱର : ଓଡିଶା ସରକାରଙ୍କ ଶକ୍ତି, ବୈଦୁ୍ୟତିକ ଅଣୁବିଜ୍ଞାନ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ ଠାରୁ ବାହାରି ଆଇଟିଆଇ ଛକ ସ୍ଥିତ ଏମପିଏଚ (ସ୍ପୋର୍ଟ୍ସ)ର କାର୍ଯ୍ୟ, ନରହରିପୁର ଠାରେ ବେଗମପୁର ଆଙ୍ଗନବାଡୀ କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ପାରସ୍ପରିକ ମତ ବିନିମୟ, ବେଗମପୁର ଠାରୁ ଗ୍ରାମ୍ୟ ଜଳ ଓ ପରିମଳ ସଂସ୍ଥା ଦ୍ୱାରା ଗଣ୍ଡର୍ଦ୍ଦା ଠାରେ କ୍ଷୁଦ୍ର ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ତଦାରଖ, ଅଯୋଧ୍ୟା ଠାରେ ଜଳ ବିଶୋଧନାଗାର ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ସଜନାଗଡ଼ ସ୍ଥିତ ଭୁଧାରଚଣ୍ଡୀ ମନ୍ଦିରର ପର୍ଯ୍ୟଟନ ବିଭାଗ ପକ୍ଷରୁ ହେଉଥିବା ଉନ୍ନୟନ କାର୍ଯ୍ୟ, ନୀଳଗିରି ଉପଖଣ୍ଡ ମୁଖ୍ୟ ଚିକିସôାଳୟର ପୋଷଣ କେନ୍ଦ୍ର ସହିତ ଚିକିତ୍ସାଳୟର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ପରେ କେସି ହାଇ ସ୍କୁଲ ଠାରେ ପିଏମ୍ ଶ୍ରୀ ଯୋଜନା କାର୍ଯ୍ୟ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସଭାରାମପୁର ସ୍ଥିତ ଟିପିଏନଓଡିଏଲ ପ୍ରକଳ୍ପର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ ସିଂ, ଉପଜିଲ୍ଲାପାଳ ବାଲେଶ୍ୱର ପ୍ରଥମେଶ ଅରବିନ୍ଦ ରାଜେସିର୍କେଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ସାମିଲ ଥିଲେ ।  ଏହା ପରେ ଅପରାହ୍ନ ୪ ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରମୁଖ ସଚିବ  ବିଶାଳ କୁମାର ଦେବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ ଏବଂ ଏହାର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।