ଜବତ ହେଲାଣି ୧୦୯ କୋଟିର ଡ୍ରଗ୍ସ
ଭୁବନେଶ୍ୱର : ରାଜ୍ୟରେ ଏବେ ଗଞ୍ଜେଇ, ହିରୋଇନ୍, ଅଫିମ ଭଳି ଡ୍ରଗ୍ସ କାରବାର ବଢ଼ିବାରେ ଲାଗିଛି । ଏଥିରେ ରୋକ୍ ଲଗାଇବା ପାଇଁ ଘନଘନ ଚଢ଼ାଉ କରାଯାଉଥିବାବେଳେ ଗତ ଦୁଇବର୍ଷରେ ୧୦୯ କୋଟିର ଡ୍ରଗ୍ସ ଜବତ କରାଯାଇଛି । ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ୬୪ କୋଟିର ଡ୍ରଗ୍ସ ଜବତ ହୋଇଥିବାବେଳେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୪୫ କୋଟିର ଡ୍ରଗ୍ସ ଧରା ହୋଇଛି । ଗତ ଆର୍ଥିକ ବର୍ଷରେ ୩୪୬୭୯ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ୨୮୫୭୪ ଗ୍ରାମର ହିରୋଇନ୍ ଜବତ ହୋଇଛି । ସେହିପରି ୧୨୮୩ ବିଏଲ କଫ ସିରପ, ୩୫ ହଜାର ଓପିଅମ୍ ପପି ଏବଂ ୧୪୦ କେଜି ଓପିଅମ୍ ଷ୍ଟ୍ର ଜବତ ହୋଇଛି । ଯାହାର ମୂଲ୍ୟ ୬୪ କୋଟି ୧୦ ଲକ୍ଷ ଟଙ୍କା ହେବବୋଲି ଆକଳନ କରାଯାଇଛି । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୦୪୦୪ କେଜି ଗଞ୍ଜେଇ, ୨୪୮୩୦ ଗ୍ରାମ ହିରୋଇନ୍ ବା ବ୍ରାଉନସୁଗର, ୧୧୫୦ ବିଏଲ କଫ ସିରପ, ୪୫୦ ଗ୍ରାମ ଅଫିମ ଜବତ ହୋଇଛି । ଏହାର ମୂଲ୍ୟ ୪୫ କୋଟି ୩୫ ଲକ୍ଷ ଟଙ୍କା ହେବବୋଲି ଅନୁମାନ କରାଯାଉଛି ।