ତହସିଲ କାର୍ଯ୍ୟାଳୟରୁ ଚୋରି, ଥାନାରେ ଏତଲା
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ତହସିଲ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ୪ଜଣ ଚୋର ଅଫିସ ଭିତରେ ପଶି ଚୋରି ଉଦ୍ୟମ କରିଥିବା ନେଇ ତହସିଲଦାର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ତହସିଲ କାର୍ଯ୍ୟଳୟର ପିଅନ ସକାଳୁ କାର୍ଯ୍ୟାଳୟ ଖୋଲିବା ସମୟରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ପିଅନ ଜଣଙ୍କ ତହସିଲଦାର ମେଘବାନ ବାଗଙ୍କୁ ମୋବାଇଲ ମାଧ୍ୟମରେ ଜଣାଇଥିଲେ। ତହସିଲଦାର କାର୍ଯ୍ୟାଳୟକୁ ଆସି ପ୍ରଥମେ ପୁଲିସକୁ ଖବର ଦେଇଥିଲେ । ରେଜିଷ୍ଟର ଅଫିସରେ ଲାଗିଥିବା ସିସି ଟିଭି କ୍ୟାମେରା ଦେଖି ଜାଣିବାକୁ ପାଇଥିଲେ ଯେ, ଗତକାଲି ରାତି ପ୍ରାୟ ୧ଟା ସମୟରେ ଚାରି ଜଣ ଦୁର୍ବୃତ୍ତ ପାଚେରୀ ଡେଇଁ ଅଫିସ ପରିସରକୁ ଆସି ଅଫିସ୍ର ଗ୍ରିଲର ଚଦର କାଟି ପ୍ରବେଶ କରିଥିଲେ । ଏବଂ ତହସିଲଦାରଙ୍କ ବ୍ୟକ୍ତିଗତ ଚାମ୍ବର ଭିତରକୁ ପଶି ଟ୍ରେଜେରି ଲକରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଲକର ଭାଙ୍ଗିବାରେ ସଫଳ ହୋଇନଥିଲେ । ପରେ ଧରା ପଡ଼ିଯିବା ଭୟରେ ସିସି ଟିଭି କ୍ୟାମେରାକୁ ଫିଙ୍ଗି ଦେଇଥିବା ବେଳେ ଡିଭିଆର୍ ବକ୍ସ ଓ ଭିଡ଼ିଓ କନଫରେନ୍ସ ପାଇଁ ଆସିଥିବା ରାଉଟରକୁ ମଧ୍ୟ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି। ଏନେଇ ତହସିଲଦାର ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଉମରକୋଟ ପୋଲିସ ସବ୍ଇନ୍ସପେକ୍ଟର ସଞ୍ଜୟ ମଣ୍ଡଳ ଘଟଣାସ୍ଥଳରେ ପହଞ୍ôଚ ପ୍ରାରମ୍ଭିକ ତଦନ୍ତ କରିଥିବା ଜଣାପଡିଛି ।