ଟି-୨୦ ମ୍ୟାଚ୍ ସ୍ଥାନ ବଦଳାଇଲା ବିସିସିଆଇ  : ବାରବାଟୀରେ ଦ. ଆଫ୍ରିକା-ଭାରତ ପ୍ରଥମ ମ୍ୟାଚ୍

 କଟକ/ମୁମ୍ବାଇ :  ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚଳିତ ବର୍ଷ ପାଇଁ ଅନ୍ତର୍ଜାତୀୟ ଘରୋଇ ସିଜିନ୍ ଏବଂ ଦକ୍ଷିଣ ଆଫ୍ରିକା ‘ଏ’ ଦଳର ଭାରତ ଗସ୍ତ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଘୋଷଣା କରିଛି । ଏଥିରେ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ସମେତ ଭାରତ ବନାମ ଦକ୍ଷିଣ ଆଫ୍ରିକା ୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ଏହି କ୍ରମରେ ଭାରତ ବନାମ ଦକ୍ଷିଣ ଆଫି୍ରକା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଡିସେମ୍ବର ୯ରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଏବଂ ଏହା ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ସେହିପରି ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୧୧ ଚଣ୍ଡୀଗଡ଼ରେ, ତୃତୀୟ ମ୍ୟାଚ୍ ଡିସେମ୍ବର ୧୪ ପଞ୍ଜାବର ଧର୍ମଶାଳାରେ, ଡିସେମ୍ବର ୧୭ ଚତୁର୍ଥ ମ୍ୟାଚ୍ ଲକ୍ଷ୍ନୌରେ ଏବଂ ୫ମ ମ୍ୟାଚ୍ ଡିସେମ୍ବର ୧୯ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ।
ବିସିସିଆଇ ଏକ ବିବୃତ୍ତି ଜାରି କରି କହିଛି, ‘ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୫ ପାଇଁ ଅନ୍ତର୍ଜାତୀୟ ଘରୋଇ ସିଜିନ୍ ଏବଂ ଦକ୍ଷିଣ ଆଫ୍ରିକା ‘ଏ’ ଭାରତ ଗସ୍ତ ପାଇଁ ଅପଡେଟ୍ କାର୍ଯ୍ୟସୂଚୀ ଘୋଷଣା କରିଛି ।’ ଟିମ୍ ଇଣ୍ଡିଆ (ସିନିଅର ପୁରୁଷ) ହୋମ୍ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ ମ୍ୟାଚ୍, ଦିନିକିଆ ଆନ୍ତର୍ଜାତୀୟ (ଓଡିଆଇ) ଏବଂ ଟ୍ୱ୍ୱେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୨ ଅକ୍ଟୋବର, ୨୦୨୫ରେ ଅହମ୍ମଦାବାଦରେ ଟେଷ୍ଟ ସିରିଜ୍ ଖେଳିବାକୁ ଥିବା ବେଳେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ (ପୂର୍ବ ଘୋଷଣାରେ କୋଲକାତା ଥିଲା)ରେ ଅନୁଷ୍ଠିତ ହେବ । ସେହିପରି ଆସନ୍ତା ନଭେମ୍ବର ୧୪ରୁ ଦକ୍ଷିଣ ଆଫ୍ରିକା ସିରିଜର ପ୍ରଥମ ଟେଷ୍ଟ ଆରମ୍ଭ ହେବାକୁ ଥିବା ବେଳେ ଏହି ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ (ପୂର୍ବ ଘୋଷଣାରେ ନୂଆଦିଲ୍ଲୀ ଥିଲା) ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ହେବ । 
ସେପଟେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମର ଆଉଟଫିଲ୍ଡ ଏବଂ ପିଚ୍ର ନବୀକରଣ ଯୋଗୁଁ ଏଠାରେ ହେବାକୁ ଥିବା ଟିମ୍ ଇଣ୍ଡିଆ (ସିନିଅର୍ ମହିଳା) ଏବଂ ଅଷ୍ଟ୍ରେଲିଆ ମହିଳା ଖେଳକୁ ଏଠାରୁ ସ୍ଥାନାନ୍ତର କରାଯାଇ ଏହାର ଦୁଇଟି ଦିନିକିଆ ଏବେ ନୁ୍ୟ-ଚଣ୍ଡୀଗଡ଼ର ନୁ୍ୟ ପିସିଏ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ତୃତୀୟ ଏବଂ ଶେଷ ଦିନିକିଆ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
ଦକ୍ଷିଣ ଆଫ୍ରିକା ପୁରୁଷ ଏ ଦଳ ୩୦ ଅକ୍ଟୋବର, ୨୦୨୫ ରୁ ଭାରତ ଏ ଦଳ ସହିତ ଦୁଇଟି ବହୁ-ଦିବସୀୟ ମ୍ୟାଚ୍ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ । ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସେଲେନ୍ସରେ ଦୁଇଟି ବହୁ-ଦିବସୀୟ ମ୍ୟାଚ୍ ଜାରି ରହିବ । ତିନୋଟି ଦିନିକିଆ ମ୍ୟାଚ୍ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରୁ ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମକୁ ସ୍ଥାନାନ୍ତରିତ କରାଯାଇଛି ।