ତାତିଲା ଶୀତକାଳୀନ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ
ଭୁବନେଶ୍ୱର : ଆଜି ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ତଥା ଶୀତ ଅଧିବେଶନ ଆରମ୍ଭ ହୋଇଛି । ପ୍ରଶ୍ନକାଳ ଆରମ୍ଭରୁ ଏକାଧିକ ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହୋହାଲ୍ଲା କରିଥିଲେ । କଂଗ୍ରେସ ଓ ବିଜେଡି ସଦସ୍ୟମାେ ଅନାହର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । କନ୍ଧମାଳ ଜିଲ୍ଲା ମଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ଜାଉ ଖାଇ ୩ ଜଣ ଆଦିବାସୀ ମହିଳାଙ୍କ ମୃତୁ୍ୟ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଏହାପରେ ବାଚସ୍ପତି ସୁରମା ପାଢୀ ଗୃହକୁ ମଧ୍ୟାହ୍ନ ୧୨ଟା ୨୫ ମିନିଟ୍ ଯାଏ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଗୃହକାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଥିଲା ।
ସମ୍ବିଧାନ ଦିବସ ଅବସରରେ ଗୃହରେ ପ୍ରଦର୍ଶିତ ପ୍ରସ୍ତାବନାରୁ ସମ୍ବିଧାନର ଶବ୍ଦ, ଧର୍ମନିରପେକ୍ଷ ଓ ସମାଜବାଦୀ ଶବ୍ଦ ହଜିଯିବା ଘଟଣାକୁ ନେଇ ବରିଷ୍ଠ ବିଜେଡି ସଭ୍ୟ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗ ଉଠାଇଥିଲେ । ସମ୍ବିଧାନର ପ୍ରସ୍ତାବନାରୁ ଏହି ଦୁଇଟି ଶବ୍ଦକୁ ହଟାଇବା ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ସୋମବାର ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ବିଧାନସଭାରେ ପ୍ରଦର୍ଶିତ ସମ୍ବିଧାନର ପ୍ରସ୍ତାବନାରୁ ଏହି ଶବ୍ଦଗୁଡ଼ିକ ଅନୁପସ୍ଥିତ ରହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । କଂଗ୍ରେସ ସଭ୍ୟମାନେ ମଧ୍ୟ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହି ଗୃହରେ ହୋହାଲ୍ଲା କରିଥିଲେ । ଏନେଇ ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକାର୍ଯ୍ୟ ଠିକ ଭାବେ ଚାଲିନପାରିବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ତେବେ ଆଜି ଦିନ ଏଗାରଟାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଧାନସଭାର ପରମ୍ପରା ଅନୁସାରେ ବିଧାନସଭା ଗୃହ ପ୍ରାଙ୍ଗଣରେ ବାଚସ୍ପତି ସୁରମା ପାଢୀ ପହଞ୍ଚିବା ପରେ ରାଜ୍ୟ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ସମୟ ଭିତରେ ଗୃହମଧ୍ୟରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶାସକ, ବିରୋଧୀ ଦଳ ସଦସ୍ୟ ମାନେ ଉପସ୍ଥିତ ହୋଇସାରିଥିଲେ । ଏହା ପରେ ବାଚସ୍ପତି ଗୃହରେ ଜାତୀୟ ସଂଗୀତ ଗାନ ପାଇଁ ଅନୁରୋଧ କରିବା ପରେ ଯନ୍ତ୍ର ସଂଗୀତ ବାଜି ଉଠିଥିଲା ଓ ସମସ୍ତ ସଦସ୍ୟ ନିଜ ନିଜ ସ୍ଥାନରେ ଠିଆ ହୋଇ ଜାତୀୟ ସଂଗୀତକୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଗୃହରେ ଏହାପରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଦିବଂଗତ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ସଦସ୍ୟ ଧନେଶ୍ୱର ମାଝୀ, ମକରଧ୍ୱଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉକôଳ କେଶରୀ ପରିଡ଼ା ଓ ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କୁ ଗୃହର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା । ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ବାଚସ୍ପତି ସୁରମା ପାଢୀ ଗୃହରେ ଦିବଂଗତ ପୂର୍ବତନ ମନ୍ତ୍ରୀ ତଥା ସଦସ୍ୟ ମାନଙ୍କ ଜୀବନକାଳରେ କରିଥିବା ଗୁଣାବଳୀ ବର୍ଣ୍ଣନା କରିଥିଲେ । ପରେ ପରେ ଦିବଂଗତଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।