ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି
ମାଲକାନଗିରି: ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥର ସାଧାରଣତନ୍ତ୍ର ଦିବସକୁ କିପରି ଅଧିକ ଭଲ କରିହେବ, ବିଶେଷ କରି ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକ ନିଷ୍ପତ୍ତି ଅନୁଯାୟୀ, ଜାନୁଆରୀ ୨୨, ୨୩ରେ ପ୍ରତ୍ୟେହ ଅପରାହ୍ନ ୩ଟା ଏବଂ ୨୪ ତାରିଖ ସକାଳ ୭ ଟା ୩୦ରେ ଡିଏନକେ ଖେଳ ପଡିଆ ପରିସରରେ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହେବ । ପ୍ୟାରେଡରେ ସପ୍ତମରୁ ଦଶମ ଓ କଲେଜ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିବେ । ଏହାବାଦ୍ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ବକ୍ତୃତା, ପ୍ରବନ୍ଧ ଦେଶାତ୍ମବୋଧକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ କରାଯିବ । ଜାନୁଆରୀ ୨୬ ପ୍ରାତଃ ୪ ଟା ୩୦ ରେ ରାମଧୁନ, ସକାଳ ୭ ଟା ୩୦ ରେ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଏବଂ ସକାଳ ୯ ଟାରେ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଭିନ୍ନ ବିଭାଗ ଦ୍ୱାରା ପ୍ରଜ୍ଞାପନ ମେଢ ପ୍ୟାରେଡ୍ ସମୟରେ ପ୍ରଦର୍ଶିତ ହେବ । ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଓ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱେଚ୍ଛା ସେବୀ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ ।