ରୋହିତ ଦିନିକିଆରୁ ଅବସର ନେବେ କି?
ମୁମ୍ବାଇ : ଟିମ୍ ଇଣ୍ଡିଆର କିମ୍ୱଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ରୋହିତ ଶର୍ମାଙ୍କ ୨୦୨୭ ବିଶ୍ୱକପ୍ ସ୍ୱପ୍ନ ଅଧୁରା ରହିବା ଭଳି ମନେ ହେଉଛି । ଆସନ୍ତା ଦିନିକିଆ ବିଶ୍ୱକପ୍ ୨୦୨୭ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସେତେବେଳକୁ ରୋହିତଙ୍କୁ ୪୦ ବର୍ଷ ହୋଇ ସାରିଥିବ । ଯଦିଓ ଭାରତୀୟ ଦଳ ପାଇଁ ସେପରି କୌଣସି ସର୍ବାଧିକ ବୟସ ସୀମା ବିସିସିଆଇ ନିର୍ଦ୍ଧାରିତ କରିନାହିଁ ତଥାପି ୪୦ ବର୍ଷ ପରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ଶାରୀରିକସ୍ତରରେ ଫିଟ୍ ରହିବା ନିହାତି ଜରୁରୀ । ପ୍ରାୟତଃ ୪୦ ବର୍ଷ କିମ୍ବା ତା’ ପୂର୍ବରୁ ଅଧିକାଂଶ ଖେଳାଳି ଦଳରୁ ବିଦାୟ ନେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିସିସିଆଇ ଏବେ ଦିନିକିଆ ଦଳରେ ନେତୃତ୍ୱ ପରିବର୍ତ୍ତନ ଯୋଜନା କରୁଛି । ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଭାବୁଥିଲା ଯେ, ରୋହିତ ଟେଷ୍ଟ ସମେତ ଓଡିଆଇରୁ ବି ଅବସର ନେଇପାରନ୍ତି ।
କିନ୍ତୁ ୩୮ ବର୍ଷୀୟ ରୋହିତ ୨୦୨୭ ବିଶ୍ୱକପର ସ୍ୱପ୍ନ ପୂରଣ କରିବା ପାଇଁ ଓଡିଆଇ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।
ଉଲ୍ଲେଖନୀୟ ଯେ ରୋହିତ ୨୦୨୩ ବିଶ୍ୱକପ ଫାଇନାଲରେ ଭାରତର ନେତୃତ୍ୱ ନେଇଥିଲେ । ଏହା ପରେ, ସେ ଟି୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିବା ପାଇଁ ଭାରତର ନେତୃତ୍ୱ ଦେଇଥିଲେ । ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଜିତିବା ପରେ ରୋହିତ କହିଥିଲେ, ମୁଁ ବର୍ତ୍ତମାନ ସମୟରେ ଓଡିଆଇ କ୍ରିକେଟରୁ ଅବସର ନେଉନାହିଁ । ଭବିଷ୍ୟତକୁ ଦୃଷ୍ଟିରେ ରଖ୍ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟ ଏହି ଫର୍ମାଟର ମଙ୍ଗ ଜଣେ ଯୁବ ଖେଳାଳିଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛି । ୨୦୨୭ ବିଶ୍ୱକପ୍ ପୂର୍ବରୁ ବିସିସିଆଇ ତାଲିକାରେ ୨୭ଟି ଓଡିଆଇ ମ୍ୟାଚ୍ ସାମିଲ ଥିବା ବେଳେ ଏହା ନୂତନ ଅଧିନାୟକ ପ୍ରସ୍ତୁତ କରିବା ପାଇଁ ଏକ ଭଲ ସୁଯୋଗ । ବିଶେଷ ସୂତ୍ର ଅନୁସାରେ, ରୋହିତ ଶର୍ମାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଅଧିନାୟକତ୍ୱ ମିଳିପାରେ ବୋଲି ଜୋରସୋର ଚର୍ଚ୍ଚା ହେଉଛି । ଆୟରଙ୍କ ଆଇପିଏଲ୍ ଟ୍ରାକ୍ ରେକର୍ଡ ଯୋଗୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି ।