ବିଚ ରାସ୍ତାରେ ମହିଳାଙ୍କ ବେକରୁ ଚେନ ଲୁଟ

ବଲାଙ୍ଗିର : ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ବାଲାଙ୍ଗିର ମୁଖ୍ୟ ରାସ୍ତାରେ କଲେଜ ଛକ ନିକଟସ୍ଥ ଶିବଶକ୍ତି ନଗର ଡୁଙ୍ଗୁରୀପଡାରେ ବିଚ ରାସ୍ତାରେ ମହିଳାଙ୍କ ବେକରୁ ଚେନ ଲୁଟି ଫେରାର ହୋଇଯାଇଛନ୍ତି ଦୁର୍ବୁର୍ତ୍ତ । ଲୁଟର ଶିକାର ହୋଇଥିବା ମହିଳା ଜଣକ ଶିବଶକ୍ତି ନଗରର ତନୁଜା ଆଚାର୍ଯ୍ୟ । ତନୁଜା ମନ୍ଦିରରୁ ଫେରୁଥିବା ସମୟରେ ତାଙ୍କ ଘର ନିକଟରେ ଜଗିବସିଥିବା ଲୁଟେରାଗ୍ୟାଙ୍ଗ ମହିଳାଙ୍କ ବେକରୁ ଚେନ ଲୁଟି ଫାରାର ହୋଇଯାଇଥିଲେ । ଯେଉଁ ରାସ୍ତା ଦେଇ ଲୁଟେରା ଦୌଡି ଦୌଡି ପଳାଇଲେ ସେଇ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି । ଏହି ଘଟଣାକୁ ନେଇ ମହିଳା ଓ ତାଙ୍କ ସ୍ୱାମୀ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଘଟଣାର ତଦନ୍ତ ପାଇଁ ନିଜେ ଆଇଆଇସି ଅବନୀ ସାହୁ ଘଟଣାସ୍ଥଳରେ ପହଂଚି ଖେଲତାଡ଼ ଆରମ୍ଭ କରିଛନ୍ତି । ହେଲେ ଏଠି ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯେ, ସକାଳୁ ସକାଳୁ ଜନ ଗହଳିପୂର୍ଣ୍ଣ ରାସ୍ତାରେ କାହାକୁ ଖାତିର ନ କରି  ବିଚ୍ ରାସ୍ତାରେ ମହିଳାଙ୍କ ବେକରୁ ୨୦ ଗ୍ରାମ ତଥା ୨ ଲକ୍ଷଟଙ୍କାର ଚେନ୍ ଲୁଟି, ଫେରାର୍ ମାରିଛନ୍ତି । ତେବେ ବଲାଙ୍ଗିର ପୋଲିସକୁ ଚ୍ୟାଲେଂଜ ଲଗାଇ ଲୁଟ୍ କରି ଫେରାର୍ ମାରିଥିବା ଲୁଟେରାକୁ ଧରିବାରେ କେତେ ସଫଳ ହେବ କେବେ ଲୁଟେରା ଗିରପ ହେବ ତାହା ଆଗାମୀ ଦିନରେ ଜଣାପଡିବ ।