ଡା.ଦିଲ୍ଲୀପ କୁମାର ମହାରଣା : ନୈତିକ ମୂଲ୍ୟବୋଧ ଏବଂ ଚିରନ୍ତନ ସତ୍ୟର ଭିତ୍ତିଭୂମି ଉପରେ ରାମାୟଣର ରଚନା କରାଯାଇଛି । ରାମାୟଣ ରଚନା ହେବା ଦିନ ଠାରୁ ଏହାର ମୁଖ୍ୟ ଚରିତ୍ର ଶ୍ରୀରାମ ଏବଂ ମା'ସୀତା ମାନବ ସମାଜର ସଂସ୍କୃତି ଏବଂ ପରମ୍ପରାକୁ ପ୍ରଭାବିତ କରି ଆସୁଛନ୍ତି । ତେଣୁ ଏହି ଦୁଇ ଚରିତ୍ରଙ୍କୁ ଆମେ ପରଂବ୍ରହ୍ମ ଭାବେ ସମ୍ମାନ ଏବଂ ଭକ୍ତି ଅର୍ପଣ କରି ଆସୁଛୁ । ରାମାୟଣ ଆମକୁ ଏହି ଶିକ୍ଷା ଦେଇ ଆସିଛି ଯେ ଅଧର୍ମ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାହାର ବିନାଶ ନିଶ୍ଚିତ ହେବ ଏବଂ ଯେତେ ପ୍ରତିବନ୍ଧକର ସମ୍ମୁଖୀନ ହେଲେ ମଧ୍ୟ ଧର୍ମର ବିଜୟ ହେବ । ରାବଣଙ୍କ ଚରିତ୍ରରୁ ଆମେ ଏହି ଶିକ୍ଷା ଲାଭ କରିଛେ । ରାମାୟଣରେ ପରିବାରରେ ଥିବା ସଂପର୍କ, ବନ୍ଧୁତ୍ୱର ପରାକାଷ୍ଠା, ପତି-ପତ୍ନୀ ମଧ୍ୟରେ ଭଲପାଇବା, ଶାସକର ଧର୍ମ ଏବଂ ସମାଜରେ କିପରି ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିବ ତାହାର ବର୍ଣ୍ଣନା ଅତି ସୁନ୍ଦର ଭାବେ କରାଯାଇଛି ।
ରାମାୟଣ ରଚନା କରିବାପରେ ବାଲ୍ମିକୀଙ୍କୁ ଭେଟିବା ପାଇଁ ଦେବର୍ଷି ନାରଦ ଆସିଥିଲେ । ଉଭୟ ରାମାୟଣ ସଂପର୍କରେ ଆଲୋଚନା କରୁଥିବାବେଳେ ପରିହାସ କରି ନାରଦ ପଚାରିଲେ ବାଲ୍ମିକୀ ତୁମ କାବ୍ୟର ଅଯୋଧ୍ୟା କେଉଁଠି ? ବାଲ୍ମିକୀ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ ଯେଉଁଠି ଶ୍ରୀରାମ ଅଯୋଧ୍ୟା ସେଇଠି । ପଣ୍ଡିତଙ୍କ ଠାରୁ ଆରମ୍ଭ କରି ନିରକ୍ଷର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ରାମାୟଣକୁ ବୁଝିପାରନ୍ତି । ପତିପତ୍ନୀଙ୍କ ସଂପର୍କକୁ ରାମସୀତାଙ୍କ ସଂପର୍କ ସହିତ ତୁଳନା କରାଯାଏ । ବନବାସ ସମୟରେ ମା'କୌଶଲ୍ୟା ରାମଙ୍କ ସହିତ ଯିବାକୁ ବାହାରିବାରୁ ଶ୍ରୀରାମ କହିଥିଲେ ମା', ତୁମର କର୍ତ୍ତବ୍ୟ ହେଉଛି ତୁମେ ତୁମର ସ୍ୱାମୀ ଦଶରଥଙ୍କ ପାଖରେ ବାସ କରିବ । ସୀତା ଠିକ୍ ସେଇ କଥା ରାମଙ୍କୁ କହିଥିଲେ ଏବଂ ତାଙ୍କ ସହିତ ବନବାସରେ ଯାଇଥିଲେ । ସତ୍ୟନିଷ୍ଠ ରାମ ମନା କରିପାରିନଥିଲେ ।
ରାମାୟଣ ସଂପର୍କରେ ଆଲୋଚନା କଲାବେଳେ ଆଉ ଏକ ବଳିଷ୍ଠ ତଥା ତ୍ୟାଗୀ ଚରିତ୍ର ପ୍ରତି ଅନେକ ଧ୍ୟାନ ଦେଉନଥିବାର ଆମେ ଲକ୍ଷ୍ୟ କରିଛେ । ଏହି ଚରିତ୍ରଟି ହେଉଛି ଭରତ । ଅଯୋଧ୍ୟାର ସବୁଠାରୁ ସତ୍, ନିଷ୍ଠାବାନ ଏବଂ ତ୍ୟାଗୀ ବ୍ୟକ୍ତି ଭାବେ ଯଦି କାହାକୁ ପ୍ରଶଂସାର ପାତ୍ର ଭାବେ ସମ୍ମାନିତ କରାଯାଏ ତେବେ ସେ ହେଉଛନ୍ତି ଭରତ ବୋଲି ସ୍ୱୟଂ ଶ୍ରୀରାମ ଘୋଷଣା କରିଛନ୍ତି । ଅର୍ଥାତ୍ ଭରତଙ୍କର ଏକନିଷ୍ଠ ଭକ୍ତି ଏବଂ ଶ୍ରଦ୍ଧାରେ ବିମୁଗ୍ଧ ହୋଇ ଶ୍ରୀରାମ କହିଛନ୍ତି ଯେ ଭରତ ହେଉଛନ୍ତି ତାଙ୍କଠାରୁ ଶ୍ରେଷ୍ଠ । କୌଶଲ୍ୟା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏକକୋଟି ରାମଙ୍କର ନିଷ୍ଠା ଏବଂ ତ୍ୟାଗକୁ ଯଦି ଭରତଙ୍କ ତ୍ୟାଗ ସହିତ ତୁଳନା କରାଯାଏ ତେବେ ଭରତ ହେଉଛନ୍ତି ଶ୍ରେଷ୍ଠ । କାରଣ କୈକେୟୀ ଏବଂ ଦଶରଥଙ୍କ ଦ୍ୱାରା ନିର୍ବାସିତ ହୋଇ ଶ୍ରୀରାମ ବନବାସରେ ଯିବା ଫଳରେ ଋଷିପରି ଜୀବନ ବିତାଇବାକୁ ବାଧ୍ୟ ହୋଇଥିଲେ । ଅନ୍ୟ ପକ୍ଷରେ ଭରତ ରାଜସିଂହାସନ ପାଇ ମଧ୍ୟ ତାହାକୁ ତ୍ୟାଗ କରିଦେଇ ଭାଇ ଶ୍ରୀରାମ ଏବଂ ଭାଉଜଙ୍କ ପ୍ରତି ସମ୍ମାନ ଜଣାଇ ସ୍ୱଇଛାରେ ଋଷିଙ୍କ ପରି ଜୀବନ ବିତାଉଥିଲେ ।
ଅଯୋଧ୍ୟାର ବିଳାସମୟ ଜୀବନକୁ ତ୍ୟାଗକରି ଶ୍ରୀରାମଙ୍କ ପାଦୁକାକୁ ନନ୍ଦୀ ଗ୍ରାମରେ ରଖି ତାଙ୍କର ପ୍ରତିନିଧି ଭାବେ ଭରତ ରାଜ୍ୟ ଚଳାଉଥିଲେ ଏବଂ ଏହାକୁ ବିଭିନ୍ନ ବିପଦରୁ ରକ୍ଷା କରୁଥିଲେ । ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଶ୍ରୀରାମଙ୍କ ପ୍ରତିନିଧି ଭାବେ ୧୪ ବର୍ଷ କାଳ ଭରତ ଯେଉଁ ଶାସନ କରିଥିଲେ ତାହା ଥିଲା ଅଯୋଧ୍ୟାର ଇତିହାସରେ ଏକ ସ୍ୱର୍ଣ୍ଣାଭ ଅଧ୍ୟାୟ । ଶ୍ରୀରାମଙ୍କ ଜୀବନରେ ଆଧ୍ୟାତ୍ମିକତା ଏବଂ ନୈତିକ ମୂଲ୍ୟବୋଧର ଏକ ଉତ୍ତମ ସମନ୍ୱୟ ହୋଇଥିବା ଦେଖିବାକୁ ମିଳେ । ଉତ୍ତମ ଚରିତ୍ର ବିନା ଆଧ୍ୟାତ୍ମିକ ଭିତ୍ତିଭୂମି ପ୍ରତିଷ୍ଠା ସମ୍ଭବ ନୁହେଁ ଏବଂ ନୈତିକ ଶୃଙ୍ଖଳା ନଥିଲେ ଉତ୍ତମ ଚରିତ୍ର ଗଠନ ସମ୍ଭବ ନୁହେଁ । ଧର୍ମରେ ଥିବା ନିୟମଗୁଡ଼ିକୁ ଶ୍ରୀରାମ ପାଳନ କରି ନିଜକୁ, ନିଜର ଲୋକମାନଙ୍କୁ ଏବଂ ପ୍ରତ୍ୟେକଙ୍କୁ ବିଭିନ୍ନ କ୍ଷେତ୍ରରେ ରକ୍ଷା କରିଛନ୍ତି । ରାମାୟଣ ମାନବ ସମାଜକୁ ଶିକ୍ଷା ଦେଇଛି ଯେ କାହାରି ପ୍ରତି ଆସକ୍ତି ରଖନାହିଁ । ଶ୍ରୀରାମଙ୍କର ଏହି ଇଛା ପୂରଣ ହୋଇଗଲା ଏବଂ ବାନର ବାହିନୀ ଅଦିନରେ ବହୁ ଫଳମୂଳ ଏବଂ ମହୁ ଖାଇବାର ସୁଯୋଗ ପାଇଲେ । କୁହାଯାଏ ପରଂବ୍ରହ୍ମଙ୍କ ଉପରେ ବିଶ୍ୱାସ ରଖିଲେ ଜୀବନରେ ଖାଦ୍ୟର ଅଭାବ ଦେଖାଯାଏ ନାହିଁ । ରାମାୟଣରେ ତ୍ୟାଗ, ଭକ୍ତି, ନୈତିକ ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକତାର ଅପୂର୍ବ ସଂଗମ ହୋଇଥିବା ଆମେ ଦେଖିବାକୁ ପାଇଥାଉ ।
ମୋ : ୮୨୮୦୯୬୩୨୮୩