ରୋଗୀ କଲ୍ୟାଣ ସମିତି ବୈଠକ: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ବିଧାୟକଙ୍କ ଉଦ୍ବେଗ
ନୂଆପଡା,: ନୂଆପଡା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ବୈଠକ ଯୋଗ ଦେବା ସହ ହସ୍ପିଟାଲ ପରିଦର୍ଶନ କରି ଉଦ୍ବେଗ ପ୍ରକାଶ କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମତେ ନୂଆପଡା ଉପଜିଲ୍ଲାପାଳ ସୁର୍ମି ସୋରେନ, ଖଡ଼ିଆଳ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବିଡ଼ିଓ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ସମାଜସେବୀ ଅକ୍ଷୟ ନନ୍ଦ, ବିଶ୍ୱଜିତ ପାଢ଼ୀଙ୍କ ସହ ଖଡ଼ିଆଳ ଅଞ୍ଚଳର କିଛି ବୁଦ୍ଧିଜୀବୀ ଖଡ଼ିଆଳ ହସ୍ପିଟାଲର ପରିଦର୍ଶନ କରି ରୋଗୀଙ୍କ ସମସ୍ୟା ନେଇ ତଦାରଖ କରିଥିଲେ । ପରେ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡାକ୍ତର ରଂଜିତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ, ରୋଗୀ ସେବା ଉନ୍ନତମାନର କରିବାକୁ ରୋଗୀ କଲ୍ୟାଣ ସମିତି ବୈଠକ ଜରୁରୀ ଥିବାବେଳେ କାହିଁକି ଦୀର୍ଘ ତିନି ବର୍ଷ ପରେ ଏହି ବୈଠକ ଆୟୋଜନ କରାଯାଉଛିି ବୋଲି ପ୍ରଶ୍ନ କରିଛନ୍ତି । ପ୍ରତି ୬ ମାସରେ ଥରେ ବୈଠକ ବସିବାର ନିୟମଥିଲେ ହେଁ ଦୀର୍ଘ ତିନ ବର୍ଷେ ହେଲା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ତାହା ଅନୁଷ୍ଠିତ ହୋଇନାହିଁ । ଫଳରେ ପୂର୍ବରୁ ଥିବା ସମସ୍ୟା ସୁଧୁରୁ ନ ଥିବା ବେଳେ ନୂତନ ସମସ୍ୟା ଯୋଗୁଁ ଏଠାରେ ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ବହୁ ସମସ୍ୟା ଦେଇ ଗତି କରୁଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ହଜାର ହଜାର ଲୋକ ନିର୍ଭରଶୀଳ । ହେଲେ ଏହାର ଉନ୍ନତିକରଣ ସହ ରୋଗୀଙ୍କୁ ଉପଯୁକ୍ତ ସେବା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ ।
ଦୀର୍ଘ ଦିନ ହେବ କେନ୍ଦ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଗେଇଛି ସତ, ହେଲେ ଡାକ୍ତର ଓ ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ଓ ଆନ୍ତରିକତାର ଅଭାବ ଯୋଗୁଁ ରୋଗୀ ସେବା ପାଇବାରୁ ବଞ୍ଚôତ ହୋଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ଯାହାକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ଆଜି ବୈଠକରେ ସ୍ୱାସ୍ଥ୍ୟକେନ୍ଦ୍ରର କୌଣସି ସଠିକ୍ କାଗତପତ୍ର ବା ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ସଠିକ୍ ଦେଇ ପାରିନଥିଲେ । ଯାହାକୁ ନେଇ ଆଗାମୀ ଦିନରେ ଏ ଉପରେ ସୁଧାର ନ ଆସିଲେ କର୍ତ୍ତୃପକ୍ଷ ନିଜ ନିଜ ଦୟିତ୍ୱରୁ ଓହରି ଯାଆନ୍ତୁ, ନଚେତ ଆମକୁ ପଦକ୍ଷେପ ନେବାକୁ ପଡିବ ବୋଲି ରୋଗୀ କଲ୍ୟାଣ ସଦସ୍ୟଙ୍କ ସହ ଖଡ଼ିଆଳ ବିଧାୟକ ଉଦ୍ବେଗ ପ୍ରକାଶ କରିବା ସହ କ୍ଷୋଭ ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ଅଫିସର, ସିଡିପିଓ, ପରିମଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ରୋଗୀ କଲ୍ୟାଣ ସମିତି ସଭ୍ୟ ବୈଠକରେ ଉପସ୍ଥିତ ରହିଥିଲେ ।