ଦାନଗଦୀ ଅଞ୍ଚଳରେ ମାଫିଆଙ୍କ କଚେ ପୁଅ ବାର୍
ାା ପ୍ରଭାନୁ୍ୟଜ ।ା ଯଖପୁରା : ଲଘୁ ଖଣିଜ ଅଧିକାରୀ ନିଘୋଡ଼ ନିଦ୍ରାରେ । ଏହାର ସୁଯୋଗ ନେଇ ମାତିଛନ୍ତି ଲଘୁ ଖଣିଜ ଲୁଟେରା । ଯେବେ ଠାରୁ ବାଲି, ମାଟି, ମୋରମର ଲୁଟ୍ ତଦାରଖ ଦାଇତ୍ୱ ଲଘୁ ଖଣିଜ ବିଭାଗକୁ ହସ୍ତାନ୍ତର ହେଲାଣି ସେବେ ଠାରୁ ଦାନଗଦୀ ତହସିଲ୍ ଅଧିନରେ ଆସୁଥିବା ବାଲି, ମୋରମ ଲୁଟେରାଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ବାଲି ମୋରମ ଲୁଟ କରୁଥିବା ମାଫିଆ ମାଲେ ମାଲ ହେଉଛନ୍ତି । ଯାହାକୁ ରୋକିବା ଲଘୁ ଖଣିଜ ବିଭାଗ ପାଇଁ ଅସମ୍ଭବ ହୋଇପଡିଛି । ବାଲି, ମାଟି, ମୋରମ ଲୁଟର ତଦାରଖ କରିବା କେବଳ ଯେ ଲଘୁ ଖଣିଜ ବିଭାଗ ନିକଟରେ ଅଛି ତାହା ନୁହେଁ ଏହି ଚୋରିକୁ ରୋକିବା ସ୍ଥାନୀୟ ଥାନା ଅଧିକାରୀ ଅବା ଦାନଗଦୀ ତହସିଲ୍ ଅଧିକାରୀଙ୍କ କ୍ଷମତା ଅଛି ।
ମାତ୍ର ତାହାକୁ ଅଟକାଇବା ପାଇଁ ଉଭୟ ଅଧିକାରୀଙ୍କ ଆନ୍ତରିକତା ହେଉ କି ସମନ୍ୱୟର ଅଭାବ ଯୋଗୁଁ ତାହା ହେଉଥିବାର ଦେଖିବାକୁ ମିଳୁନାହିଁ । କିନ୍ତୁ ସାଧାରଣ ଲୋକଙ୍କ ଅଭିଯୋଗ ହେଉଛି ବାଲି ମୋରମ ମାଫିଆଙ୍କ ସହିତ ଉକ୍ତ ଅଧିକାରୀଙ୍କ ମଧୂଚନ୍ଦ୍ରିକା ପାଇଁ ଏହା ସମ୍ଭବ ହୋଇପାରୁଛି । ବାଲି, ମୋରମ ଲୁଟ ହେଉଥିବାର ଖବର ଦେବା ପାଇଁ ସାଧାରଣ ଲୋକ ଲଘୁ ଖଣିଜ ଅଧିକାରୀଙ୍କୁ ଅବଗତ କରୁଥିଲେ ସୁଦ୍ଧା କିଛି ଲାଭ ମିଳୁନି । ସଦ୍ୟ ଦାନଗଦୀ ତହସିଲଦାର ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି । ଯାହା ଅଭିଯୋଗ ହୁଏ ଏହାର ପ୍ରଭାବ ଦାନଗଦୀ ତହସିଲ୍ ଅଧିନରେ ଆସୁଥିବା ଅଞ୍ଚଳରେ ପଡିଛି । ଶୋଇ ରହିଥିବା ବାଲି ମୋରମ ମାଫିଆ ପୁଣି ସକ୍ରିୟ ହୋଇଛନ୍ତି । ଯେଉଁ ବାଲି ଘାଟ ବର୍ଷେ ଦୁଇ ବର୍ଷରୁ ପଡ଼ି ରହିଥିଲା ତାହା ଏବେ ଚାଲିବା ଆରମ୍ଭ ହୋଇଯାଇଛି । ଦାନଗଦୀ ତହସିଲ୍ ଅଧିନରେ ଆସୁଥିବା ଚକୁଆ ବାଲି ଘାଟ ହେଉ ଅଥବା ଖପୁରିଆପଦା ବାଲି ଘାଟ ତହସିଲଦାରଙ୍କ ଚଢାଉ ପାଇଁ ବେଆଇନ ବାଲି ଘାଟକୁ ବନ୍ଦ କରିବାକୁ ପଡ଼ିଥିଲା । ମାତ୍ର ସେ ସବୁ ଘାଟ ଏବେ ପୁଣି ଚାଲୁଥିବାର ଦେଖିବାକୁ ମିଳୁଛି । ପ୍ରତିଦିନ ବିନା ଭୟରେ ବାଲି ଲୁଟେରା ବାଲି ଉଠାଣ କରୁଛନ୍ତି । ଖପୁରିଆପଦା ଓ ଚକୁଆ ବାଲି ଘାଟରୁ ଶହ ଶହ ଟ୍ରିପ ବାଲି ଉଠାଣ ହେଉଛି । ଲଘୁ ଖଣିଜ ବିଭାଗରେ ଅଧିକାରୀଙ୍କ ସଂଖ୍ୟା ନଗଣ୍ୟ ସହିତ ଉକ୍ତ ବିଭାଗର କାର୍ଯ୍ୟାଳୟ ଯାଜପୁର ଟାଉନରେ ଥିବା ହେତୁ ଏହାର ସୁଯୋଗ ନେଇ ବାଲି ଲୁଟ କରିବା ସହଜ ହେଉଛି । ସ୍ଥାନୀୟ ପୁଲିସ କିମ୍ବା ତହସିଲ୍ ଅଧିକାରୀ ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ସେମାନଙ୍କୁ ପଚାରିବାରୁ କହୁଛନ୍ତି ଏହା ଆମର କାମ ନୁହେଁ । ଏହାକୁ ରୋକିବା ପାଇଁ ଆମକୁ ସେମିତି କିଛି ସୁବିଧା ସୁଯୋଗ ଦିଆଯାଇ ନାହିଁ । ଆମେ କାହିଁକି ଯିବୁ? କେବଳ ଯେ ବାଲି ଲୁଟ ହେଉଛି ତାହା ନୁହେଁ ବ୍ରାହ୍ମଣୀ ନଦୀ କୂଳରେ ଥିବା ମନୋହରପୁର ଗାଁ ନଦୀ ପଠାରୁ ଶହଶହ ଟ୍ରିପ ମାଟି ଉଠାଣ ହେଉଛି । ଯାହାକୁ ରୋକିଁବା ପାଇଁ କେହି ନାହାଁନ୍ତି । ନଦୀ ପଠାରୁ ମାଟି ଗଭୀର କରି ଖୋଳି ନିଆଯାଉଥିବାରୁ ନଦୀ ବନ୍ଧ ବିପଦରେ ପଡ଼ି ଯାଇଛି । ନଦୀ ବନ୍ଧ ଦୁର୍ବଳ ହେଉଥିବାରୁ ବଢ଼ି ଆସିଲେ ତାହା ଭୁଶୁଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ମଧ୍ୟ ମାଟି ଲୁଟେରା ଭ୍ରୁକ୍ଷେପ କରୁନାହାନ୍ତି । ଆଗାମୀ ବର୍ଷା ଋତୁରେ ଯଦି ନଦୀରେ ବନ୍ୟା ଆସିବ ତେବେ ନଦୀ ପଠା ଦୁର୍ବଳ ହେତୁ ବନ୍ଧ ଭାଙ୍ଗିବାର ସମ୍ଭାବନା ରହିଛି । ନଦୀ ବନ୍ଧ ଭାଙ୍ଗି ଧନ ଜୀବନ ନଷ୍ଟ ହେଲେ କିଏ ଦାୟୀ ରହିବ? ଖପୁରିଆପଦା, ଚକୁଆ, ମନୋହରପୁର, ପଙ୍କପାଳ ଆଦି ବାଲିଘାଟରୁ ବ୍ୟାପକ ପରିମାଣର ବାଲି ଉଠାଣ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଥିବା ଗାଁ ରାସ୍ତା ସବୁ ନଷ୍ଟ ହେଉଥିବାର ଦେଖିବାକୁ ମିଳୁଛି । ଟ୍ରାକ୍ଟର,ଟିପର,ହାଇୱାରେ ବାଲି ଚାଲାଣ ହେଉଥିବାରୁ ରାସ୍ତାରେ ସାଧାରଣ ଲୋକଙ୍କ ଯିବା ଆସିବା କଷ୍ଟ ହେଇପଡୁଛି । ବର୍ଷା ଦିନ ଥିବାରୁ ରାସ୍ତା ଘାଟ ସବୁ କାଦୁଅରେ ପଚର ପଚର ହେଉଛି । ଫଳରେ ଏହି ରାସ୍ତାଦେଇ ଯାଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ପଥଚାରୀ କଷ୍ଟ ଭୋଗୁଛନ୍ତି । କହିବ କାହାକୁ ଶୁଣିବ କିଏ ନ୍ୟାୟରେ ସମସ୍ତଙ୍କ ମିଲିଭଗତରେ ଏହା ସମ୍ଭବ ହୋଇପାରୁଛି ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି ।
ରାଜ୍ୟରେ ନବୀନ ସରକାର ପରିବର୍ତନ ପରେ ମୋହନ ମାଝୀ ସରକାରଙ୍କଠୁ ନୂତନ ଆଶା ରଖିଥିବା ସାଧାରଣ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନୂତନ ସରକାରର ରାଜସ୍ୱ ମନ୍ତ୍ରୀ ଜିରୋ ଟଲେରାନ୍ସରେ କାର୍ଯ୍ୟ କରିବେ ବୋଲି ଦିଣ୍ଡିମ ପିଟୁଥିବା ବେଳେ ପ୍ରକୃତ କ୍ଷେତ୍ରରେ ତାହା ସଂପୂର୍ଣ୍ଣ ଭିନ୍ନ ରହିଥିବାର ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଏହା ଉପରେ ଦୃଷ୍ଟି ଦିଆନଗଲେ ବାଲି, ମାଟି, ମୋରମ ମାଫିଆଙ୍କ ଉପଦ୍ରବ ଦ୍ୱିଗୁଣିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।