ଧଉଳି ଓ ଚନ୍ଦକା ପରେ ଏବେ ଚନ୍ଦ୍ରଶେଖରପୁର ଓ ସହିଦନଗରରୁ ; ଲୁଟିନେଲେ ୫୦ ଲକ୍ଷର ସୁନା ଅଳଙ୍କାର
-
ଭୁବନେଶ୍ୱର, ୧୯ା୮ : ଜେଲରୁ ବାହାରି ରାଜଧାନୀରେ ପୁଲିସକୁ ପାଣିପିଆଇଲେଣି ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ୍ । ଗୋଟିଏ ରାତିରେ ରାଜଧାନୀ ଉପକଣ୍ଠ ଧଉଳି ଥାନା ଅଧିନ ଏକ ଘରୁ ଓ ଚନ୍ଦକା ଥାନା ଅଧିନ ଏକ ଆପାର୍ଟମେଣ୍ଟରୁ ପ୍ରାୟ ୭୦ ଲକ୍ଷ ଟଙ୍କାର ସୁନା, ରୂପା ଓ ଟଙ୍କା ଲୁଟ୍ ହୋଇଥିବା ବେଳେ, ପୁଣି ଗୋଟିଏ ଦିନରେ ଚନ୍ଦ୍ରଶେଖରପୁର ଓ ସହିଦନଗର ଅଞ୍ଚଳର ୨ଟି ଘରୁ ଲୁଟିନେଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା, ରୂପା ଓ ବହୁ ଦାମି ସାମଗ୍ରୀ । ଯାହାକୁ ନେଇ ପୁଲିସର ନିଦ ହଜିଯାଇଛି । ହେଲେ ଏ ପର୍ଯ୍ୟନ୍ତ କୌଣସି ଏକ ଲୁଟ୍ ଘଟଣାର ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୁଲିସ ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦକା ଥାନା ଅଧିନ ଲୋଟସ୍ ଏଭେନୁ୍ୟ ଆପାଟମେଣ୍ଟର ଦୁଇଟି ଫ୍ଲାଟରୁ ହୋଇଛି ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିଲା । କିଛି ମୁଖାପିନ୍ଧା ଲୁଟେରା ମାନେ ଦୁଇ ଫ୍ଲାଟର କବାଟ କାଟି କରିଛନ୍ତି ଲୁଟ୍ପାଟ୍ କରିଥିଲେ । ଏପରିକି ଆପାଟମେଣ୍ଟର ସୁରକ୍ଷାକର୍ମୀ ପ୍ରତିବାଦ କରିବାରୁ ସେମାନେ ବୋମା ଓ ଭୁଜାଲିରେ ଆକ୍ରମଣର ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହିଭଳି ଲୁଟ୍ ପରେ ଚନ୍ଦକା ଥାନାରେ ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ ବେଳେ ସମସ୍ତ ଲୁଟ୍ ବେଳର ଭିଡ଼ିଓ କ୍ୟାମେରାରେ କଏଦ୍ ହୋଇଛି । ଫଳରେ ଡ଼ିସିପିଙ୍କ ନିଦେ୍ର୍ଦଶ ପରେ ଚନ୍ଦକା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ସେହିଭଳି ଧଉଳି ଥାନା ଅଧିନ ଗଙ୍ଗୋତ୍ରୀନଗର ଲେନ୍-୨(ଏ) ଘରେ କେହି ନଥିବା ବେଳେ ଘରର କବାଟ ତାଡି ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନା, ରୂପା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ଏନେଇ ଧଉଳି ଥାନାରେ ଅଭିଯୋଗ ଅନୁଯାୟୀ, ଗତ ୧୨ ତାରିଖ ଦିନ ଅଭିଯୋଗକାରୀ ଶାଶ୍ୱତ ରାଉତରାୟ ଘର ତାଲା ପକାଇ ପରିବାର ସହ ପଟିଆ ଅଞ୍ଚଳକୁ ଯାଇଥିଲେ । ଏହି ସମୟରେ କେହି ଲୁଟେରା ଘରର କବାଟ ଭାଙ୍ଗି ଘରୁ ୨୫ରୁ ୩୦ ଲକ୍ଷ ଟଙ୍କାର ସୁନା, ରୂପା ଓ ଟଙ୍କାକୁ କଳାକନା ବୁଲାଇଦେଇଛି । ଘରକୁ ଫେରି ଦେଖିଲା ବେଳକୁ ଘରର କବାଟ ଭଙ୍ଗାଜିବା ସହ ସବୁ ଖୋଳ ହୋଇଯାଇଛି । ଏନେଇ ଶାଶ୍ୱତ ଧଉଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ଭିତରେ ପୁଣି ଲୁଟେରା ଗ୍ୟାଙ୍ଗ୍ ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଅଧିନ ରଙ୍ଗେଶ୍ୱର ନଗରରୁ ହୋଇଛି ଲୁଟ୍ । ଝରକା ଓ ଗ୍ରିଲ ତାଡି ଘରର ୩ଟି ଆଲମାରିରୁ ଲୁଟି ନେଇଛନ୍ତି ୧୫ ଲକ୍ଷ ଟଙ୍କାରୁ ଅଧିକ ସୁନା, ରୂପା ଅଳଙ୍କାର ଓ ଟଙ୍କା । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସେହିଭଳି ସହିଦନଗର ଥାନା ଅଧିନରୁ ସନ୍ଧ୍ୟା ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଘରେ ପଶି ନେଇଗଲେ ୪୦ ଲକ୍ଷ ଟଙ୍କାରୁ ଅଧିକ ସୁନା, ଟଙ୍କା ଓ ରୂପା ଅଳଙ୍କାର । ଏନେଇ ସହିନଗର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ସବୁ ଥାନା ଅଧିକାରୀଙ୍କୁ ସହଯୋଗ କରୁଛି ସ୍ପେଶାଲ ସ୍କ୍ୱାର୍ଡ ।