ଦ୍ୱିତୀୟ ସୁକତେଲ ମହୋତ୍ସବ ଉଦ୍ଘାଟିତ
ବଲାଙ୍ଗୀର: ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ରାମ ମନ୍ଦିର ନିକଟସ୍ଥ ପଡିଆରେ ଦ୍ୱିତୀୟ ସୁକତେଲ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ଯୋଗ ଦେଇ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍ଡିପିଓ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି, ପ୍ରଶାନ୍ତ କୁମାର ମେହେର ପ୍ରବାସୀ କଳା ସଂଗଠକ, ସାସ୍ୱତ କୁମାର ତ୍ରିପାଠି ମୁଖ୍ୟବକ୍ତା, ବିଧୂଭୂଷଣ ସିଂଦେଓ ସଭାପତି ପ୍ରମୁଖ ମଂଚାସୀନ ଥିଲେ । ମଳୟ ଆନନ୍ଦ କୁମାର ତ୍ରିପାଠୀ ସଂଯୋଜନା କରିଥିଲେ । ଏହି ମହୋତ୍ସବକୁ ନ୍ୟାସ୍ନାଲ ସାର୍ଭିସ ଫାଉଣ୍ଡେସନ ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଲୋୟର ସୁକତେଲ ଅବବାହିକାରେ ଗଢି ଉଠିଥିବା କଳା, ସଂସ୍କୃତି ଓ ସାହିତ୍ୟର ଯେମିତି କ୍ଷୟ ନ ହେବ ତାର ଉତ୍ଥାନ ପାଇଁ ଏହି ପରବ ଆୟୋଜନ କରୁଥିବା ହେତୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ଆଗାମୀ ଦିନରେ ସରକାର ଏବଂ ବିଭାଗ ନିଶ୍ଚିତ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ସାହୁ ଏ ଅଂଚଳରେ ଶାନ୍ତି, ଶୃଙ୍ଖଳା ବଜାୟ ରଖି କଳାକାରଙ୍କୁ ଉଚିତ ସମ୍ମାନ ଦେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଟ୍ୱିଙ୍କିଲ ମହାପାତ୍ରଙ୍କୁ ସୁକତେଲ ସମ୍ମାନ ପ୍ରଦାନ କରାଯାଇଥିଲା । ଆଜିର ଏହି ସମାରୋହରେ ଶ୍ରୀରାମକୃଷ୍ଣ ଆଶ୍ରମ କଳାହାଣ୍ଡିର ଘୁମୁରା ଦଳ, ଦଣ୍ଡନୃତ୍ୟ, ଜିତେନ୍ଦ୍ରିୟ ହରିପାଲ କଳାକେନ୍ଦ୍ର ବଲାଙ୍ଗିର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆବାହକ ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠି, ହାଡିବନ୍ଧୁ ତ୍ରିପାଠି, ସତ୍ୟନାରାୟଣ ଗହିର, ସଂଜୟ ଆନନ୍ଦ ତ୍ରିପାଠି, କଳା ସଂଗଠକ ଜୟକୃଷ୍ଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।