ବନ୍ଧୁକ ମୁନରେ କୋରିଅର ସଂସ୍ଥାରୁ ଡକାୟତି


  • ଭୁବନେଶ୍ୱର, ୧୯ା୮ : ରବିବାର ରାତିରେ ୧୬ନମ୍ବର ଜାତୀୟ ରାଜପଥ କଡରେ ବଡଧରଣ ଡକାୟତି ହୋଇଛି  । ଏକ କୋରିଅର ସଂସ୍ଥାରୁ ୫ରୁ ୬ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି  । ଦୁଇ କର୍ମଚାରୀଙ୍କୁ ଆଣ୍ଠେଇ ଲୁଟ୍ପାଟ୍ କରିବା ସହ କମ୍ପୁ୍ୟଟର ଭଙ୍ଗାରୁଜା କରିଛନ୍ତି  । ଏଥିସହ ଯିବା ବେଳେ ହାର୍ଡଡିସ୍କ ଖୋଲି ନେଇଛନ୍ତି  । ତମାଣ୍ଡୋ ଥାନା ଅଧିନ ଭଗବାନପୁର ଅଞ୍ଚଳରି ଏହି ସଶସ୍ତ୍ର ଡକାୟତି ଘଟଣା ଘଟିଛି  ।
    ମିଳିଥିବା ସୂଚନା ଅନୁଯାୟୀ, ଭଗବାନପୁର  ସିଟିକ୍ସ ସଲୁ୍ୟସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ବେସରକାରୀ ସଂସ୍ଥା କାର୍ଯ୍ୟାଳୟ ରହିଛି  । କୋରିଅର ସଂସ୍ଥା ଇ-କାର୍ଡ ମାଧ୍ୟମରୁ ଆସୁଥିବା ପାର୍ସଲ ଗୁଡିକୁ ଏହି ସଂସ୍ଥା ବିତରଣ କରିଥାଏ  । ରବିବାର ସନ୍ଧ୍ୟାରେ ଦୁଇ କର୍ମଚାରୀ ସନ୍ତୋଷ ପ୍ରଧାନ ଓ ସଞ୍ଜୟ ସାହୁ ଅଫିସରେ ହିସାବପତ୍ର କରୁଥିଲେ  । ଏହିସମୟରେ ୫ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଖଣ୍ଡା ଧରୀ ଅଫିସ ଭିତରକୁ ପଶି ଯାଇଥିଲେ  । କେହି କିଛି ବୁଝିବା ପୂର୍ବରୁ ଭିତରପଟୁ ସଟର ବନ୍ଦ କରି ଦେଇଥିଲେ  । ଅଫିସ ପରିସରରେ ଦୁଇ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଆଣ୍ଠେଇ ଦେଇଥିଲେ  । ସାରା ଦିନରେ ପାର୍ସଲ ବାବଦକୁ ଆଦାୟ ହୋଇଥିବା ପ୍ରାୟ ୫ଲକ୍ଷ ଟଙ୍କା ଲୁଟି ନେଇଥିଲେ  । ଖଣ୍ଡା ଓ ଭୁଜାଲିରେ କମ୍ପୁ୍ୟଟରକୁ ଭାଙ୍ଗି ରୁଜି ଚୂରମାର୍ କରି ଦେଇଥିଲେ  । ଦୁର୍ବୃତ୍ତମାନେ ମୁହଁରେ ମୁଖା ଓ ହେଲମେଟ୍ ପିନ୍ଧି ପ୍ରାୟ ୧୫ ମିନିଟ୍ ଧରି ସଂସ୍ଥାର କାର୍ଯ୍ୟାଳୟ ଭିତରେ ଆତଙ୍କ ରଚିଥିଲେ  । ଏହି ସମସ୍ତ ଘଟଣା ଅଫିସରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିଲା  । ଦୁର୍ବୃୃତ୍ତମାନେ ସିସିଟିଭିକୁ ଦେଖିବା ପରେ  ହାର୍ଡଡିସ୍କକୁ ସାଥିରେ ନେଇ ଯାଇଛନ୍ତି  । ଏପରିକି ଦୁଇ କର୍ମଚାରୀଙ୍କୁ ଅଫିସ ଭିତରେ ରଖି ବାହାରେ ସଟର ପକାଇ ପଳାଇଥିଲେ  । ଯିବା ସମୟରେ ସନ୍ତୋଷଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡିର ଚାବି ମାଗିଥିଲେ  । ସନ୍ତୋଷ ମଧ୍ୟ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ଗାଡି ଚାବି ଦେଇ ଦେଇଥିଲେ  । ଦୁର୍ବୃତ୍ତମାନେ ତାଙ୍କ ଗାଡିକୁ ବି ନେଇ ପଳାଇଛନ୍ତି  । ଖବରପାଇଁ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ନ କରିଛି  । ସେମାନେ ଟଙ୍କା ଲୁଟିବା ପରେ ଖୋର୍ଦ୍ଧା ଆଡକୁ ପଳାଇଥିଲେ  । ତେଣୁ କମିସନରେଟ ପୁଲିସ ସେମାନଙ୍କୁ ପିଛା କରିବା ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଛି  ।  ଏନେଇ ସଂସ୍ଥାର ଶାଖା ମୁଖ୍ୟ ରାଉତ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି  । ଆଜି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରାଯିବା ସହ ଦୁର୍ବୃତ୍ତଙ୍କ ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରାଯାଇଛି ।