ଦାଦନ ଖଟିବାକୁ ଯାଇ ସ୍ୱାମୀ ନିଖୋଜ
ଉମରକୋଟ : ଟଙ୍କା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଯାଇଥିଲେ ହେଲେ ଦଲାଲ ହାବୁଡ଼ରେ ପଡି ଦେଢ ବର୍ଷ ହେବ ଆଉ ଫେରି ନାହାନ୍ତି ଯୁବକ ଜଣକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ । ଯୁବକ ଜଣକ ହେଲେ ଉମରକୋଟ ପୈାର ପରିଷଦର ୧୨ ନଂ ୱାର୍ଡର କ୍ଷେତ୍ର ହରିଜନ (୩୨) । ଏନେଇ କ୍ଷେତ୍ରଙ୍କ ସ୍ତ୍ରୀ ସୁଶିଳା ହରିଜନ (୨୭) ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁଶିଳାଙ୍କ ଲିଖିତ ଅଭିଯୋଗ ଅନୁସାରେ ୩୦/୧୦/୨୩ ମସିହା ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ସାହିର ସଞ୍ଜିପ ସାହା ତାଙ୍କ ସ୍ତ୍ରୀ ନୀଳାରାଣି ସାହା କ୍ଷେତ୍ରଙ୍କ ଘରକୁ ଆସିଥିଲେ । କ୍ଷେତ୍ରକୁ ଅଧିକା ଟଙ୍କା ରୋଜଗାର କରିବାକୁ ପ୍ରଲୋଭନ ଦେଖାଇ କୁଲି କାମ କରେଇବାକୁ ଛତିଶଗଡ଼ର ରାୟପୁରକୁ ନେଇ ଯାଇଥିଲେ । ୪/୧୧/୨୩ ତାରିଖ ଦିନ ସଞ୍ଜିପ ଓ ନୀଳାରାଣି ରାୟପୁର ଠାରୁ ଉମରକୋଟ ଫେରି ଆସିଥିଲେ କିନ୍ତୁ ସାଙ୍ଗରେ କ୍ଷେତ୍ରକୁ ଆଣି ନଥିଲେ । କ୍ଷେତ୍ରଙ୍କ ବିଷୟରେ ପରିବାର ଲୋକେ ସଞ୍ଜପକୁ ପଚାରିବାରୁ ସଞ୍ଜିପ କ୍ଷେତ୍ରର ଦରମା ବାବଦକୁ ପ୍ରତି ମାସରେ ୧୦,୦୦୦/ ଟଙ୍କା ଦେବି ବୋଲି କହିଥିଲେ । ଏହି ପରି ଦଶ ମାସ ଟଙ୍କା ଦେଇଥିଲେ ସଞ୍ଜିପ । ସେହି ଟଙ୍କାରେ ପରିବାର ଚଳାଉ ଥିଲେ ସୁଶିଳା । ଏବେ କିଛି ମାସ ହେବ ଆଉ ଟଙ୍କା ଦେଉନାହାନ୍ତି ସଞ୍ଜିପ । ପରିବାର ଚଳାଇବା କଷ୍ଟ ହେବାରୁ ସୁଶିଳା ଖୋଜିଥିଲେ କ୍ଷେତ୍ରକୁ । କ୍ଷେତ୍ର କେଉଁ ଠାରେ ଅଛି ତାହା ଜାଣିବାକୁ ପରିବାର ଲୋକେ ସଞ୍ଜିପ ପଚାରି ବୁଝିଥିଲେ । କିନ୍ତୁ ସଞ୍ଜିପ କ୍ଷେତ୍ରଙ୍କ ଠିକଣା ଜାଣି ନଥିବା କହିଥିଲେ । ଏନେଇ ସୁଶିଳା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି । ସୁଶିଳା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ସଞ୍ଜିପ ମୋ ସ୍ୱାମୀଙ୍କୁ ମାରି ଦେଇଛି । ଯଥା ଶୀଘ୍ର ମୋ ସ୍ୱାମୀଙ୍କୁ ମୋତେ ଆଣି ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ।ବାପାର ଫେରିବା ବାଟକୁ ଚାହିଁ ବସିଛି କ୍ଷେତ୍ରର ୯ ବର୍ଷର ପୁଅ ।