'ଟୁଇନ୍ ସିଟି' ନୁହେଁ, ସରକାର କରିବେ 'ଟ୍ରାଇ ସିଟି'ର ବିକାଶ
ରାଜ୍ୟରେ ଗଠନ ହେବ 'ଟ୍ରାଇ ସିଟି'। କଟକ,ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଏହି ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ଡେଭଲପ କରାଯିବ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଏଥି ସହ ମନ୍ତ୍ରୀ କହିଛନ୍ତି, ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭର ବ୍ରିଜ ଏବଂ ରିଂ ରୋଡ଼ ।
ନଗର ଉନ୍ନୟନ ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି। ଖୁବଶୀଘ୍ର ପୁରୀ, କଟକ ଓ ଭୁବନେଶ୍ୱରକୁ ଟ୍ରାଇ ସିଟି ମାନ୍ୟତା ପ୍ରଦାନ କରାଯିବ। ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ। ଟାଇମ ପିରିୟଡ୍ ବି ଫିକ୍ସ ହେବ। ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସହରାଞ୍ଚଳରେ କୌଣସି ଅନପ୍ଳାନଡ୍ କାମ ହେବନି। କଟକ, ବ୍ରହ୍ମପୁର, ରାଉରକେଲାରେ ଅନେକ ଟିପି ସ୍କିମ କରିବାକୁ ଯାଉଛନ୍ତି ସରକାର। ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଭୁବନେଶ୍ୱର ହେଉଛି ଏକ ପ୍ଲାନଡ୍ ସିଟି। ତେଣୁ କୌଣସି ଅନପ୍ଲାନଡ୍ କାର୍ଯ୍ୟ କରାଯିବ ନାହିଁ। ନୀତି ନିୟମ ଭିତରେ ସହରର କଳେବର ବୃଦ୍ଧି ପାଇଁ ଯୋଜନା କରାଯାଉଛି। କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ସମସ୍ତ ସହରାଞ୍ଚଳରେ ଟାଉନ ପ୍ଲାନିଂ ସ୍କିମ କରାଯିବ ପାଇଁ ନିଷ୍ପତ୍ତି ହୋଇଛି।
ବିଭିନ୍ନ ସ୍ଥାନରେ ରିଂ ରୋଡ ଏବଂ ଓଭର ବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ ସେନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ବୈଠକ ଡାକି ଆଲୋଚନା କରିଛନ୍ତି। ତୁରନ୍ତ ପ୍ଲାନ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭରବ୍ରିଜ। ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ବର୍ତ୍ତମାନ ଦେଖାଯାଉଥିବା ଟ୍ରାଫିକ ଜାମକୁ ଦୂର ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ବଢ଼ାଯାଉଛି। ଲୋକମାନେ ଯେମିତି ଅଧିକ ବସର ବ୍ୟବହାର କରିବେ ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି ।