ନକଲି ପରିକ୍ଷାର୍ଥୀ


ଏଇ ଅଳ୍ପଦିନ ତଳେ ସମଗ୍ର ଦେଶରେ ନାସନାଲ୍ ଏଲିଜିବିଲିଟି ଟେଷ୍ଟ୍ ପାଇଁ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ବିଭିନ୍ନ ପ୍ରକାରର ଅନିୟମିତତା ଥିବାର ଅଭିଯୋଗ ବିଭିନ୍ନ ସ୍ଥାନରୁ  ଆସୁଛି । ସେଥିମଧ୍ୟରୁ ଗୋଟିଏ ବଡ ଅଭିଯୋଗ ହେଲା ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ଆଉ ଜଣେ ପରୀକ୍ଷା ଦେବା । ଏଭଳି ଏକ ଅଭିଯୋଗ ଓଡ଼ିଶାର ଭଦ୍ରକରେ ହୋଇଥିବାର ଜଣାପଡ଼ିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏହି ନିଟ୍ ପରୀକ୍ଷାରେ ଜାଲିଆତି କରାଯାଉଥିବା ଅଭିଯୋଗ ପରେ ଧରପଗଡ଼ ହୋଇଥିଲା । ଜଣେ ଛାତ୍ରଙ୍କ ସ୍ଥାନରେ ଟଙ୍କା ନେଇ ଆଉ ଜଣେ ମେଧାବୀ ଛାତ୍ର ପରୀକ୍ଷା ଦେଉଥିଲେ । ଏହି ଘଟଣାଟି କୌଣସି ଏକମାତ୍ର ଘଟଣା ନଥିଲା । ଏଭଳି କାର୍ଯ୍ୟ କରୁଥିବା ଏକ ର୍ୟାକେଟ୍ ଭୁବନେଶ୍ୱରରେ ରହି ବଡ଼ ବଡ଼ କଲେଜ୍ ସହିତ ସଂପର୍କ ରକ୍ଷା କରୁଥିଲା । ଏଥର ନିଟ୍ ପରୀକ୍ଷାରେ ବସୁଥିବା ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବସାଇବାରେ ଆଡ୍ମିଟ୍ କାର୍ଡ୍ରେ ହେର୍ଫେର କରାଯାଉଥିଲା । ଏଥିରେ ଲକ୍ଷାଧିକ ଟଙ୍କା ଅଗ୍ରୀମ ଆକାରରେ ନିଆଯାଉଥିଲା । ଏହି ନିଟ୍ରେ ଭଲ ର୍ୟାଙ୍କ୍ରେ ପାସ୍ କରାଇବା ପାଇଁ ର୍ୟାକେଟ୍ର ସଦସ୍ୟମାନେ ୧୦ ଲକ୍ଷ ଟଙ୍କା ନେଉଥିଲେ । ଏସବୁ ଟଙ୍କା ନଗଦ ଆକାରରେ ହିଁ ଦେଣନେଣ ହେଉଥିଲା । ପୂର୍ବରୁ ଭୁବନେଶ୍ୱରରେ ଏଭଳି ଛାତ୍ର ଜାଲିଆତି ଘଟଣା ଘଟୁଥିଲା ଏବଂ ଓୟୁଏଟି ଏଣ୍ଟ୍ରାନ୍ସ ପରିକ୍ଷାରେ ଖଣ୍ଡଗିରି ପୁଲିସ୍ ଏହାକୁ ଧରିଥିଲା । ନିଟ୍ ପରିକ୍ଷାର ଏହି ଜାଲିଆତି କାରବାର ଭୁବନେଶ୍ୱରରୁ କରାଯାଉଥିବା ବେଳେ ପ୍ରକୃତରେ ଏହାର ଚେର ବିହାର ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି । ଏହି ର୍ୟାକେଟ୍ର ସଦସ୍ୟ କେତେ ଜଣ ଭଦ୍ରକରୁ ଧରାପଡ଼ିବା ପରେ କମିଶନ୍ରେଟ୍ ପୁଲିସ୍ ଏବଂ ଭଦ୍ରକ ପୁଲିସ୍ ମିଳିତ ଭାବରେ ଏହାର ଜେରା କରୁଛନ୍ତି । ଗିରଫ ହୋଇଥିବା ନକଲି ପରୀକ୍ଷାର୍ଥୀ ଜଣଙ୍କ ଜଣେ ଡ଼ାକ୍ତରୀ ଛାତ୍ର । ତାଙ୍କ ଘର ବିହାରରେ । ସେ କଲିକତା ସ୍ଥିତ ଏକ ମେଡ଼ିକାଲ୍ କଲେଜ୍ର ତୃତୀୟ ବର୍ଷର ଛାତ୍ର । ଏକ ଘରୋଇ ସ୍କୁଲ୍ରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଭଦ୍ରକରେ ଏହି ଘରୋଇ ସ୍କୁଲ୍ରେ ଆଡ୍ମିଟ୍ କାର୍ଯ୍ୟ ଜାଲିଆତି କରି ପରୀକ୍ଷା ଦେଉଥିଲେ । ବର୍ତ୍ତମାନ ଯଦି ଏହି ଘଟଣାର ତୁରନ୍ତ ଏବଂ ପ୍ରଭାବଶାଳୀ ତଦନ୍ତ ନ ହେବ, ତାହା ହେଲେ ଭବିଷ୍ୟତରେ ଅର୍ଥବଳରେ ବଳିୟାନ୍ ଥିବା ନିକୃଷ୍ଟ ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପ୍ରକୃତ ମେଧାବୀ ଛାତ୍ରଛାତ୍ରୀଙ୍କର ଆସନକୁ ଦଖଲ କରି ନେବେ । ଖାଲି ସେତିକି ନୁହେଁ, ଏହି ନିକୃଷ୍ଟ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବିଭିନ୍ନ ବ୍ରାଞ୍ଚ୍ରେ ଆଡ୍ମିଶନ୍ କରି ମେଧାବୀ ଛାତ୍ର ମଧ୍ୟ ଉତ୍ତୀର୍ଣ୍ଣ ହୋଇ ପାରିବେ ନାହିଁ । ଶିକ୍ଷା ବ୍ୟବସ୍ଥାକୁ ଏ ପ୍ରକାରର ଏକ ଦୁର୍ନୀତି ଏବଂ ଜାଲିଆତି ଭୁଶୁଡ଼େଇ ଦେବ । ତେଣୁ ଏହି ଘଟଣାଟିକୁ ଏତେ ହାଲୁକା ଭାବରେ ନ ନେଇ ଟିକିନିଖି ତଦନ୍ତ କରାଯାଇ ସମସ୍ତ ଦୋଷୀଙ୍କୁ ଦଣ୍ଡିତ କରାଯିବାର ଆବଶ୍ୟକତା ରହିଛି । ଯୋଜନାବଦ୍ଧ ଭାବରେ ନିଟ୍ ପରିକ୍ଷାରେ ନକଲି ଛାତ୍ରଛାତ୍ରୀମାନେ ବସୁଥିବା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡିଛି । ଏଥିପାଇଁ ବହୁ ପୂର୍ବରୁ ଉଭୟ ମେଧାବୀ ଛାତ୍ରଛାତ୍ରୀ ଏବଂ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ପାରିବାର ସମ୍ଭାବନା ମନରେ ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ଖୋଜି ବାହାର କରାଯାଉଛି । ବିଭିନ୍ନ ସମୟରେ ସେମାନଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମୂଲଚାଲ ହେଉଛି । ଏହି ପରିକ୍ଷା ଗୁଡ଼ିକରେ କେବଳ ନକଲି ପରିକ୍ଷାର୍ଥୀଙ୍କର ର୍ୟାକେଟ୍ ରହିଛି ବୋଲି ମନେ ହେଉ ନାହିଁ । ଏଥିରେ ପରିକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ମଧ୍ୟ ସଂପୃକ୍ତି ଥିବାର ସନେ୍ଦହ ଉପୁଜୁଛି । କାରଣ ପରିକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ସଂପୃକ୍ତି ନଥିଲେ ନକଲି ଆଡ୍ମିଟ୍ କାର୍ଡ୍ରେ ପରୀକ୍ଷା କେନ୍ଦ୍ର ଉପରକୁ ପ୍ରବେଶ କରିବା ସମୟରେ ଧରା ପଡ଼ିଯିବାର ବହୁ ସମ୍ଭାବନା ରହିଛି, କିନ୍ତୁ ଧରା ପଡୁନାହାନ୍ତି । ତେଣୁ ପରିକ୍ଷା କେନ୍ଦ୍ର ଗୁଡ଼ିକ ସଂସ୍ପର୍ଶରେ ଥିବା ଅଧିକାରୀମାନେ ମଧ୍ୟ ଏ ପ୍ରକାରର ଜାଲିଆତି କାରବାରରେ ସଂପୃକ୍ତ ରହୁଥିବା ସନେ୍ଦହ କରି ତଦନ୍ତର ପରିସରକୁ ସମ୍ପ୍ରସାରଣ ମଧ୍ୟ କରାଯିବା ଉଚିତ୍ ।