ହୃଶିକେଷ ପୁହାଣ :
ମୌସୁମୀ ବର୍ଷା ଓଡ଼ିଶାକୁ ଭିଜାଇଲା ଏବଂ ଏସବୁ ଭିତରେ ଖାଉଟିମାନେ ବଜାରର ମହଙ୍ଗା ଚଡ଼କରେ ବିଲକୁଲ ଭିଜିଗଲେଣି । ଚାଉଳ ଠାରୁ ଅଟା, ଡାଲି ଠାରୁ ଖାଇବା ତେଲ, ପନିପରିବା ଠାରୁ ଘରର ସମସ୍ତ ଖାଉଟି ଜିନିଷ ଆଶ୍ଚର୍ଯ୍ୟଜନକ ଭାବେ ରୀତିମତ ଚଢ଼ା । ମୌସୁମୀର ଆଗମନ ବିଳମ୍ବିତ ହେବା ସାଙ୍ଗକୁ ରବି ଫସଲ ଦରରେ ଏତେ ବେଶୀ ହେବ ବୋଲି କେହି ଭାବି ପାରିନଥିଲେ । ବଜାର ଦରକୁ ଟିକେ ନଜର ପକାନ୍ତୁ । ବାଇଗଣ, ଜହ୍ନ, ଟମାଟୋ, ଯାହାକୁ ବି ହାତ ମାରିବ କରେଣ୍ଟ ମାରିଲା ପରି ଦର । ସତୁରିରୁ ଶହେ ଭିତରେ ସବୁ ମୂଲ୍ୟ । ଆଉ ଝୁଡ଼ଙ୍ଗ, ସଜନା ଛୁଇଁ ଆକାଶ ଛୁଅାଁ ହେଲାଣି । ମଧ୍ୟବିତ୍ତ ପରିବାର ବୋଲି ଯେଉଁମାନଙ୍କୁ କୁହାଯାଏ ସେମାନେ ଏକ କିଲୋ ଜାଗାରେ ବଜାରରୁ ଅଧକିଲୋ କିଣୁଛନ୍ତି । ସାଧାରଣ ନିର୍ବାଚନ ତ ସରିଲା, ଖାଉଟି ମାନଙ୍କ ମୁଣ୍ଡ ଉପରେ ସତେ ଯେପରି ବଜାରର ଦର ଚଡ଼କ ପକାଇ ଦେଇଛି । ଏମିତିରେ ଡାଲି, ଚାଉଳ, ଆଳୁ, ପିଆଜ, ଅଦା, ରସୁଣ ସବୁ ଅମୂଲ ମୂଲ୍ୟ । ଏସବୁ ଭିତରେ ଖାଉଟିଟି ନିରୀହ ପ୍ରଶ୍ନଟି ପଚାରୁଛି ଯେ ବଜାର ଉପରେ କ'ଣ ସରକାରଙ୍କ ନିୟନ୍ତ୍ରଣ ନାହିଁ । ପାଇକାରି ତଥା ଖୁଚୁରା ବେପାରୀମାନେ ବହୁ ପ୍ରକାର ସମସ୍ୟାକୁ ସାମ୍ନା କରୁଛନ୍ତି ବୋଲି ମତ ରଖୁଛନ୍ତି । ପାଠ କହୁଛି ବଜାରର ଆବଶ୍ୟକତା ଦେଖି ଯୋଗାଣ ହୋଇଥାଏ । ଚାହିଦା ଓ ଯୋଗାଣ ଶୃଙ୍ଖଳା ଉପରେ କର୍ତ୍ତୃପକ୍ଷ ନଜର ଦେବା କଥା । ଥରେ ତାହା ବିଗିଡ଼ି ଗଲେ ବଜାର ସ୍ଥିତି ଉପରେ ଆଉ କାହାର ଲଗାମ ରହିବ ନାହିଁ । ଯାହାର କୁପରିଣତି ହେଉଛି ବେଲଗାମ ଦରବୃଦ୍ଧି ।
ଆମ ଅର୍ଥନୀତିର ବଡ଼ ଘୋଷଣା କହୁଛି ଚାଉଳ ଏବଂ ଗହମ ଉତ୍ପାଦନରେ ଦେଶ ବଳକା ହୋଇ ସାରିଛି ଦେଶ । ୨୦୨୦ ମସିହାରୁ ପୂର୍ବ ଭାରତରେ ସବୁଜ ବିପ୍ଳବ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଜଳବାୟୁ ପରିବର୍ତ୍ତନ, ଅପପୁଷ୍ଟି ମୁକାବିଲା ମୁଖ୍ୟ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି । ଏପରିସ୍ଥଳେ ରାଜ୍ୟ ସରକାର ଧାନ ଚାଷକୁ ହ୍ରାସ କରି ଫସଲ ବିବିଧକରଣକୁ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କୃଷି ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଓ ଚଷା ପୁଅର ଉନ୍ନତିକଳ୍ପେ ଅନେକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରୁଛନ୍ତି । ଯାହାରଫଳ ସ୍ୱରୂପ ଯୁବ ବର୍ଗ ଆଜିକାଲି ଚାଷବାସ ପ୍ରତି ଆଗ୍ରହ ରଖିଲେଣି । ୨୦୨୦ ମସିହାରେ ସମୁଦାୟ ୭୯ ଲକ୍ଷ ୬୬ ହଜାର ହେକ୍ଟର ଚାଷ ଜମିରୁ ୪୯.୩୨% ଜମିରେ ଅଣଧାନ ଚାଷ ହେଉଥିଲା । ୨୦୨୧ ମସିହାରେ ୭୯ଲକ୍ଷ ୫୧ ହଜାର ହେକ୍ଟରରୁ ୫୦.୪୪% ଅଣଧାନ ଚାଷ ଥିଲା । ୨୦୨୩ ମସିହାରେ ଫସଲ ବିବିଧକରଣ କାର୍ଯ୍ୟକ୍ରମ ଅନ୍ତର୍ଗତରେ ୧୩୦.୯୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ୧ଲକ୍ଷ ୮୯ ହଜାର ୭୮୩ ଚାଷୀଙ୍କୁ ଦିଆଯିବା ପରେ ସ୍ଥିତିରେ ବିଶେଷ ଉନ୍ନତି ଘଟିନାହିଁ । ବରଂ ରାଜ୍ୟରେ ବର୍ତ୍ତମାନ ସମୁଦାୟ ୮୧ ଲକ୍ଷ ୮୪ ହଜାର ହେକ୍ଟର ସମୁଦାୟ ଚାଷ ଜମିରୁ ୫୦.୩୪% ଜମିରେ ଅଣଧାନ ଚାଷ ହେଉଛି । ପୂର୍ବାପେକ୍ଷା ଏହା କମିବା ଆରମ୍ଭ କଲାଣି ।
କୃଷି ବିଭାଗର ସୂଚନା ଅନୁସାରେ ରାଜ୍ୟରେ ୫୦ରୁ ଅଧିକ ପ୍ରକାର ଚାଷ ହେଉଛି । କୌତୁହଳ କଥା ହେଉଛି, ଅଣଧାନ ଚାଷ ପାଇଁ ବ୍ୟାପକ ପ୍ରୋତ୍ସାହନ ଦେଉଛନ୍ତି ସରକାର । ମାତ୍ର ସବୁ ଫସଲ ମିଶାଇ ଯେତେ ଚାଷ ହେଉଛି କେବଳ ଧାନ ସେତିକି ହେଉଛି । ୨୦୧୩ରୁ ୨୦୨୨ ମସିହା ମଧ୍ୟରେ ଧାନ ଉତ୍ପାଦନ ୫୬.୬୩% ବୃଦ୍ଧି ପାଇଛି । ତୈଳବୀଜ ୬୯୮ ହଜାର ମେଟ୍ରିକ ଟନରୁ ୫୧୩ ହଜାର ମେଟି୍ରକ ଟନକୁ ହ୍ରାସ ପାଇଛି । ପରିବା ଉତ୍ପାଦନ ନାମକୁ ମାତ୍ର ଅର୍ଥାତ୍ ୪.୩% ବଢ଼ିଛି । ଡାଲି ମାତ୍ର ୩୪.୬୫% ବଢ଼ିଛି । ରାଜ୍ୟରେ ୪ଟି ଯୋଜନା ଅଧୀନରେ ଖରିଫରେ ୭ଲକ୍ଷ ହେକ୍ଟର ଏବଂ ରବିରେ ୧୩ ଲକ୍ଷ ହେକ୍ଟର ଡାଲି ଚାଷ ହୋଇ ସମୁଦାୟ ୧୦ଲକ୍ଷ ୭୪ ହଜାର ୨୪୦ ମେଟ୍ରିକ ଟନର ଡାଲି ଉତ୍ପାଦିତ ହେଉଛି । ହେଲେ ପ୍ରୋସେସିଂ ୟୁନିଟ ଅଭାବରୁ ଉତ୍ପାଦିତ ୧ଲକ୍ଷ ୮୦ ହଜାର ମେଟ୍ରିକ ଟନର ଡାଲି ହିଁ ରାଜ୍ୟ ବଜାରକୁ ଆସୁଛି । ଧାନ ଭଳି ଡାଲି ବିକ୍ରୟ ନେଇ ମଣ୍ଡି ବ୍ୟବସ୍ଥା ନାହିଁ । ଏଣୁ ଚାଷୀ ଏଥିପ୍ରତି ଆଗ୍ରହ ଦେଖାଉନାହାଁନ୍ତି । ଏମଏସପିର ଆଇନଗତ ମାନ୍ୟତା ନେଇ ଚାଷୀ ସଙ୍ଗଠନର ଆନେ୍ଦାଳନ ଚାଲିଥିବା ପରିପ୍ରେକ୍ଷୀରେ ବର୍ତ୍ତମାନ ସରକାର ଦୁଇ ପ୍ରକାର ଡାଲିଜାତୀୟ ଫସଲ ଏମଏସପିରେ କ୍ରୟ ପାଇଁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ଏହାକୁ କାର୍ଯ୍ୟକାରୀ କଲେ ଡାଲି ଚାଷୀ ଉପକୃତ ହେବା ସହିତ ଚାଷ ବଢ଼ିବା ଆଶା ରହିଛି । ଏହି ପ୍ରସ୍ତାବରେ ୫ ବର୍ଷ ପାଇଁ ସରକାର ମକା ଏବଂ କପା ମଧ୍ୟ ଏମଏସପିରେ କ୍ରୟ ପାଇଁ କହିଥିଲେ । ଓଡ଼ିଶାରେ ବର୍ତ୍ତମାନ ୮ଲକ୍ଷ ୬୦ ହଜାର ମେଟ୍ରିକ ଟନର ମକା ଉତ୍ପାଦିତ ହେଉଛି । ଏହାର ସ୍ୱତନ୍ତ୍ର ବଜାର ଚାହିଦା ରହିଛି । ହେଲେ ୧୦ ବର୍ଷ ମଧ୍ୟରେ ଉତ୍ପାଦନ ପରିମାଣ ମାତ୍ର ୧୦.୧୯% ବଢ଼ିଛି । ଏହି ଚାଷ ମୁଖ୍ୟତଃ ନବରଙ୍ଗପୁରର ଉମରକୋଟରେ ସୀମିତ ରହିଛି । ଅନ୍ୟପକ୍ଷରେ ବ୍ୟବସାୟୀଙ୍କ ପ୍ରତ୍ୟକ୍ଷ ନିବେଶ ରହିଥିବାରୁ କପା ଉତ୍ପାଦନ ୧୦ ବର୍ଷ ମଧ୍ୟରେ ୧୩୫% ବଢ଼ିଛି । ଅଣଧାନ ଚାଷ ମଧ୍ୟରୁ ମିଲେଟ ମିସନ ଅନ୍ତର୍ଗତରେ ମାଣ୍ଡିଆ ଚାଷ ଏବଂ ଉତ୍ପାଦନ ୫୭.୮୭% ବଢ଼ିଛି । ଧାନ ଖର୍ଚ୍ଚବହୁଳ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ଏହା ଶୀଘ୍ର ପ୍ରଭାବିତ ହୁଏ । ଏହା ଛଡ଼ା ଚାଉଳରେ ରାଜ୍ୟ ବଳକା ହୋଇ ସାରିଛି । ତେଣୁ ଅଣଧାନ ଚାଷ ପାଇଁ ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ । ହେଲେ ସରକାରଙ୍କ ଯୋଜନା ଓ କାର୍ଯ୍ୟାନ୍ୱୟନ ମଧ୍ୟରେ ଯୋଜନା ଯୋଜନ ଦୂରତା କାରଣରୁ ଲକ୍ଷ୍ୟ ହାସଲ ହୋଇପାରୁନଥିବା ବିଶେଷଜ୍ଞଙ୍କ ମତ ରଖୁଛନ୍ତି । ପୂର୍ବତନ ଦିବଂଗତ ପ୍ରଧାନମନ୍ତ୍ରୀ ଲୋକପ୍ରିୟ କଥାଟି କହିଥିଲେ "ଜୟ ଜବାନ, ଜୟ କିଶାନ' । ହେଲେ ଆଜି କିଶାନ ଅର୍ଥାତ୍ ଚାଷୀପୁଅଟି କ୍ଷେତରେ କାନ୍ଦୁଛି । ପ୍ରୋତ୍ସାହନ ନାହିଁ, ବ୍ୟାଙ୍କମାନେ ଋଣ ଦେବାକୁ ମୁହଁ ମୋଡ଼ୁଛନ୍ତି । ଏପଟେ ଚାଷ କ୍ଷେତକୁ ଠିକ ଭାବେ ପାଣି ପହଞ୍ଚୁନି । ବନ୍ୟା, ମରୁଡ଼ି ତ ଚାଷୀର ସବୁ ଦିନିଆ ବନ୍ଧୁ । କେଉଁଠି ଅଭାବୀ ଚାଷୀଟି ଆତ୍ମହତ୍ୟା କଲାଣି ଆଉ ରାଜ୍ୟରେ ଶୀତଳ ଭଣ୍ଡାର ନଥିବାରୁ ଉତ୍ପାଦନ ସମୟରେ ଫସଲ ଟଙ୍କାକରେ ବିକ୍ରି ହେଉଥିବାବେଳେ ଝାଳବୁହା ପରିଶ୍ରମର ମୂଲ୍ୟ ଉଠୁନି । ଏସବୁ ଦେଖିଲେ ଚାଷବାସ ପ୍ରତି ଯୁବପିଢ଼ି କିପରି ଆଉ ଆଗ୍ରହ ରଖିବେ ତାହା ବଡ଼କଥା । ଟଙ୍କିକିଆ ଚାଉଳ, ପ୍ରଚାର ସର୍ବସ୍ୱ ଭୋଟକିଣା ରାଜନୀତି, ଯାହାକି ବିଗତ ସରକାର କରିଯାଇଛନ୍ତି ତାହା ବର୍ତ୍ତମାନର ଚଷାପୁଅ ପାଇଁ ଏକ ଚଡ଼କ ପକାଇଛି କହିଲେ ଅତୁ୍ୟକ୍ତି ହେବନାହିଁ । ଚଷାପୁଅ ପାଇଁ ବଡ଼ କଥା ହେଉଛି ସ୍ଥିର ବଜାର ଦର, ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର, ବ୍ୟାଙ୍କର ସହଯୋଗ, ଉନ୍ନତ ଜଳସେଚନ ଓ ସୂଚନା ପ୍ରଯୁକ୍ତିର ଚାଷବାସ ପାଇଁ ସହଯୋଗ ଓ କଳା ବଜାରୀ ତଥା ଅଭାବୀ ବିକ୍ରି ପାଇଁ ସରକାରୀ ଦୃଢ଼ ନୀତି । ବଜାରରେ ତୈଳଜନିତ ମୂଲ୍ୟର ଦାମ ବଢ଼ିଲେ ପରୋକ୍ଷ ଭାବେ ଚାଷୀଟି କ୍ଷତିଗ୍ରସ୍ତ ହୋଇଥାଏ । ସରକାର ଯେଉଁପରି ବିଭିନ୍ନ ପ୍ରୋତ୍ସାହନ ଓ ସହଯୋଗ ସବୁ ଘୋଷଣା କରୁଛନ୍ତି ତାହା ବାସ୍ତବରେ ଚଷାପୁଅ ପାଇଁ ଉପକାରୀ ସାବ୍ୟସ୍ତ ହେଉଛି । ଅନେକ କ୍ଷେତ୍ରରେ ଦେଖାଯାଏ ବଡ଼ ବ୍ୟବସାୟୀ ଓ ମୁନାଫାଖୋର ମାନଙ୍କ ବିଷଚକ୍ର ଭିତରେ ନିରୀହ ଚାଷୀଟି ବଳି ପଡ଼ିଯାଏ । ଉପଭୋକ୍ତାଙ୍କ ସ୍ୱାର୍ଥ ପାଇଁ ଖାଉଟି କଲ୍ୟାଣ ନୀତି ସରକାର ଯେଉଁ ପ୍ରଚଳନ କରିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ । ଏକ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ଜନସ୍ୱାର୍ଥକୁ ପ୍ରାଥମିକତା ଦେବା ସରକାରଙ୍କ ସର୍ବାଦୌ ଓ ପ୍ରାଥମିକ ମୂଳ କର୍ତ୍ତବ୍ୟ । ଏହି ମୂଳମନ୍ତ୍ରକୁ ବିଚାରକରି ଖାଉଟିଙ୍କ କଲ୍ୟାଣ ପାଇଁ ଠୋସ ଓ ବାସ୍ତବିକ ପଦକ୍ଷେପ ନେଲେ ତାହା ସର୍ବଜନ ହିତାୟ ହେବନାହିଁ ବରଂ ଖାଉଟିଟି ସର୍ବନିମ୍ନ ଭାବେ ଗଣ୍ଡାଏ ଖାଇବା ପାଇଁ ସମର୍ଥ ହୋଇପାରିବ ।
ଥାଇଳୋ, ଅଲିକଣ୍ଟା, ବାଲିକୁଦା, ଜଗତସିଂହପୁର
ମୋ: ୭୦୦୮୪୩୮୯୫୯