ଠିକ୍ ସମୟରେ ଚାଷୀଙ୍କୁ ମିଳିବ ଖରିଫ ବିହନ : କୃଷିମନ୍ତ୍ରୀ

 ଭୁବନେଶ୍ୱର  : ସମସ୍ତ ଚାଷୀଙ୍କୁ ସୁଲଭ ମୂଲ୍ୟରେ ବିହନ ଯୋଗାଇ ଦିଆଯିବ । ଉପଯୁକ୍ତ ସମୟରେ ଚାଷୀଙ୍କ ନିକଟରେ ବିହନଗୁଡ଼ିକ ଉପଲବ୍ଧ କରାଯିବ । ବିଭାଗ ଦ୍ୱାରା କୃଷକଙ୍କ ପସନ୍ଦ ଅନୁଯାୟୀ ବିହନ ଯୋଗାଣକୁ ତ୍ୱରାନ୍ୱିତ କରାଯିବ । ଆଜି କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଲୋକସେବା ଭବନରେ ଅନୁଷ୍ଠିତ ଚାଷୀଙ୍କୁ ଖରିଫ ବିହନ ଯୋଗାଣ ସମ୍ପର୍କିତ ଏକ ବୈଠକରେ ଏହା ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ କେଭି ସିଂଦେଓ । ବୈଠକରେ ରାଜ୍ୟର ଚାଷୀ ଭାଇମାନଙ୍କ ନିମନ୍ତେ ଖରିଫ ୨୦୨୫ ପାଇଁ ବିହନ ଯୋଗାଣ, ଆବଶ୍ୟକତା ଓ ଉପଲବ୍ଧି ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ସେହିପରି ବିଭିନ୍ନ କିସମ ବିହନର ଗୁଣବତ୍ତା ନିଶ୍ଚିତ କରିବାକୁ ନିୟମିତ ନମୁନା ସଂଗ୍ରହ ଏବଂ ପରୀକ୍ଷା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶେଷ କରି ଖରିଫ ଋତୁରେ ପନିପରିବା ମଞ୍ଜି କ୍ରୟ ଓ ଯୋଗାଣ ଉପରେ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । କୃଷି ବିଭାଗ ସଚିବ ଡ. ଅରବିନ୍ଦ ପାଢ଼ୀ କହିଥିଲେ ଯେ କୃଷକଙ୍କୁ ଗୁଣାତ୍ମକ ବିହନ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସବସିଡି ଚାଷୀଙ୍କୁ ଡିବିଟି ମୋଡରେ ପ୍ରଦାନ କରାଯିବ । ବୈଠକରେ ଉଦ୍ୟାନ କୃଷି ନିଦେ୍ର୍ଦଶକ ନିଖିଲ ପବନ କଲ୍ୟାଣ,  କୃଷି ବିଭାଗର ନିଦେ୍ର୍ଦଶକ ଶୁଭମ ସାକସେନାଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।