ଟେଣ୍ଟହାଉସ ମାଲିକଙ୍କୁ ଆକ୍ରମଣ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୨୩ା୧ : ଟେଣ୍ଟହାଉସରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ସିସିଟିଭି ଫୁଟେଜକୁ ନ ଦେବାରୁ ଟେଣ୍ଟହାଉସ ମାଲିକକୁ ଆକ୍ରମଣ ସହ ହତ୍ୟା ଧମକ ଏବଂ ଟେଣ୍ଟାହାଉସରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଧମକ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଦୀପକ ନାୟକ ଓରଫ ଟୁଙ୍ଗୁରୁ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଅମରେଶ ଆଖଣ୍ଡଳମଣୀ ବସ୍ତିରେ ରହୁଥିବା ବେଳେ, ଶିମିଳି ବସ୍ତିରେ ଏକ ଟେଣ୍ଟହାଉସ ବ୍ୟବସାୟ କରି ଆସୁଛନ୍ତି । ଗତ କିଛିଦିନ ତଳେ ଅଭିଯୁକ୍ତର ଭାଇକୁ କିଛି ଯୁବକ ଅଭିଯୋଗକାରୀଙ୍କ ଟେଣ୍ଟହାଉସ ନିକଟରେ ଆକ୍ରମଣ କରିଥିଲେ । ଏହାକୁ ଚିହ୍ନଟ କରିବାକୁ ନେଇ ଗତକାଲି ତଥା ବୁଧବାର ଦିନ ଅଭିଯୁକ୍ତ ଟେଣ୍ଟହାଉସ ମାଲିକ ଅମରେଶଙ୍କୁ ଟେଣ୍ଟହାଉସରେ ଲାଗିଥିବା ସିସିଟିଭି କ୍ୟାମେରାରୁ ତା ଭାଇକୁ ମାଡ ମାରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ସିସିଟିଭି ଫୁଟେଜ ଦେଖାଇବାକୁ କହିଥିଲା ଅଭିଯୁକ୍ତ । ହେଲେ ସିସିଟିଭି ଫୁଟେଜ ଦେଖେଇବାକୁ ମନା କରିଥିଲେ ଅଭିଯୋଗକାରୀ । ଏହାକୁ ନେଇ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିଲା । ଏହାସହ ଟେଣ୍ଟହାଉସକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଧମକ ଦେଇ ଚାଲିଯାଇଥିଲା । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ ।