ଅଚଳ ହେଲା ପେଣ୍ଟୋଗ୍ରାଫ୍‌, ଅଟକିଲା ଏକ୍ସପ୍ରେସ୍‌

ଅଚଳ ହେଲା ପେଣ୍ଟୋଗ୍ରାଫ୍‌,  ଅଟକିଲା ଏକ୍ସପ୍ରେସ୍‌

ରାୟଗଡ଼ା : ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍‌ ଇଞ୍ଜିନର ପେଣ୍ଟୋଗ୍ରାଫ୍‌ କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହେବା ଯୋଗୁ କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ଶନିବାର ଭୋର୍‌ରୁ ଏପରି ହୋଇଥିବା ଜଣାପଡ଼ିଛି। ଇଣ୍ଟରସିଟି ଏକ୍ସପ୍ରେସ୍‌ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ଲେଲିଗୁମାଠାରେ ଅଟକି ରହିଥିବା ସୂଚନାରୁ ଜଣାପଡ଼ିଛି। ଏହି ଅଞ୍ଚଳରେ ମୋବାଇଲ ନେଟ୍‌ଓ୍ବର୍କ ଠିକ୍‌ରେ କାର୍ଯ୍ୟ କରୁ ନ ଥିବାରୁ ସଠିକ୍‌ ତଥ୍ୟ ମିଳିପାରିନାହିଁ । ୩ଘଣ୍ଟାରୁ ଊର୍ଦ୍ଧ୍ୱ ହେଲାଣି ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇପଡ଼ିଛି। ସକାଳୁ ସକାଳୁ ଏଭଳି ଘଟଣା ହୋଇଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଟ୍ରେନ ଇଞ୍ଜିନକୁ ବିଦ୍ୟୁତ୍‌ ଯୋଗାଣ ନ ହେବା ଯୋଗୁ ଟ୍ରେନ୍‌ ଆଗକୁ ଆଉ ଗଡ଼ି ପାରି ନ ଥିଲା ବୋଲି ଜଣେ ରେଳବାଇ କର୍ମଚାରୀ ପ୍ରକାଶ କରିଛନ୍ତି। ବିଦ୍ୟୁତ ଲାଇନ୍‌ ସହ ଟ୍ରେନ୍‌କୁ ସଂଯୋଗ କରୁଥିବା ପେଣ୍ଟୋଗ୍ରାଫ୍‌ ଅଚଳ ହୋଇପଡ଼ିବାରୁ ଇଞ୍ଜିନ ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି। ଓଭର ହେଡେଡ୍‌ ଇଲେକ୍ଟ୍ରିକାଲ ଇକ୍ୟୁପମେଣ୍ଟ ଜରିଆରେ ବିଦ୍ୟୁତ୍‌ ଲାଇନରୁ ଟ୍ରେନ୍‌ ଇଞ୍ଜିନକୁ ବିଦ୍ୟୁତ ଯୋଗାଉଥିବା ପେଣ୍ଟୋଗ୍ରାଫ୍‌ ଅଚଳ ହୋଇପଡ଼ିବାରୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଯିବା ଫଳରେ ଏଭଳି ହୋଇଥିବା ରାୟଗଡ଼ା ଷ୍ଟେଶନ ପ୍ରବନ୍ଧକ ପ୍ରକାଶ କରିଛନ୍ତି । ରେଳବାଇ ବିଭାଗର ଟେକ୍‌ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏହାକୁ ମରାମତି କରୁଥିବା ସୂଚନାରୁ ଜଣାପଡ଼ିଛି। ଗତ କାଲି ସନ୍ଧ୍ୟାରେ ଜୟପୁର କୋରାପୁଟ ରୁଟ୍‌ରେ ଥିବା ଜରଟି ନିକଟରେ ଏକ ମାଲବାହୀ ଟ୍ରେନ୍‌ର ପେଣ୍ଟୋଗ୍ରାଫ ଅଚଳ ହେବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇ ଟ୍ରେନ୍‌ ଚଳାଚଳ ବିଳମ୍ବିତ ହୋଇଥିଲା। ୧୨ ଘଣ୍ଟା ମଧ୍ୟରେ ଏହି ରୁଟ୍‌ରେ ଦୁଇ ଦୁଇଟି ଟ୍ରେନ୍‌ର ପେଣ୍ଟୋଗ୍ରାଫ୍‌ ଅଚଳ ହେବା ଘଟଣା ରେଳ ବିଭାଗକୁ ଚିନ୍ତାରେ ପକାଇବା ସହ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏହି ରୁଟ୍‌ରେ ପେଣ୍ଟୋଗ୍ରାଫ୍‌ କାହିଁକି ଅଚଳ ହେଲା ସେନେଇ ବିଭାଗ ତରଫରୁ ତଦନ୍ତ ଚାଲିଛି ବୋଲି ରାୟଗଡ଼ା ଷ୍ଟେଶନ ପ୍ରବନ୍ଧକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଖବର ଲେଖିବା ବେଳକୁ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇ ନ ଥିବା ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଯାତ୍ରୀ ପ୍ରକାଶ କରିଛନ୍ତି।