ବରମୁଣ୍ଡାରେ ସର୍ପିଓ ଉପରକୁ ବୋମାମାଡ ଘଟଣା ; ଦୁଇ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୦୮ା୬ : ଗତ ମଇ ମାସ ୨୭ ତାରିଖ ସକାଳୁ ଅଭିଯୋଗକାରୀ ତାଙ୍କ ସର୍ପିଓ ଗାଡିରେ ତାଙ୍କର ଦୁଇ ସାଙ୍ଗଙ୍କୁ ଛାଡି ବରମୁଣ୍ଡା ଇପିକଲ ରୋଡ ଦେଇ ଘରକୁ ଫେରିବା ବେଳେ ଅଚାନକ ଗାଡି ଉପରକୁ ହୋଇଥିଲା ବୋମାମାଡ । ୨ ଜଣ ଯୁବକ ଏକ ପଲସର ବାଇକରେ ଆସି ହଠାତ ଏହି ବୋମାମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ କିଛି ବୁଝିନପାରି ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ୩୫୬ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ହେଲେ ଅଭିଯୁକ୍ତ ମାନେ ପୁଲିସ ହାତରୁ ଫେରାର ରହିଥିବା ବେଳେ ଘଟଣାର ୧୩ ଦିନ ପରେ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ବାଇକ ମଧ୍ୟ ଜବତ କରାଯାଇଛି । ଯେଉଁଥିରେ ସେମାନେ ଆସି କାର ଉପରକୁ ବୋମାମାଡ କରିଥିଲେ । ଗିରଫ ୨ ଅଭିଯୁକ୍ତ ହେଲେ, ମଞ୍ଚେଶ୍ୱର ଅଞ୍ଚଳର ଉଦିତ୍ ନାରାୟଣ ପ୍ରଧାନ ଓ ଏୟାରଫିଲ୍ଡ ଥାନା ଅଧିନ ସୁନ୍ଦରପଦାର ସହନୱାଜ୍ ମଲ୍ଲୀକ ଓରଫ (ମୁଫି) । ଆଜି ତାଙ୍କୁ ଦଫା ୩୦୭, ୩୪୧, ୨୯୪, ୫୦୬, ୩୪ ଆଇପିସିରେ କୋର୍ଟ ଚାଲାର କରାଯାଇଛି ।
ସୂଚନାଯୋଗ୍ୟଯେ, ଗତ ମଇ ମାସ ୨୭ ତାରିଖ ସକାଳ ୮ଟା ସମୟରେ ଅଭିଯୋଗକାରୀ ରାଜେଶ ସାମନ୍ତସିଂଘାର ତାଙ୍କର ୨ ଜଣ ସାଙ୍ଗ ଅମନ ଚମ୍ପତି ଓ ଦୀପକ ପୃଷ୍ଟିଙ୍କୁ ସେମାନଙ୍କ ଘରେ ଛାଡି ବରମୁଣ୍ଡା ଇପିକଲ ରୋଡ ଦେଇ ଘରକୁ ସର୍ପିଓରେ ଫେରୁଥିଲେ । ଏହି ସମୟରେ ୨ ଜଣ ଯୁବକ ଏକ ପଲସର ବାଇକରେ ହଟାତ ପହଞ୍ଚି ଏକ ବୋମା ଗାଡି ଉପରକୁ ଫୋପାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଫଳରେ ଅଭିଯୋଗକାରୀଙ୍କ କିଛି କ୍ଷତି ହୋଇନଥିବା ବେଳେ କାରର କାଚ ଓ କିଛି ଅଶଂ କ୍ଷତି ହୋଇଥିଲା । ପରେ ଏନେଇ ଅଭିଯୋଗକାରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନାଧିକାରୀ ଅଭିମନୁ୍ୟ ଦାସଙ୍କ ନିଦେ୍ର୍ଦଶ କ୍ରମେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ଜଣ ବୋମାମାଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପରେ ୨ ଜଣଙ୍କୁ ପଚରା ଉଚରା ବେଳେ ଯାହା ଜଣାପଡ଼ିଛି, ଅଭିଯୁକ୍ତ ମୁଫି ତାର ଗାର୍ଲଫ୍ରେଣ୍ଡକୁ ପୁରୀ ନେଇ ଯିବା ବାଟରେ ପିପିଲି ଟୋଲ ଗେଟ୍ ଆଗରେ ଅଭିଯୋଗକାରୀ ଓ ଏମାନଙ୍କ ଭିତରେ କମେଣ୍ଟ ମରାମରି ହେବା ସହ ଟକରା ଟକରି ହୋଇଥିଲେ । ଯାହାକୁ ନେଇ ରାଗରେ ମୁଫି ଓ ତାର ସହଯୋଗୀ ଅଭିଯୋଗକାରୀ ରାଜେଶଙ୍କ ଗାଡିକୁ ପିଛା କରି ସକାଳୁ ସକାଳୁ ବରମୁଣ୍ଡା ଇପିକଲ ରୋଡରେ ଏହି ବୋମାମାଡ କରିଥିଲେ ।