ଭୟଙ୍କର ବିମାନ ଦୁର୍ଘଟଣା ୨୪୧ ମୃତ

ଅହମ୍ମଦାବାଦ: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ଯାତ୍ରୀଙ୍କ ପାଇଁ ଆଜି ଥିଲା କଳା ଗୁରୁବାର  । ବିମାନ ଭୂଇଁରୁ ଆକାଶକୁ ଉଠିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ମାତ୍ର ୨ ମିନିଟ୍ ଯାତ୍ରା ଶେଷ ଯାତ୍ରାରେ ପରିଣତ ହୋଇଯାଇଛି  । ବିମାନରେ ୨୪୨ ଜଣ ଯାତ୍ରୀ ଯାଉଥିବାବେଳେ ୨୪୧ ଜଣଙ୍କର ମୃତୁ୍ୟ ହୋଇଯାଇଛି  । ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବାବେଳେ ବିମାନ ଯାତ୍ରାର ସୁରକ୍ଷାକୁ ନେଇ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  । ଅପରପକ୍ଷରେ ଏନେଇ ଭାରତ ସମେତ ଆମେରିକା ଓ ବ୍ରିଟେନର ଏଜେନ୍ସୀ ବି ତଦନ୍ତ କରିବେ ବୋଲି ଜଣାପଡ଼ିଛି  । ଦୁର୍ଘଟଣା ଯୋଗୁଁ ୧.୨୫ ଲକ୍ଷ ଲିଟର ଇନ୍ଧନ ଜଳିବାରୁ ପ୍ରବଳ ଉତ୍ତାପ ସୃଷ୍ଟି ହୋଇଥିଲା  । ଫଳରେ କାହାକୁ ବଞ୍ଚାଇବା ସମ୍ଭବପର ନଥିଲା ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି  । 
˜ ଉଡ଼ାଣର ୨ ମିନିଟ୍ରେ ଦୁର୍ଘଟଣା
ଦିନ ୧ଟା ୩୯  । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା ଏୟାର ଇଣ୍ଡିଆର ଏଆଇ୧୭୧  । ବିମାନରେ ଥିଲେ ୨୩୦ ଯାତ୍ରୀ ଓ ୧୨ କ୍ରିଉ ମେମ୍ବର  । ସତେଯେମିତି ଏହି ବିମାନକୁ ଛକି ବସିଥିଲା କାଳ ଯମ  । ଉଡ଼ାଣ ଭରିବାର ମାତ୍ର ମିନିଟକ ମଧ୍ୟରେ ଏୟାର ଟ୍ରାଫିକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା  । ସେତେବେଳକୁ ବିମାନଟି ମାତ୍ର ୬୨୫ ଫୁଟ୍ ଉଚ୍ଚତାରେ ଥିଲା  । କେହି କିଛି ଭାବିବା ପୂର୍ବରୁ ହଠାତ୍ ବିମାନଟି ବିଜେ ମେଡ଼ିକାଲ ହସପିଟାଲର ହଷ୍ଟେଲରେ ମାଡ଼ ହୋଇ ଜଳି ଯାଇଥିଲା  ।
˜ ପାଇଲଟ୍ ଦେଇଥିଲେ ମେଡେ କଲ୍
କ୍ୟାପଟେନ ସୁମିତ ଶୁଭ୍ରୱାଲ ଓ ଫାଷ୍ଟ ଅଫିସର କ୍ଳାଇଭ କୁନ୍ଦର ଦକ୍ଷ ପାଇଲଟ ଭାବେ ଜଣାଶୁଣା  । ବିମାନଟି ଉଡ଼ାଣ ଭରିବା ବେଳେ ସମସ୍ୟା ଥିବାରୁ ପାଇଲଟ ମେଡେ କଲ କରିଥିଲେ  । ଜରୁରୀକାଳୀନ ସ୍ଥିତି ଅଛି ବୋଲି ଅବଗତ କରାଇଥିଲେ ବୋଲି ଡିଜିସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି  । ଏହି ବୋଇଂ ୭୮୭-୮ ଡ୍ରିମଲାଇନରରେ ବହୁ ସୁରକ୍ଷା ବୈଶିଷ୍ଟ୍ୟ ରହିଥିଲା  । ଏହାକୁ ବିଶ୍ୱର ଅନ୍ୟତମ ସୁରକ୍ଷିତ ବିମାନ ବୋଲି କୁହାଯାଏ  ।
˜ ପ୍ରତି ମୃତକଙ୍କ ପରିବାରକୁ କୋଟିଏ ଦେବ ଟାଟା
ସମ୍ପ୍ରତି ଟାଟା ଗ୍ରୁପ ଏୟାର ଇଣ୍ଡିଆର ପରିଚାଳନା କରୁଛି  । ବିମାନ ଦୁର୍ଘଟଣାକୁ ନେଇ ଟାଟା ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି  । ପ୍ରତି ମୃତକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ କୋଟିଏ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ  । ଆହତଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ମଧ୍ୟ ଟାଟା ବହନ କରିବ  । ସେହିପରି ବିଜେ ମେଡ଼ିକାଲ ହଷ୍ଟେଲର ପୁନଃନିର୍ମାଣ ପାଇଁ ଟାଟା ସହାୟତା ଦେବବୋଲି ଟାଟା ସନ୍ସ ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍ ପ୍ରକାଶ କରିଛନ୍ତି  ।
˜ ଭାଗ୍ୟବାନ ରମେଶ ବିଶ୍ୱକୁମାର
ଏହି ଭୟଙ୍କର ଦୁର୍ଘଟଣାରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ରମେଶ ବିଶ୍ୱକୁମାର  । ବିମାନର ୧୧ ଏ ସିଟ୍ରେ ସେ ବସିଥିଲେ  । ଏହି ସିଟ୍ଟି ଇକୋନୋମି କ୍ଳାସ କ୍ୟାବିନର ଆଗ ଧାଡ଼ିରେ  । ରମେଶଙ୍କ ଭିଡ଼ିଓ ବି ଭାଇରାଲ୍ ହେବାରେ ଲାଗିଛି  । ସେ ଜଣେ ବ୍ରିଟିଶ ନାଗରିକ ହୋଇଥିଲେବି ଗୁଜୁରାଟୀ ଭାଷାରେ କହୁଛନ୍ତି  । ଦୁର୍ଘଟଣାଗ୍ରସ୍ତ ବିମାନରୁ ସେ ବାହାରକୁ ଆସିବା ପରେ କ’ଣ ହୋଇଛି ଅନ୍ୟମାନେ ପଚାରିଥିଲେ  । ତେବେ ବିମାନ ବିସ୍ଫୋରଣ ହୋଇଯାଇଛି ଓ ଅନ୍ୟମାନେ ସେହି ବିମାନରେ ଅଛନ୍ତି ବୋଲି କହିଥିଲେ  ।  
˜ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୃତ
ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଏହି ବିମାନରେ ଲଣ୍ଡନ ଯାଉଥିଲେ  । କିନ୍ତୁ ଭୟଙ୍କର ଦୁର୍ଘଟଣାରେ ତାଙ୍କର ମୃତୁ୍ୟ ଘଟିଛି  । ୨୦୧୬ ଅଗଷ୍ଟରୁ ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ  । ବିଜିନେସ କ୍ଳାସରେ ସେ ଯାତ୍ରା କରୁଥିଲେ  । ଏହି ଖବର ମିଳିବା ମାତ୍ରେ ରୂପାନୀଙ୍କ ବାସଭବନ ସାମ୍ନାରେ ହଜାର ହଜାର ସମର୍ଥକ ଗଦା ହୋଇଯାଇଥିଲେ  ।  
˜ ଦିଲ୍ଲୀ ଓ ମୁମ୍ବାଇ ପାଇଁ ରିଲିଫ୍ ଫ୍ଲାଇଟ୍
ଏତେବଡ଼ ବିମାନ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ମୃତକଙ୍କ ପରିବାରବର୍ଗ ମର୍ମାହତ ହୋଇପଡ଼ିଛନ୍ତି  । ଯାତ୍ରୀ ଓ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଅହମ୍ମଦାବାଦ ଆଣିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ଓ ମୁମ୍ବାଇ ପାଇଁ ଦୁଇଟି ରିଲିଫ୍ ବିମାନର ବ୍ୟବସ୍ଥା କରାଯାଇଛି  । ଦିଲ୍ଲୀରୁ ଆଜି ରାତି ୧୧ ଓ ମୁମ୍ବାଇରୁ ରାତି ୧୨ଟାରେ ଏହି ବିମାନ ଯିବା ସହ ଯେଉଁମାନେ ଅହମ୍ମଦାବାଦରୁ ଦିଲ୍ଲୀ କିମ୍ବା ମୁମ୍ବାଇ ଫେରିବେ ତାହାର ବ୍ୟବସ୍ଥା କରାଯାଇଥିଲା  ।
˜ ଡିଏନ୍ଏ ଟେଷ୍ଟିଂରେ ହେବ ଚିହ୍ନଟ
ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କର ଶବ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି  । ତେବେ ନିଅାଁରେ ଶରୀର ଜଳି ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ନୁହେଁ  । ତେଣୁ ମୃତକଙ୍କ ବାପାମା’ ଓ ପିଲାମାନଙ୍କୁ ଡିଏନଏ ସାମ୍ପଲ ଦେବାକୁ କୁହାଯାଇଛି  । ଯାହାଫଳରେ ଶବ ସହଜରେ ଚିହ୍ନଟ ହୋଇପାରିବ  । ବିଜେ ମେଡ଼ିକାଲ୍ରେ ଏହି ଚିହ୍ନଟ ହେବ  ।
˜ ବିଜେ ମେଡ଼ିକାଲ ହଷ୍ଟେଲ ଧ୍ୱଂସ, ୫ ଡାକ୍ତର ମୃତ
ବିମାନଟି ବିଜେ ମେଡ଼ିକାଲ ହଷ୍ଟେଲରେ ମାଡ଼ ହେବାରୁ ପୂରା ବିଲଡ଼ିଂ ଦୋହଲି ଯାଇଥିଲା  । ଯେଉଁସ୍ଥାନରେ ମାଡ଼ ହୋଇଛି, ସେହିସ୍ଥାନ ସମ୍ପୂର୍ଣ୍ଣ ଭାବେକ୍ଷତିଗ୍ରସ୍ତ ହୋଇଛି  । ଅପରପକ୍ଷରେ ହଷ୍ଟେଲରେ ଥିବା ୫ ମେଡ଼ିକାଲ ଛାତ୍ର ମୃତୁ୍ୟବରଣ କରିଥିବାବେଳେ ପ୍ରାୟ ୫୦ ଜଣ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି  । କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି  ।
˜ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟରେ ଆର୍ମି
ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଆର୍ମି ପକ୍ଷରୁ ଇଞ୍ଜିନିୟର, ପାରାମେଡ଼ିକାଲ ଓ ମିଲିଟାରୀ ହସପିଟାଲ କର୍ମଚାରୀମାନେ ସେଠାରେ ପହଁଚିଥିଲେ  । ପ୍ରାୟ ୧୩୦ ଜଣ କର୍ମଚାରୀ ମୁତୟନ ହୋଇଥିବା ଜଣାପଡ଼ିଛି  । ସେଠାରେ ଏକ ମିଲିଟାରୀ ହସପିଟାଲ ମଧ୍ୟ ଅସ୍ଥାୟୀ ଭାବେ କରାଯାଇଥିଲା  ।