ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ 

ରାୟଗଡ଼ା : ଆତ୍ମସମର୍ପଣ ପାଇଁ ନକ୍ସଲଙ୍କୁ ଜିଲ୍ଲା ପୁଲିସ ଆହ୍ୱାନ କରି ରାୟଗଡ଼ା ଜିଲ୍ଲାର ସୀମାନ୍ତବର୍ତ୍ତୀ ଗାଁରେ ପୋଷ୍ଟର ଲଗାଇଛି । ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍‌ କୁମାରଙ୍କ ନିର୍ଦ୍ଦେଶରେ ମାଓବାଦୀ ସଂଗଠନର  କାର୍ଯ୍ୟରତ ସମସ୍ତ ମାଓନେତା ଓ ସଦସ୍ୟ/ସଦସ୍ୟାଙ୍କୁ ରାୟଗଡ଼ା ଜିଲ୍ଲା ପୁଲିସ ପକ୍ଷରୁ ଆତ୍ମସମର୍ପଣ ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି ।
 ସେମାନେ ନିର୍ଭୟରେ ରାୟଗଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ ହେବାକୁ ନିବେଦନ କରାଯାଇଛି । ଏହି ପୋଷ୍ଟର ଗୁଡ଼ିକ ଗଜପତି ଜିଲ୍ଲା ସୀମାନ୍ତ ଗରଡ଼ାମହା ଗ୍ରାମ, ଚନ୍ଦ୍ରପୁର ବ୍ଲକର ହନମନ୍ତପୁର ଛକ, ସୀତାଗୁଡ଼ି, ମୁନିଗୁଡା ବସଷ୍ଟାଣ୍ଡ, ଖମ୍ବେସି ଓ ନୀୟମଗିରି ପାହାଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଛି । ସମାଜର ସ୍ୱାର୍ଥ ପାଇଁ କାମ କରିବା ନିମନ୍ତେ ବନ୍ଧୁକର କୌଣସି ଆବଶ୍ୟକତା ନାହିଁ । ମୁଖ୍ୟସ୍ରୋତରେ ସାମିଲ ହୋଇ ସମ୍ବିଧାନ ଓ ଗଣତନ୍ତ୍ରରେ ବିଶ୍ୱାସ କରି ଜନସାଧାରଣ ତଥା ଦେଶର ସେବା କରନ୍ତୁ ବୋଲି ଜିଲ୍ଲା ପୁଲିସ ପୋଷ୍ଟର ଜରିଆରେ ଆହ୍ୱାନ କରିଛି । ସରକାରଙ୍କ ଘୋଷିତ ଆତ୍ମସମର୍ପଣ ଓ ଥଇଥାନ ଯୋଜନାରେ ସାମିଲ ହୋଇ ଆତ୍ମସମର୍ପଣ କରିବା କ୍ଷଣି ନଗଦ ୫୦ ହଜାର ଟଙ୍କା, ଘର ତିୟାର କରିବା ପାଇଁ ୪, ଡିସିମିଲ ସରକାରୀ ଜମି କିମ୍ବା ୨୫ ହଜାର ଟଙ୍କା, ୪୫ ହଜାର ଟଙ୍କା (ଇନ୍ଦିରା ଆବାସ ଯୋଜନାରେ) ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କ ନାମରେ ୨ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମାରାଶି, ବାହାଘର ପାଇଁ ନଗଦ ୨୫ ହଜାର ଟଙ୍କା, ଯୋଉଁମାନେ ଆତ୍ମସମର୍ପଣ ପରେ ପାଠ ପଢିବା କିମ୍ବା କୌଣସି ଧନ୍ଦାମୂଳକ ଶିକ୍ଷା ଲାଭ କରିବା ପାଇଁ ଚାହାନ୍ତି ସେମାନଙ୍କୁ ମାଗଣାରେ ଖାଦ୍ୟ ଓ ହଷ୍ଟେଲ ସୁବିଧା ସହ ମାସିକ ଷ୍ଟାଇପେଣ୍ଡ ଏବଂ ଅସ୍ତ୍ରଶସ୍ତ୍ର ଏକେ ୪୭, ଏସଏଲ୍‌ଅର୍‌ ୩୦୩ ରାଇଫେଲ, ୯ଏମଏମ ପିଷ୍ଟଲ ସହ ଆତ୍ମସମର୍ପଣ କଲେ ନଗଦ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ଆତ୍ମସମର୍ପଣକାରୀ ପାଇପାରିବେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହା ସହ ଆତ୍ମସମର୍ପଣ କଲେ ପୂର୍ବରୁ ଥିବା କେସ୍‌ ଗୁଡ଼ିକ ପ୍ରତ୍ୟାହାର କରାଯିବ ବୋଲି ଜିଲ୍ଲା ପୁଲିସ ଉଲ୍ଲେଖ କରିଛି। ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସୀମାନ୍ତ ଗ୍ରାମଗୁଡିକ ପରିଦର୍ଶନ କରି ଲୋକଙ୍କୁ ସଚେତନ କରୁଛନ୍ତି । କେନ୍ଦ୍ରୀୟ ସରକାର ଦ୍ୱାରା ଅପରେସନ ନକ୍ସଲ କ୍ଲିନ୍‌ ଜୋର୍‌ ସୋର୍‌ରେ ଚାଲୁଛି । ତେଣୁ ନିଶ୍ଚିତ ଭାବରେ ଆତ୍ମସମର୍ପଣ କରିବେ, ନଚେତ୍‌ ପୁଲିସ ଗୁଳିରେ ପ୍ରାଣ ହରାଇବେ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ।