ନକଲି ସିମ୍‌ କାର୍ଡ ବିକ୍ରି ଅଭିଯୋଗ, ୨ ଗିରଫ 

ନକଲି ସିମ୍‌ କାର୍ଡ ବିକ୍ରି ଅଭିଯୋଗ, ୨ ଗିରଫ 

ଭଣ୍ଡାରିପୋଖରୀ : ମୋବାଇଲ ଦୋକାନରେ ଚାଲିଥିଲା ନକଲି ସିମ୍‌ କାର୍ଡ ବିକ୍ରି । ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ ବିକ୍ରି କରୁଥିବା ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଗିରଫ କରାଯାଇଛି । ସ୍ଥାନୀୟ ପୁଲିସ ସହାୟତାରେ ମନୋଜ କୁମାରଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସର ଏକ ଦଳ ଅଭିଯୁକ୍ତ ସନ୍ତୋଷକୁ ଥାନାକୁ ଆଣି ପଚରାଉଚରା କରିଥିଲା । ଶୁକ୍ରବାର ନକଲି ମୋବାଇଲ ବିକ୍ରି ଲିଙ୍କ୍‌ରେ ବନ୍ତ ସବଇନ୍ସପେକ୍ଟର ଥାନା ଅଞ୍ଚଳର ଗଭିଗହିଆ ତରାଗୋ ଗ୍ରାମର ଅଜୟ ଓରଫ ମହେଶ୍ୱର ପୁଣ୍ଟିଆକୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା । ଉଭୟଙ୍କୁ ଭଦ୍ରକ କୋର୍ଟର ଟ୍ରାଞ୍ଜିଟ ରିମାଣ୍ଡ ଅନୁମତିରେ ଦିଲ୍ଲୀ ନିଆଯାଇଛି ।

ନୂତମ ସିମ୍‌ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡ ଉପଯୋଗ କରି ତାଙ୍କ ଅଜାଣତରେ ଏକକାଳୀନ ବହୁ ସିମ କାର୍ଡ ଆକ୍ଟିଭ କରାଯାଉଥିଲା । ଆକ୍ଟିଭ ଅନ୍ୟ ସିମ କାର୍ଡକୁ ଉଚ୍ଚ ଦରରେ ବେନାମୀ ଲୋକଙ୍କୁ ବିକ୍ରି କରାଯାଉଥିଲା ବୋଲି ଜଣାପଡ଼ିଛି । ବିକ୍ରି ହୋଇଥିବା ବେନାମୀ ସିମ କାର୍ଡ ଅପରାଧିକ କାର୍ଯ୍ୟରେ ଉପଯୋଗ ହେଉଥିଲା । ଦିଲ୍ଲୀ ସାହିନବାଗ ଥାନାରେ ରୁଜୁ ହୋଇଥିବା ଏକ ମାମଲାର ଅଭିଯୁକ୍ତ ଠାରୁ ସନ୍ତୋଷ ବିକ୍ରି କରିଥିବା ବେଆଇନ ସିମ୍‌ କାର୍ଡ ଜବତ ହେବା ପରେ ସନ୍ତୋଷ ପୁଲିସ ସନ୍ଦେହ ଘେରକୁ ଆସିଥିଲା ।