ଆଇଏଏସ ବିନୋଦ କୁମାର ପୁଣି ଦୋଷୀ ସାବ୍ୟସ୍ତ

ଓଏଚ୍ଆରଡିସିରେ ଦୁର୍ନୀତି ମାମଲା
ଭୁବନେଶ୍ୱର,୨୮ା୧ : ଏକାଧିକ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଆଇଏଏସ୍ ତଥା ଓଡିଶା ରୁରାଲ ହାଉସିଂ ଡେଭଲମେଣ୍ଟ କର୍ପୋରେସନ (ଓଏଚ୍ଆରଡିସି)ର ପୂର୍ବତନ ଏମଡି ବିନୋଦ କୁମାର ପୁଣି ଏକ ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାକୁ ମିଶାଇ ଅବସରପ୍ରାପ୍ତ ଦୁର୍ନୀତିଖୋର ଆଇଏଏସ୍ ବିନୋଦ କୁମାର ମୋଟ ୧୧ ଥର ଭିନ୍ନଭିନ୍ନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମାମଲାରେ ବିନୋଦଙ୍କ ସହ ଅନ୍ୟ ୫ ଜଣ ଅଭିଯୁକ୍ତ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନେ ହେଲେ ପୂର୍ବତନ କମ୍ପାନୀ ସଚିବ ସ୍ୱସ୍ତି ରଞ୍ଜନ ମହାପାତ୍ର,ପୂର୍ବତନ ଆକାଉଣ୍ଟ ମୁଖ୍ୟ ପ୍ରଦୀପ କୁମାର ରାଉତ, ପୂର୍ବତନ ଜୁନିୟର ଋଣ ପ୍ରଦାନକାରୀ ଅଧିକାରୀ ସତ୍ୟ ପ୍ରକାଶ ବେହେରା, ପୂର୍ବତନ ରିକୋଭରି ଆସିଷ୍ଟାଣ୍ଡ ଉମେଶ ଚନ୍ଦ୍ର ସ୍ୱାଇଁ, ସିଟି ବିଲ୍ଡସ ଏଣ୍ଡ ଡେଭଲପର୍ସର ଏମଡି ଲିଙ୍ଗରାଜ ପାତ୍ର । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନଙ୍କୁ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଅର୍ଥରେ ଦଣ୍ଡିତ କରାଯାଇଛି ।
 ସୂଚନା ଅନୁଯାୟୀ, ଓଏଚ୍ଆରଡିସିର ଏମଡି ଥିବା ବେଳେ ଆଇଏଏସ୍ ବିନୋଦ କୁମାର ଚଞ୍ଚକତା କରି ଜାଲ କାଗଜପତ୍ର ଜରିଆରେ ସିଟି ବିଲ୍ଡର୍ସ ମୁଖ୍ୟ ଲିଙ୍ଗରାଜ ପାତ୍ରଙ୍କୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲେ । ଯାହା ଫଳରେ ଓଏଚ୍ଆରଡିସି  ପରବର୍ତ୍ତୀ ସମୟରେ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲା । ଏନେଇ ଭିଜିଲାନ୍ସରେ ଅଭିଯୋଗ ହେବା ପରେ ଏହାର ତଦନ୍ତ କରାଯାଇ ବିନୋଦ କୁମାରଙ୍କ ସହ ଅନ୍ୟ ସମସ୍ତଙ୍କୁ ଅଭିଯୁକ୍ତ ଭାବେ ତଦନ୍ତକାରୀ ସଂସ୍ଥା ଚାର୍ଜସିଟରେ ଉଲ୍ଲେଖ କରିଥିଲା ।