ଟିପି ସ୍କିମ ବିକଶିତ ସହର ବୃଦ୍ଧିକୁ ଗୁରୁତ୍ୱ

 ଭୁବନେଶ୍ୱର  : ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଉନ୍ନୟନ କର୍ତ୍ତୃପକ୍ଷଗୁଡିକ ମାଧ୍ୟମରେ   ଯୋଜନାବଦ୍ଧ ଭାବେ ରାଜ୍ୟରେ ବିକଶିତ ସହର ବୃଦ୍ଧି କରିବା ଉପରେ  ଗୁରୁତ୍ୱାରୋପ କରାଯାଇଛି । ଆଜି ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନ ଠାରେ ଅନୁଷ୍ଠିତ ଏକ ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢୀ, ପୌର ନିଦେ୍ର୍ଦଶକ ଅରିନ୍ଦମ୍ ଡାକୁଆଙ୍କ ସମେତ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଭିସି , ସହର ପ୍ଲାନର୍ ଏବଂ ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଡିଏ ଦ୍ୱାରା ଆରମ୍ଭ କରାଯାଇଥିବା ଟିପି ସ୍କିମ୍ କଟକ, ବ୍ରହ୍ମପୁର ଏବଂ ପୁରୀ-କୋଣାର୍କ ଉନ୍ନୟନ କର୍ତୃପକ୍ଷ କାରର୍ଯ୍ୟକାରୀ ଲାଗି ଆଲୋଚନା ହୋଇଥିଲା । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିପିପି ମୋଡରେ ସେମାନଙ୍କ ଅଧୀନରେ ଥିବା ସରକାରୀ ଜମିଗୁଡିକର ସଦୁପଯୋଗ କରି ନିଜର ଆୟ ବୃଦ୍ଧି ନିମନ୍ତେ ପରାମର୍ଶ ଦିଆଯାଇଛି ।
ବୈଠକ ପରେ ମନ୍ତ୍ରୀ ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି  ଯେ ଆମେ ୨୦୩୬ରେ ସମ୍ପୂର୍ଣ୍ଣ ବିକଶିତ ଓଡ଼ିଶା ପାଇଁ ଚିନ୍ତା କରୁଛୁ । ତେଣୁ ସହରର ବିକାଶରେ ଓଡ଼ିଶାର ବିକାଶ ହେବା ଉପରେ ଗୁରୁତ୍ୱ ଦିଆଯାଉଛି । ସବୁ ଡେଭଲପମେଣ୍ଟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । କିଛି ଏଜେଣ୍ଡା ଅନୁସାରେ ଟାଉନ୍ସିପ ବଢିଲେ ସହରର ବିକାଶରେ ଓଡ଼ିଶାର ବିକାଶ ହେବ ।  ଯେଉଁଠି ଟାଉନ ପ୍ଲାନର ଅଭାବ ଅଛି ତାହା ପୂରଣ କରାଯିବ । ଏହି ଅବସରରେ ବିଡିଏ ତରଫରୁ କାର୍ଯ୍ୟକାରୀ ହେଉଥିବା ଟିପି ସ୍କିମ୍ର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । କଟକ, ବ୍ରହ୍ମପୁର ଓ ପୁରୀ-କୋଣାର୍କ କର୍ତ୍ତୃପକ୍ଷ ସେମାନଙ୍କର ପ୍ରାରମ୍ଭିକ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି ।